ରାଜ୍ୟ ଖାଦ୍ୟ ଆୟୋଗ ଗଠନ କରିବାରେ ଓଡ଼ିଶା ଦେଶରେ ପ୍ରଥମ: ଖାଦ୍ୟ ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ବର : ରାଜ୍ୟ ଖାଦ୍ୟ ଆୟୋଗ ଗଠନ କରିବାରେ ଓଡ଼ିଶା ପ୍ରଥମ। ଆଜି ଭର୍ଚୁଆଲ୍‌ ଜରିଆରେ ଖାଦ୍ୟ ଆୟୋଗର କାର୍ଯ୍ୟ ସମୀକ୍ଷା କରିବା ଅବସରରେ ଏହି କଥା କହିଛନ୍ତି ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ। କୋଭିଡ୍‌ ମହାମାରୀ ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାସହିତ ରାଜ୍ୟର ପ୍ରାୟ ୩ କୋଟିରୁ ଅଧିକ ବ୍ୟକ୍ତିମାନଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଇପାରିଛି। ଏବେ ଖାଦ୍ୟ ସୁରକ୍ଷା ପ୍ରଦାନ ଦିଗରେ ଅବହେଳା ପାଇଁ ଅଭିଯୋଗ ଦାଖଲ କରିବାକୁ ସରକାର ୨୦୨୦ ଜୁନ୍‌ରେ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମାବଳୀ ପ୍ରଣୟନ କରିଛନ୍ତି। ଏଥିପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ସାମିଲ ହୋଇଥିବା ଜିଲ୍ଲାପାଳ ଓ ଜିଲ୍ଲା ଅଧିକାରୀମାନଙ୍କୁ ଶ୍ରୀ ମେର୍କାପ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯଦି କୌଣସି ହିତାଧିକାରୀ ତାଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି ତାହେଲେ ନିଜ ଜିଲ୍ଲାରେ ଥିବା ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ (ପ୍ରକଳ୍ପ ନିର୍ଦ୍ଦେଶକ)ଙ୍କ ପାଖରେ ନିର୍ଦ୍ଦିଷ୍ଟ ଅଭିଯୋଗକୁ ଦରଖାସ୍ତ ଫର୍ମ-କ ଜରିଆରେ ଦାଖଲ କରିପାରିବେ। ଏହି ଫର୍ମ ଓଡ଼ିଶା ସରକାର www.foododisha.in ଓ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ଓ୍ବେବ୍‌ସାଇଟ୍‌ www.odishafoodcommission.nic.inରେ ଉପଲବ୍ଧ ହେଉଛି। ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ଏହି ଆବେଦନକାରୀଙ୍କ ଆବେଦନକୁ ସର୍ବାଧିକ ୯୦ ଦିନ ମଧ୍ୟରେ ଫଇସଲା କରିବେ। ଯଦି କୌଣସି ବ୍ୟକ୍ତି ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀଙ୍କ ରାୟ ବିରୋଧରେ ଆୟୋଗଙ୍କ ପାଖରେ ଅପିଲ କରିବାକୁ ଚାହିଁବେ, ତାହେଲ ୩୦ ଦିନ ମଧ୍ୟରେ କରିପାରିବେ। ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସେହି ଅପିଲକୁ ୬୦ ଦିନ ମଧ୍ୟରେ ଫଇସଲା କରିବେ। ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନିମନ୍ତ ରାଜ୍ୟ ସରକାର ସାମାଜିକ ସମୀକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ସରକାର ବିଭିନ୍ନ ସ୍ତରରେ ସତର୍କତା କମିଟି ଗଠନ ପାଇଁ ବ୍ୟବସ୍ଥା କରିଛନ୍ତି।

ସମ୍ବନ୍ଧିତ ଖବର