ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଦେଶରେ ୪ ନମ୍ବର
ବର୍ଷକରେ ୯ ସ୍ଥାନ ଉପରକୁ ଉଠିଲା, ଖାଦ୍ୟର ମାନ ପରୀକ୍ଷଣ ଭିତ୍ତିଭୂମିରେ ପଛରେ
ଭୁବନେଶ୍ବର : ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଉତ୍ସାହଜନକ ରହିଛି। ୨୦୧୯-୨୦ରେ ଓଡ଼ିଶା ଏଥିରେ ୧୩ନମ୍ବର ସ୍ଥାନରେ ଥିବା ବେଳେ ୨୦୨୦-୨୧ରେ ଏକାଥରେ ୯ଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛି। ଓଡ଼ିଶା ସମୁଦାୟ ୬୦ ପଏଣ୍ଟ ପାଇଥିବା ବେଳେ ଶୀର୍ଷ ୩ ସ୍ଥାନରେ ଥିବା ଗୁଜୁରାଟ ୭୨, କେରଳ ୭୦ ଓ ତାମିଲନାଡ଼ୁକୁ ୬୪ ପଏଣ୍ଟ ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ ବା ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ପ୍ରକାଶିତ ଖାଦ୍ୟ ସୁରକ୍ଷା ଇଣ୍ଡେକ୍ସ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ମାନବ ସମ୍ବଳ, ସଂସ୍ଥାଗତ ସଂଖ୍ୟା, ଖାଦ୍ୟ ପରୀକ୍ଷଣ ସୁବିଧା ଓ ପ୍ରଶିକ୍ଷଣ ତଥା କ୍ଷମତା ନିର୍ମାଣ ଓ ଉପଭୋକ୍ତାଙ୍କୁ ସଚେତନତା ମାନଦଣ୍ଡକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତଥାପି ଏକାଧିକ ମାନଦଣ୍ଡରେ ଓଡ଼ିଶାକୁ ଅନେକ କାର୍ଯ୍ୟ କରିବାକୁ ବାକି ରହିଛି। ରାଜ୍ୟରେ ଖାଦ୍ୟ ମାନ ପରୀକ୍ଷଣର ଭିତ୍ତିଭୂମି ଓ ନିରୀକ୍ଷଣ ଦୁର୍ବଳ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମାତ୍ର ଖାଦ୍ୟକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାହାର ଦ୍ରୁତ ସମାଧାନ ଦିଗରେ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି।
ରାଜ୍ୟରେ ଖାଦ୍ୟ ସୁରକ୍ଷାରେ ଏବେ ବି ମାନବ ସମ୍ବଳର ଯଥେଷ୍ଟ ଅଭାବ ରହିଛି। ବିଶେଷକରି ବଡ଼ ବଡ଼ ସହର ପାଇଁ ଆବଶ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ନାହାନ୍ତି। ରାଜ୍ୟରେ ଏବେ ୩୦ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ରହିଥିବା ବେଳେ ଆହୁରି ୩୫ଜଣଙ୍କୁ ନିଯୁକ୍ତି କରିବା ଲାଗି ନିଷ୍ପତ୍ତି ହୋଇଛି। ଆଗାମୀ ବର୍ଷ ଗୁଡ଼ିକରେ ଆହୁରି ୮ଜଣ ଲେଖାଏଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ଆସନ୍ତା ୪ବର୍ଷରେ ଏହି ସଂଖ୍ୟାକୁ ୧୦୫କୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ୩୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରିନାହିଁ। ଓପିଏସ୍ସି ଏହି ପରୀକ୍ଷା କରିବା ପରେ ସେମାନଙ୍କୁ ନିଯୁକ୍ତି ଦିଆଯିବ।

