ନମୁନା ପରୀକ୍ଷାରେ ଓଡ଼ିଶା ଦ୍ୱିତୀୟ

୫୦ଦିନ ପରେ ୨ଶହ ତଳକୁ ଖସିଲା ଗଞ୍ଜାମ
ଦିନକରେ ୨୬୯୮ ପଜିଟିଭ୍, ଆଉ ୧୦ ମୃତ୍ୟୁ
ସୁସ୍ଥ ହେଲେ ଆଉ ୧୯୨୭, ମୋଟ୍‌ ୫୦୫୦୪

ଭୁବନେଶ୍ୱର : ଖୋର୍ଧାରେ କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି। ଗତ ୧୯ତାରିଖରେ ଦୈନିକ ସଂକ୍ରମଣ ୫ ଶହ ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୫ ଶହ ନିକଟତର ରହିଛି। ଭୁବନେଶ୍ବର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଛି। ପରିସ୍ଥିତି ଏପରି ହେଲାଣି ଯେ ରାଜ୍ୟର ସର୍ବାଧିକ ସକ୍ରିୟ ରୋଗୀ ଏବେ ଖୋର୍ଧା ଜିଲ୍ଲାରେ ହିଁ ରହିଛନ୍ତି। ରାଜ୍ୟରେ‌ କରୋନାର ସୁସ୍ଥ ହାର ତୁଳନା‌ରେ ଖୋର୍ଧାରେ ସୁସ୍ଥ ହାର ଯଥେଷ୍ଟ କମ୍ ରହିଛି। ଯଦିଓ ନିକଟରେ ମୁଖ୍ୟମନ୍ତ୍ରୀ ଖୋର୍ଧା ସମେତ ୪ଟି ଜିଲ୍ଲାରେ ସଂକ୍ରମଣକୁ କମାଇବା ଲାଗି ନିର୍ଦେଶ ଦେଇଛନ୍ତି, କିନ୍ତୁ ଖୋର୍ଧାରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳି ନାହିଁ।

ଅପରପକ୍ଷେ କୋଭିଡ୍‌ ନମୁନା ପରୀକ୍ଷାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ୧୦ ଲକ୍ଷ ଜନସଂଖ୍ୟାରେ ଓଡ଼ିଶାରେ ଦୈନିକ ୧୨୬୫ ଜଣଙ୍କର ପରୀକ୍ଷା ହେଉଛି। ଓଡ଼ିଶା ଉପରେ ଗୋଆ ରହିଛି। ସେଠାରେ ୧୮୨୬ଜଣଙ୍କ ପରୀକ୍ଷା କରାଯାଉଛି। ଜାତୀୟସ୍ତରରେ ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ୫୮୦ଜଣଙ୍କ ପରୀକ୍ଷା କରାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୬୪୭୯ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି, ଯାହାକି ଏ ପର୍ଯ୍ୟନ୍ତ ସର୍ବାଧିକ ବୋଲି ଜଣାପଡ଼ିଛି।

ସେହିଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଗଂଜାମରେ ସ୍ଥିତି ସୁଧୁରୁଛି। ୫୦ ଦିନ ପରେ ଗଞ୍ଜାମ ଜିଲ୍ଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହରୁ ତଳକୁ ଖସିଛି। ଜୁଲାଇ ୨ ତାରିଖରେ ଗଞ୍ଜାମରେ ପ୍ରଥମଥର ଲାଗି ୨ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାର ପରବର୍ତୀ ଦିନଗୁଡ଼ିକରେ ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ହୋଇଥିଲା। ଗୋଟିଏ ପରେ ଗୋଟିଏ ଅଲୋଡ଼ା ରେକର୍ଡ ସୃଷ୍ଟି କରିଥିଲା ଗଞ୍ଜାମ। ମାତ୍ର ଏବେ ଗଞ୍ଜାମରେ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଏପରିକି ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୬୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧା ସମେତ ଅନ୍ୟ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ବେଳେ ଗଞ୍ଜାମରେ କିନ୍ତୁ ଏହା ଓଲଟା ଦେଖିବାକୁ ମିଳୁଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୯୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୬୭୫ ସଙ୍ଗରୋଧ ଓ ୧୦୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୪୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୨୦୭, ଗଞ୍ଜାମ ୧୬୨, ରାୟଗଡ଼ା ୧୫୪, କୋରାପୁଟ ୧୪୬, ମୟୂରଭଞ୍ଜ ୧୨୮, ବାଲେଶ୍ବର ୧୦୨, ନୟାଗଡ଼ ୯୪, ନବରଙ୍ଗପୁର ୯୧, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୮୯ ଲେଖାଏଁ, ପୁରୀ ୮୭, କନ୍ଧମାଳ ଓ ମାଲକାନାଗିରିରେ ୮୧ ଲେଖାଏଁ, ଯାଜପୁର ୮୦, ସମ୍ବଲପୁର ୭୮, ଝାରସୁଗୁଡ଼ା ୭୨, ବଲାଙ୍ଗୀର ୭୧, ଗଜପତି ୫୮, ବରଗଡ଼ ୫୬, କଳାହାଣ୍ଡି ୪୯, ସୋନପୁର ୩୧, ଅନୁଗୁଳ ୨୯, ବୌଦ୍ଧ ୧୧, ନୂଆପଡ଼ା ୩ ଓ ଦେବଗଡ଼ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮ରେ ପହଞ୍ଚିଛି। ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ଗଞ୍ଜାମ ଆଗରେ ରହିଛି। ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୧୫୮୮୬ ରୋଗୀ ଚିହ୍ନଟ ହୋଇସାରିଲେଣି। ଏହାବାଦ୍ ଖୋର୍ଧାରେ ୧୦୮୪୫, କଟକ ୪୯୧୭, ସୁନ୍ଦରଗଡ଼ ୩୬୮୧, ରାୟଗଡ଼ା ୨୮୧୬, ବାଲେଶ୍ବର ୨୬୪୦, ଗଜପତି ୨୫୪୬, ଯାଜପୁର ୨୪୫୯, କୋରାପୁଟ ୨୩୬୩ ଓ ପୁରୀରେ ୨୩୬୩ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୨ଟି ଜିଲ୍ଲାରେ ୨ ହଜାରରୁ କମ୍ ଓ ବଳକା ୮ଟି ଜିଲ୍ଲାରେ ହଜାରରୁ କମ୍ ରୋଗୀ ଚିହ୍ନଟ କରାଯାଇଛି।

ରାଜ୍ୟରେ ଆଜି ୧୦ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୪ଜଣ ଗଞ୍ଜାମରୁ ରହିଛନ୍ତି। ଏହାବାଦ୍ କୋରାପୁଟ, ନୟାଗଡ଼, ସୋନପୁର, ଅନୁଗୁଳ ଓ ଭୁବନେଶ୍ବରରେ ୨ଜଣ ମୃତକ ରହିଛନ୍ତି। ଏହାସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୭୦ଜଣଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ଖୋର୍ଧାରେ ୫୪, ସୁନ୍ଦରଗଡ଼ ୨୪, କଟକ ୧୯, ରାୟଗଡ଼ା ୧୭, ଗଜପତି ୧୬, ପୁରୀ ଓ ନୟାଗଡ଼ରେ ୧୦ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନ୍ୟ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁନାହିଁ। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି। ଏହାବାଦ୍ ଅଣ କରୋନାରେ ରାଜ୍ୟରେ ୫୩ଜଣ ପ୍ରାଣ ହରାଇଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୯୨୭ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦ହଜାର ଟପିଯାଇଛି। ଖୋର୍ଧରୁ ସର୍ବାଧିକ ୨୪୬, ଗଞ୍ଜାମ ୧୯୦, ନୟାଗଡ଼ ୧୫୧, ରାୟଗଡ଼ା ୧୪୬, ସୁନ୍ଦରଗଡ଼ ୧୦୮, କନ୍ଧମାଳ ୧୦୧, ଢେଙ୍କାନାଳ ୯୫, ମୟୂରଭଞ୍ଜ ୮୮, କୋରାପୁଟ ୮୬, କଟକ ୭୮, ପୁରୀ ୭୭, ବଲାଙ୍ଗୀର ୭୫, ଯାଜପୁର ୭୪, ବାଲେଶ୍ବର ୭୦, ମାଲକାନାଗିରି ୪୩, ନବରଙ୍ଗପୁର ୪୦, ଗଜପତି ୩୪, ଜଗତସିଂହପୁର ୩୦, ଭଦ୍ରକ ୨୮, ନୂଆପଡ଼ା ୨୭, କଳାହାଣ୍ଡି ଓ ସମ୍ବଲପୁରରୁ ୨୧ ଲେଖାଏଁ, କେନ୍ଦ୍ରାପଡ଼ା ୧୯, କେନ୍ଦୁଝର ୧୮, ଦେବଗଡ଼ ୧୭, ଝାରସୁଗୁଡ଼ା ୧୩, ବରଗଡ଼ ୧୨, ବୌଦ୍ଧ ୮, ସୋନପୁର ୬ ଓ ଅନୁଗୁଳରୁ ୫ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦୫୦୪ରେ ପହଞ୍ଚିଛି। ୨୧ ହଜାର ୩୨୮ ଜଣ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର