ଓଡ଼ିଶା ଅବଶିଷ୍ଟ ଭାରତ ପାଇଁ ଆସ୍ଥାର ଆକାଶ: ଗଣେଶ ଏନ୍‌. ଦେବୀ 

‘କଥା’ର ୩୫ତମ ବାର୍ଷିକୋତ୍ସବ

ଭୁବନେଶ୍ବର: ବର୍ତ୍ତମାନ ସମଗ୍ର ବିଶ୍ବରେ ଜ୍ଞାନର ଅନୁଷ୍ଠାନ, ବିଚାର ବ୍ୟବସ୍ଥା ଓ ଗଣତନ୍ତ୍ର ସଂକଟର ସମ୍ମୁଖୀନ ହେଉଛି। ଜ୍ଞାନର ପରିସୀମା ବଦଳୁଛି। ଗାନ୍ଧୀଙ୍କ ବିଚାରଧାରାକୁ ବଦଳାଇବା ପାଇଁ ଅପଚେଷ୍ଟା କରାଯାଉଛି। ଜାତୀୟତା ନାମରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଏଭଳି ପରିସ୍ଥିତିରେ ଓଡ଼ିଶା ଅବଶିଷ୍ଟ ଭାରତ ପାଇଁ ଆସ୍ଥାର ଆକାଶ ପାଲଟିଛି। ଓଡ଼ିଶା ହିଁ ସାରା ଭାରତବର୍ଷକୁ ନିରାଶା ଭିତରେ ଆଶାର ଆଲୋକ ଜାଳିଛି। ଦେଶର ଅନ୍ୟ ପ୍ରାନ୍ତରେ ସାଂପ୍ରଦାୟିକ ନିଆଁ ଜଳୁଥିବା ବେଳେ ଅନ୍ତତଃ ଓଡ଼ିଶାରେ ତାହା ଦେଖିବାକୁ ମିଳୁନାହିଁ। କିନ୍ତୁ ଆଗକୁ ଯେ ହେବନାହିଁ, ତା’ର କୌଣସି ମାନେ ନାହିଁ। ଏବେଠାରୁ ଓଡ଼ିଶାର ଯୁବ ଲେଖକମାନେ ଦାୟିତ୍ବ ନିଅନ୍ତୁ ଓ ଗାନ୍ଧୀଙ୍କ ବିଚାରଧାରା ବଞ୍ଚାଇ ରଖନ୍ତୁ ବୋଲି ମଙ୍ଗଳବାର ଓଡ଼ିଆ ଜାତିର ନବଜାତକ ‘କଥା’ର ୩୫ ତମ ବାର୍ଷିକ ଉତ୍ସବ ଏବଂ ନବପ୍ରତିଭା ପୁରସ୍କାର ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ଆହ୍ବାନ ଦେଇଛନ୍ତି ବିଶିଷ୍ଟ ଲେଖକ, ଭାଷାବିତ୍‌ ଓ ବିଦ୍ବାନ ପଦ୍ମଶ୍ରୀ ଗଣେଶ ନାରାୟଣ ଦେବୀ।

ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗଣେଶ ନାରାୟଣ ଦେବୀ କହିଥିଲେ ଯେ, ବର୍ତ୍ତମାନ ସମଗ୍ର ବିଶ୍ବରେ ଗଣତନ୍ତ୍ର ସଂକଟସ୍ଥିତି ଦେଇ ଗତି କରୁଛି। ଦୁର୍ଭାଗ୍ୟର କଥା ବର୍ତ୍ତମାନ ଗଣତନ୍ତ୍ର‌ରେ ଲୋକ ଏଭଳି ବ୍ୟକ୍ତିଙ୍କୁ ବାଛୁଛନ୍ତି, ଯେଉଁମାନେ ସେମାନଙ୍କ ବାଛିବାର ଅଧିକାରକୁ ଛଡ଼ାଇ ନେଉଛନ୍ତି। ତଥାପି ବାରମ୍ବାର ସେଇ ବ୍ୟକ୍ତିଙ୍କୁ ବାଛୁଛନ୍ତି ସାଧାରଣ ଲୋକ। ଯେଉଁଠି ଗାନ୍ଧୀ ଜନ୍ମ ନେଇଥିଲେ, ସେଠାରେ ଅଧିକ ଦଙ୍ଗା ହେଉଛି। ସେଠାରେ ଗାନ୍ଧୀଙ୍କ ବିଚାରଧାରାକୁ ନଷ୍ଟ କରି ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରାଯାଉଛି। ସମସ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତୀୟ ବୋଲି ଯେଉଁ କଥା କୁହାଯାଇଥିଲା, ତାକୁ ଆଜି ଜାତୀୟତା ନାମରେ ନଷ୍ଟ କରାଯାଉଛି। ଶାସକ ଦଳ ହିଁ ଗଣତନ୍ତ୍ରକୁ ଦଳିଚକଟି ନଷ୍ଟ କରିବାକୁ ଚେଷ୍ଟା କରୁଛି। ଏହା କେବଳ ଭାରତ ନୁହେଁ, ପୃଥିବୀର ଅନ୍ୟ ଦେଶରେ ବି ଦେଖିବାକୁ ମିଳୁଛି। ଯୁବ ଲେଖକମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସେମାନେ ଶବ୍ଦ ଜରିଆରେ ପୃଥିବୀକୁ ବଦଳାନ୍ତୁ। ପୁରସ୍କାରକୁ ଅପେକ୍ଷା ନକରି ସମାଜ ବଦଳାଇବାର ଶପଥ ନିଅନ୍ତୁ ବୋଲି ସେ କହିଥିଲେ।

ଯୁବ ଲେଖକଙ୍କ କଳ୍ପନାର ପରିଧି ବିସ୍ତାରିତ ହେଉ: ଦାମୋଦର ମାଜୋ

ମୁଖ୍ୟ ଅତିଥି ଭାବେ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରସିଦ୍ଧ କୋଙ୍କଣୀ କଥାକରା ଦାମୋଦର ମାଜୋ ଯୋଗଦେଇଥିଲେ। ଯୁବ ଲେଖକମାନେ ସେମାନଙ୍କ କଳ୍ପନାର ପରିଧିକୁ ବିସ୍ତାରିତ କରିବାକୁ ‌ସେ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ, ଯୁବ ଲେଖକମାନେ ଲେଖିବା ଜାରିରଖନ୍ତୁ, ଲେଖିବା ବନ୍ଦ କରନ୍ତୁ ନାହିଁ। ତେବେ ଗୁରୁତ୍ବପୂର୍ଣ୍ଣ ହେଉଛି ଅଧିକ ପଢ଼ିବା। ପଢ଼ିବାର ବିକଳ୍ପ କିଛି ନାହିଁ। ଯୁବ ଲେଖକମା‌ନେ ନିଜ ମାତୃଭାଷା ସହ ଅନ୍ୟ ଭାଷାର ଭଲ ପୁସ୍ତକ ପଢ଼ିବାର ଅଭ୍ୟାସ ଜାରି ରଖନ୍ତୁ। କଳ୍ପନା ଶକ୍ତିକୁ ଅଧିକ ଶାଣିତ ଓ ବ୍ୟାପ୍ତ କରନ୍ତୁ। ନିଜର ସୃଜନଶୀଳତାର ବିକାଶ କରନ୍ତୁ। କଲମରେ ଯେଉଁ ଶକ୍ତି ରହିଛି, ତାହା ଅନ୍ୟ କେଉଁଥିରେ ନାହିଁ। ଭଲ ଭଲ ପୁସ୍ତକ ବିଭିନ୍ନ ଭାଷାରେ ଅଧିକରୁ ଅଧିକ ଅନୁବାଦ ହେବାର ଆବଶ୍ୟକତା ରହିଛି। ଯେଉଁ ୧୦ ଜଣ ଆଜି ପୁରସ୍କାର ପାଇଛନ୍ତି, ତାହା ପୁରସ୍କାର ନୁହେଁ, ଏକ ନୂଆ ଦାୟିତ୍ବ ବୋଲି ସେମାନେ ବୁଝିବା ଦରକାର ବୋଲି ସେ କହିଥିଲେ।

‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୩୫ ବର୍ଷ ତଳେ ଚିରାଚରିତ ସାହିତ୍ୟ ପତ୍ରିକାଠାରୁ କିଛି ଭିନ୍ନ ସ୍ବାଦର ପତ୍ରିକା କରିବାର ଆଶା ନେଇ ‘କଥା’ ଜନ୍ମ ନେଇଥିଲା। ନୂଆ ପ୍ରତିଭାମାନଙ୍କୁ ଉତ୍ସାହିତ କରି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଥିଲା ‘କଥା’ର ମୂଳ ଲକ୍ଷ୍ୟ। ଗଳ୍ପ, ସାହିତ୍ୟ ଓ ଭାଷାକୁ ବଢ଼ାଇବା ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ। କବି ଓ କବିତା ନିଶ୍ଚିତ ଭାବେ ସାହିତ୍ୟର ମୁକୁଟ ହୋଇପାରନ୍ତି। କିନ୍ତୁ ସାଧାରଣ ଲୋକଙ୍କ ପାଖରେ ସାହିତ୍ୟ ଓ ଭାଷାକୁ ପହଞ୍ଚାଇବାକୁ ହେଲେ ଗଳ୍ପ ଏକ ବଳିଷ୍ଠ ମାଧ୍ୟମ। ଗଦ୍ୟ ଗଣତନ୍ତ୍ର ପାଇଁ ମଧ୍ୟ ଏକାନ୍ତ ଆବଶ୍ୟକ। ସାହିତ୍ୟ ଓ ରାଜନୀତି ଉଭୟର ଆଭିମୁଖ୍ୟ ହେଉଛି ସମାଜର ହିତ ଓ ସମାଜର ସେବା କରିବା। ଏଥିପାଇଁ ନୂ୍ଆ ଲେଖକମାନେ ଅଭିଜ୍ଞତା ହାସଲ ପାଇଁ ଉଦ୍ୟମ କରିବା ଦରକାର ବୋଲି ସେ କହିଥିଲେ।

‘କଥା’ର ସମ୍ପାଦକ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ସ୍ବାଗତ ଭାଷଣ ଦେଇଥିଲେ। ମଣିଷର ହୃଦୟ କିଭଳି ଏକା ସାଙ୍ଗରେ କବର ସ୍ଥାନ ଓ ଫୁଲ ବଗିଚା, ତାହାକୁ ଖୁବ୍‌ ସୁନ୍ଦର ଭାବେ ଡ. ଦାସ ଏହି ଅବସରରେ ବର୍ଣ୍ଣନା କରିଥିଲେ। ସେ କହିଲେ ପ୍ରତ୍ୟେକ ମଣିଷର ହୃଦୟ ଏକ କବର ସ୍ଥାନ। ଯେଉଁଠି ସେ ତା’ର ସହସ୍ର ସ୍ବପ୍ନକୁ ସମାଧି ଦେଇଥାଏ। ଅନ୍ୟ ପକ୍ଷରେ ନୀତି ନୂଆ ନୂଆ ସ୍ବପ୍ନ ଦେଖୁଥିବା ମଣିଷର ହୃଦୟକୁ ସେ ଫୁଲ ବଗିଚା ସହ ତୁଳନା କରିଥିଲେ। ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ସାହିତ୍ୟ, ଭାସ୍କର୍ଯ୍ୟ, ସଂସ୍କୃତି, ସାମାଜିକ ସୁରକ୍ଷା ସହିତ ‘ସମ୍ବାଦ’ ନୂଆ ପ୍ରତିଭାକୁ ସବୁବେଳେ ସୁଯୋଗ ଦେଇ ଆସିଛି। ସବୁବେଳେ ଲୋକଙ୍କ ସାଥୀରେ ଓ ସବୁଠାରୁ ଆଗରେ ଓଡ଼ିଶାବାସୀ ‘ସମ୍ବାଦ’କୁ ରଖିବାରେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର