ଓଡ଼ିଶାରେ ଆରମ୍ଭ ହେଲା ସଜବାଜ; ଡିଏମଇଟି କହିଲେ ଟିକାକରଣ ପାଇଁ ଆମେ ପ୍ରସ୍ତୁତ

ଭୁବନେଶ୍ବର: ବିଶେଷଜ୍ଞଙ୍କ ଦ୍ବାରା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଜରୁରୀ ବ୍ୟବହାର ଲାଗି ସୁପାରିସ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି  ଡିଏମଇଟି ଡା.ସିବିକେ ମହାନ୍ତି । ସେ କହିଛନ୍ତି, ପ୍ରଥମେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ ଦିଆଯିବ, ଯାହା ଶରୀରରେ ୭୦ ପ୍ରତିଶତ ପ୍ରତିଶେଧକ ଶକ୍ତି ବଢାଇବ ବୋଲି ଆକଳନ କରାଯାଉଛି । ଟିକାକରଣ ଲାଗି ବର୍ତ୍ତମାନ ସୁଦ୍ଧା  ୩ ଲକ୍ଷ ୭୦ ହଜାର ଲୋକଙ୍କର ଡାଟାବେସ ପ୍ରସ୍ତୁତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା ହେବ। ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଟିକା ଦିଆଯିବ ।  ଆମେ ପ୍ରସ୍ତୁତ ଅଛୁ, ଟିକା ଓଡିଶା ଆସିବା ମାତ୍ରେ ଦିଆଯିବ ବୋଲି ଡିଏମଇଟି କହିଛନ୍ତି ।

ସେପଟେ ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଦେଶରେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଆଜି ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ଏଥିରେ ଅକ୍ସଫୋର୍ଡ ଟିକାର ଜରୁରୀ ବ୍ୟବହାର ପାଇଁ ସୁପାରିସ ମିଳିବା  ପରେ ଦେଶରେ କୋଭିଡ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବୋଲି କୁହାଯାଇ ପାରିବ । ଏହାପରେ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଏହାର ଚୂଡାନ୍ତ ଅନୁମତି ଦେବେ । କିନ୍ତୁ ଆଜିର ବିଶେଷଜ୍ଞ କମିଟିର ସୁପାରିସ ପରେ ଦେଶରେ କୋଭିଡ ଟିକା ଆସିବାର ବାଟ ଫିଟିଯାଇଛି ।

ଅନ୍ୟପଟେ ବିଶାଳ ଜନସଂଖ୍ୟାବିଶିଷ୍ଟ ଭାରତରେ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ । କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗୀରରେ ୯ଟି ଆଂଚଳିକ କେନ୍ଦ୍ରରେ ଟିକା ରଖାଯିବ । ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଣ୍ଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ । ଏହି କୋଲ୍ଡ ଚେନ୍ ପଏଣ୍ଟରୁ ୨୯,୨୭୨ ସେସନ୍ ସାଇଟ୍ ବା ଟିକାଦାନ କେନ୍ଦ୍ରକୁ ପଠାଯିବ । ଆଉ ଏହି କେନ୍ଦ୍ରରେ ହିଁ ଦିଆଯିବ ଟିକା ।

ସମ୍ବନ୍ଧିତ ଖବର