ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଏକ ନମ୍ବର

ଲାଞ୍ଚ ମାମଲାରେ ପଞ୍ଚମ, ତଦନ୍ତାଧୀନ ମାମଲାରେ ଦ୍ବିତୀୟ
କରୋନା କମାଇଲା ମାମଲା, ୫୦ ପ୍ରତିଶତ ଖଲାସ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି)-୨୦୨୦ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ୨୦୨୦ରେ ଭିଜିଲାନ୍ସ ୨୪୫ଟି ଏଭଳି ମାମଲା ରୁଜୁ କରିଛି। ୨୦୧୯ରେ ଏହି ସଂଖ୍ୟା ୩୫୩ ଓ ୨୦୧୮ରେ ୪୨୯ ରହିଥିଲା। ୨୦୨୦ରେ ୯୩ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଛି। ଏହା ଦେଶର ସବୁଠୁ ଅଧିକ ବୋଲି ଜଣାପଡ଼ିଛି। ଏହା ପଛକୁ ଗୁଜରାଟରେ ୩୭ଟି ମାମଲା ରୁଜୁ ହୋଇଥିବା ବେଳେ ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ୨୧ଟି ମାମଲା, କର୍ଣ୍ଣାଟକରେ ୨୦ଟି ମାମଲା ରୁଜୁ ହୋଇଛି।

ସେହିପରି ଲାଞ୍ଚ ମାମଲାରେ ଓଡ଼ିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି। ୨୦୨୦ରେ ରାଜ୍ୟରେ ୧୦୩ଟି ଲାଞ୍ଚ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ୬୩୧ ମାମଲା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୧୩ ମାମଲା ସହ ରାଜସ୍ଥାନ ଦ୍ବିତୀୟ ସ୍ଥାନରେ , ୧୮୫ ମାମଲା ସହ କର୍ଣ୍ଣାଟକ ତୃତୀୟ ସ୍ଥାନରେ ଓ ୧୪୬ ମାମଲା ସହ ଗୁଜୁରାଟ ଚତୁର୍ଥ ସ୍ଥାନରେ ରହିଛି।

ସେହିପରି ତଦନ୍ତାଧୀନ ମାମଲାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୩୩୫୬ଟି ତଦନ୍ତାଧୀନ ମାମଲା ରହିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୫୯୭୧ ମାମଲା ସହ ପ୍ରଥମ ସ୍ଥାନ ଓ ୩୦୦୨ ମାମଲା ସହ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛି। ସେହିପରି ଗତବର୍ଷ ୧୬ଟି ମାମଲାରେ ଦଣ୍ଡବିଧାନ ହୋଇଥିବା ବେଳେ ୧୬ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅର୍ଥାତ ଦଣ୍ଡବିଧାନ ହାର ୫୦ ପ୍ରତିଶତ ରହିଛି। ପଡ଼ି ରହିଥିବା ମାମଲା ହାର ୯୮.୭ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର