ଭୁବନେଶ୍ବର : ଓଡ଼ିଶା ଏବେ ପ୍ରଗତିଶୀଳ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ଓଡ଼ିଶା ସମୃଦ୍ଧ କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାର ଏକ ଶ୍ରେଷ୍ଠ ଉଦାହରଣ। ଯାହାକି ଯୁଗ ଯୁଗ ଧରି ସମ୍ମାନିତ ହୋଇଆସୁଛି। ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଚେତନା ଉପରେ ଏହାର ଏକ ବଡ଼ ପ୍ରଭାବ ରହିଛି। ଓଡ଼ିଶାର ମହାନ ସାହିତ୍ୟିକ ଫକୀରମୋହନ ସେନାପତି ବିଂଶ ଶତାବ୍ଦୀର ଆରମ୍ଭ ଆଡ଼କୁ ‘ରେବତୀ’ ଗଳ୍ପ ସହ ସାମ୍‌ନାକୁ ଆସିଥିଲେ। ପାଠପଢ଼ାର ଇଚ୍ଛା କରି ରେବତୀ କେମିତି ଅଭିଶପ୍ତର ଆଖ୍ୟା ପାଇଥିଲା ଏହି ଗଳ୍ପରେ ତାହା ବର୍ଣ୍ଣନା ହୋଇଥିବା ବେଳେ ଏହି ଗଳ୍ପ ତତ୍‌କାଳୀନ ସମୟର ସାମାଜିକ ସ୍ଥିତିର ବାସ୍ତବ ରୂପ ଥିଲା। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ କରମା ମୁଦୁଲିଙ୍କ କାହାଣୀ ସହ ‘ରେବତୀ’ ଗଳ୍ପ ସମ୍ପୂର୍ଣ୍ଣ ଓଲଟା। ସୁଦୂର ବଣ୍ଡା ପାହାଡ଼ର ଜଣେ ଆଦିବାସୀ ଝିଅ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ନିଜ ସ୍ୱପ୍ନକୁ ସାକାର କରିପାରୁଛନ୍ତି। ଏ କାହାଣୀ ହେଉଛି ସାମ୍ପ୍ରତିକ ଓଡ଼ିଶାର କାହାଣୀ, ଏହାର ଅପାର ସମ୍ଭାବନାର କାହାଣୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Advertisment

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଗ୍ରୁପ୍‌ ପକ୍ଷରୁ ୱେଲ୍‌କମ୍‌ ହୋଟେଲ୍‌ଠାରେ ଆୟୋଜିତ ଓଡ଼ିଶା ସାହିତ୍ୟ ଉତ୍ସବ ‘ଅ’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭା‌ବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଥିଲେ। ସେ ଆହୁରି କହିଥିଲେ, କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ପ୍ରତିଟି କ୍ଷେତ୍ରରେ ଓଡ଼ିଶା ବିକାଶର ନୂଆ ଧାରା ସୃଷ୍ଟି କରୁଛି। କିଛି ବର୍ଷ ତଳେ ଦାରିଦ୍ର୍ୟ ପାଇଁ ଜଣାଶୁଣା କଳାହାଣ୍ଡି ଜିଲ୍ଲା ଏବେ ଧାନ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହା ଏବେ ଜାତୀୟ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ ମଧ୍ୟ କରୁଛି। ଅନ୍ୟପଟେ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥା ଓଡ଼ିଶାରେ ବଡ଼ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ କରିବାକୁ ମନ ବଳାଉଛନ୍ତି। କରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ଓଡ଼ିଶା, ସାରା ଦେଶକୁ ଅମ୍ଳଜାନ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲା। ଏଥିସହ ପୁଞ୍ଜି ନିବେଶକଙ୍କ ଆକର୍ଷଣର କେନ୍ଦ୍ରରେ ଓଡ଼ିଶା ରହିଛି। ନିବେଶକମାନେ ବିପୁଳ ଅର୍ଥ ଓଡ଼ିଶାରେ ନିବେଶ କରିବାକୁ ଚାହୁଛନ୍ତି। ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବଡ଼ ଲମ୍ଫ ମାରିଥିବା ବେଳେ ରାଜ୍ୟରେ ପ୍ରତିଟି କ୍ଷେତ୍ରର ବିକାଶର ଅଲଗା ଅଲଗା କାହାଣୀ ରହିଛି।

ଜାତୀୟ ଅଭିବୃଦ୍ଧିରେ ଓଡ଼ିଶାର ଯୋଗଦାନ ଭଲ ରହିଛି। ଖାଦ୍ୟ ଉତ୍ପାଦନ ହେଉ ଅବା ବିପର୍ଯ୍ୟୟ ପରିଚାଳନା; ମହିଳା ସଶକ୍ତୀକରଣ ହେଉ ଅବା ସ୍ୱାସ୍ଥ୍ୟସେବା, କ୍ରୀଡ଼ା, ଶିକ୍ଷା ବା ସେବା ବିତରଣ, ପ୍ରଗତିଶୀଳ ପରିବର୍ତ୍ତନ ସମଗ୍ର ରାଜ୍ୟରେ ଦୃଶ୍ୟମାନ ହେଉଛି। ବିକାଶ ଦିଗରେ ଓଡ଼ିଶାର ରୂପାନ୍ତରଣ କାହାଣୀ ସମଗ୍ର ଦେଶରେ ଓ ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମକୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା ପରିଚାଳନା କରିଥିଲେ।