ସେହିପରି ଉପଭୋକ୍ତାଙ୍କୁ ସଚେତନତା ଦିଗରେ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଷ୍ଟ୍ରିଟ୍ ଫୁଡ୍ ହବ୍ ସଫାସୁତରା, ଖାଇବା ତେଲ କେତେଥର ବ୍ୟବହାର କରାଯାଉଛି, ‘ଭୋଗ୍’ ଭଳି ଅନ୍ୟ ମାନଦଣ୍ଡକୁ ନେଇ ଏହାର ବିଚାର କରାଯାଉଛି। ଗୁଜୁରାଟ ଏଥିପାଇଁ ୧୮ ପଏଣ୍ଟ ପାଇଥିବା ବେଳେ ତାମିଲନାଡ଼ୁ ୧୬ ଓ ଓଡ଼ିଶାକୁ ୧୩ ପଏଣ୍ଟ ମିଳିଛି। ତେବେ ସମୁଦାୟ ରୢାଙ୍କରେ ଓଡ଼ିଶା ପଛରେ ରହିଥିବା ମଧ୍ୟପ୍ରଦେଶକୁ ୧୫ ପଏଣ୍ଟ, ହିମାଚଳ ପ୍ରଦେଶ-ମହାରାଷ୍ଟ୍ର-କର୍ଣ୍ଣାଟକ ୧୪ ପଏଣ୍ଟ ଲେଖାଏଁ ପାଇଛନ୍ତି।
ଖାଦ୍ୟ ସୁରକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବେଶ୍ ପଛରେ ରହିଛି। ଖାଦ୍ୟର ମାନର ଯାଞ୍ଚ ପାଇଁ ଆବଶ୍ୟକ ସଂଖ୍ୟକ ଲାବୋରେଟାରି, ଲାବୋରେଟାରି ପରିଚଳାନା ପାଇଁ ଆବଶ୍ୟକ ସଂଖ୍ୟକ ମାନବ ସମ୍ବଳ, ମୋବାଇଲ ଟେଷ୍ଟିଂ ଲ୍ୟାବ୍ର ଉପଯୁକ୍ତ ବ୍ୟବହାର ଭଳି ମାନଦଣ୍ଡକୁ ବିଚାରକୁ ନିଆଯାଉଛି। ହେଲେ ରୢାଙ୍କରେ ଓଡ଼ିଶା ପଛରେ ରହିଥିବା ଆସାମ, ତେଲେଙ୍ଗାନା, ପଞ୍ଜାବ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଏହି କ୍ଷେତ୍ରରେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି।
ତେବେ ଖାଦ୍ୟକୁ ନେଇ ଆସୁଥିବା ଅଭିଯୋଗରେ ଓଡ଼ିଶା ବେଶ୍ ଭଲ ପ୍ରଦର୍ଶନ କରିଛି। ନିକଟରେ କଟକ, ଭୁବନେଶ୍ବର ଭଳି ସହରରେ ନକଲି ବ୍ରାଣ୍ଡ ଓ ଅପମିଶ୍ରଣ ଥିବା ବିଭିନ୍ନ ଖାଦ୍ୟ ବିକ୍ରି ହେଉଥିବା ନେଇ ଲଗାତାର ଚଢ଼ଉ ଜାରି ରହିଛି। ଏଥିପାଇଁ ଇଣ୍ଡେକ୍ସରେ ୩୦ ପଏଣ୍ଟର ଗୁରୁତ୍ବ ଥିବା ବେଳେ ଓଡ଼ିଶା ଏଥିରେ ୨୦ ପଏଣ୍ଟ ପାଇଛି। କେରଳ ସର୍ବାଧିକ ୨୨ ପଏଣ୍ଟ ପାଇବାରେ ସକ୍ଷମ ହୋଇପାରିଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଜଣେ ଅଧିକାରୀଙ୍କ ମତରେ, ଗତ କିଛିବର୍ଷ ହେବ ଓଡ଼ିଶାରେ ଖାଦ୍ୟର ମାନ ଯାଞ୍ଚ ଓ ଭିତ୍ତିଭୂମି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ସଂଖ୍ୟାରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନିଯୁକ୍ତି ପରେ ଆହୁରି ଠିକଣା ଢଙ୍ଗରେ ରାଜ୍ୟରେ ଖାଦ୍ୟର ମାନ ଯାଞ୍ଚ ଓ ଚଢ଼ଉ କରାଯିବ।