ଭୁବନେଶ୍ୱର : ନିକଟରେ ଜାତିସଂଘ ଶିଳ୍ପବିକାଶ ସଂଗଠନ ବା ୟୁନିଡୋର ସହଯୋଗରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିନିର୍ମାଣ- ନବଉନ୍ମେଷ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଏଥିରେ ୩ଟି ଦିଗ, ୯ଟି ସ୍ତମ୍ଭ ଏବଂ ୮୦ଟି ସୂଚନାକୁ ନେଇ ବିଶାଳ ନବଉନ୍ମେଷ ସୂଚକାଙ୍କ ତିଆରି ହୋଇଛି। ହେଲେ ଏଥିରେ ଓଡ଼ିଶା ବଡ଼ ରାଜ୍ୟଗୁଡ଼ିକଙ୍କ ମଧ୍ୟରେ ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। କେବଳ ଝାଡ଼ଖଣ୍ଡ ଓ ବିହାର ଆମ ରାଜ୍ୟ ତଳେ ଅଛନ୍ତି। ସର୍ବଭାରତୀୟ ସ୍ତରରେ ବୃହତ ରାଜ୍ୟଗୁଡ଼ିକ ହାରାହାରି ୨୮.୧୨ନମ୍ବର ସ୍କୋର କରିଥିବାବେଳେ ଓଡ଼ିଶାର ସ୍କୋର ହେଉଛି ୨୩.୦୫। ଏହାସହ ବିଜିନେସ ପ୍ରସେସିଂ ଇନୋଭେସନ, ମାର୍କେଟିଂ ଆଣ୍ଡ ସେଲ୍ସ ଇନୋଭେସନ ତଥା ଆଡମିନିଷ୍ଟ୍ରେସନ ଆଣ୍ଡ ମ୍ୟାନେଜମେଣ୍ଟ ଇନୋଭେସନରେ ଓଡ଼ିଶା ସବୁଠୁ ତଳେ ଅଛି। ଏପରିକି ରାଜ୍ୟରେ ୪୫% ଶିଳ୍ପ ସଂସ୍ଥା ଆମ ଇନୋଭେସନ ଇକୋସିଷ୍ଟମରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ସମସ୍ତେ ଜାଣିଛନ୍ତି ନବଉନ୍ମେଷ ହିଁ ବିନିର୍ମାଣ, ନିଯୁକ୍ତି ଓ ଧାରଣୀୟ ବିକାଶର ଏନ୍ତୁଡ଼ିଶାଳ। ଉପରୋକ୍ତ ସୂଚକାଙ୍କ ସଂପୃକ୍ତ ରାଜ୍ୟର ଉତ୍ପାଦନ କ୍ଷେତ୍ରର ଭବିଷ୍ୟତ ସମ୍ପର୍କରେ ଠିକ୍ ସୂଚନା ଦେଇଥାଏ। ବିଶେଷକରି ଓଡ଼ିଶା ଭଳି ଏକ ଖଣିଜସମ୍ପଦରେ ଭରପୁର ରାଜ୍ୟର ଅର୍ଥନୀତିରେ ଉତ୍ପାଦ ଧାରଣୀୟ ବିକାଶର ସମ୍ଭାବନାକୁ ପରିପୂରଣ କରିଥାଏ। କିନ୍ତୁ ଦୁର୍ଭାଗ୍ୟର କଥା ଏହି ନବଉନ୍ମେଷ ସୂଚକାଙ୍କରେ ଓଡ଼ିଶାର ପାହ୍ୟା ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ ତଳ ଆଡ଼ୁ ତୃତୀୟ। ରାଜ୍ୟ ଅର୍ଥନୀତିର ଏହି ନକରାତ୍ମକ ଦିଗପ୍ରତି ରାଜ୍ୟ ସରକାର କେତେ ସଚେତନ ତାହା ଓଡ଼ିଶାବାସୀ ଜାଣିନାହାନ୍ତି। କିନ୍ତୁ ଅଜଣା ଚାଉଳ ଭାତଖାଇ ଶିଳ୍ପ ବିପ୍ଳବ ୪.୦କୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବରବାଦ କରିଥିବା ବିଜେଡିକୁ ଇତିହାସ କେବେ କ୍ଷମାଦେବ ନାହିଁ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।