ଭୁବନେଶ୍ବର : ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ଦେଶର ଏକ ପ୍ରମୁଖ ଓ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ୨୦୨୨-୨୩ରେ ଏହା ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାରେ ସଫଳ ହୋଇଛି। ଦେଶର ଦ୍ବିତୀୟ ସର୍ବାଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆସିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ) ତଥ୍ୟରୁ ଜଣାପଡ଼ିଛି।
ଓଡ଼ିଶା ନିବେଶକମାନଙ୍କ ପସନ୍ଦର ରାଜ୍ୟରେ ପରିଣତ ହୋଇଛି। ସିଏମ୍ଆଇ ଜାରି କରିଥିବା ତାଲିକାରେ ୨୭.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରି ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଏହା ପଛକୁ ରହିଛନ୍ତି ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶ।
ପୁଞ୍ଜିନିବେଶ ଆଣିବା ଲାଗି ଗତବର୍ଷ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରିଥିଲେ। ସେଥିରେ ୧୦.୫
ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଏହା ବ୍ୟତୀତ ବର୍ଷତମାମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଓ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ଜରିଆରେ ମଧ୍ୟ ବିଭିନ୍ନ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଉଛି। ଖଣି ଓ ଧାତବ କ୍ଷେତ୍ର ବ୍ୟତୀତ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲ୍ସ, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ଓ ଆନୁଷଙ୍ଗିକ ଧାତବ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଦେଶର ଇଟାଲି, ଦୁବାଇ ଓ ଜାପାନରେ ଏବଂ ଦେଶ ଭିତରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସହରରେ ନିବେଶକ ସମ୍ମିଳନୀ ଆୟୋଜନ କରି ପୁଞ୍ଜିନିବେଶ ଆକୃଷ୍ଟ କରିବା ଲାଗି ଉଦ୍ୟମ କରାଯାଉଛି।