ସୁପ୍ରିମ କୋର୍ଟରେ ଓଡ଼ିଶା ପ୍ରସଙ୍ଗ: ରଥଯାତ୍ରା ଅନୁମତି ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ

୨୦୨୦ରେ ସୁପ୍ରିମକୋର୍ଟରେ ଓଡ଼ିଶାର ଅନେକ ପ୍ରସଙ୍ଗ ଛାଇ ରହିଥିଲା। କରୋନା କଟକଣା ଯୋଗୁଁ ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ଫିଜିକାଲ ଶୁଣାଣି ପରିବର୍ତ୍ତେ ଭର୍ଚୁଆଲ୍‌ (ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ) ଶୁଣାଣି ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏପ୍ରକାର ଶୁଣାଣି ଚାଲିଛି। ଭାରତର ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲା ଗୁଡ଼ିକର ଶୁଣାଣି କରି ବିଶ୍ୱରେ ଏକ ନମ୍ବର ସ୍ଥାନ ହାସଲ କରିଥିବାବେଳେ ଏହି ସମୟ ଅବଧିରେ ଓଡ଼ିଶାର ପ୍ରମୁଖ ମାମଲା ଗୁଡ଼ିକ ସମ୍ବାଦପତ୍ରର ଶିରୋନାମା ପାଲଟିଥିଲା। ଚଳିତ ବର୍ଷ ଜାନୁଆରିରୁ ଡିସେମ୍ବର (ସୁପ୍ରିମକୋର୍ଟରେ ଶୀତ ଅବକାଶ ପର୍ଯ୍ୟନ୍ତ) ସୁପ୍ରିମକୋର୍ଟରେ ଓଡ଼ିଶା ସମ୍ପର୍କିତ ପାଖାପାଖି ୨୦୦ ମାମଲାର ଶୁଣାଣି ହୋଇଥିଲା ଯେଉଁଥିରେ ନବେ ପ୍ରତିଶତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିଲା।
ସବୁଠାରୁ ଚର୍ଚ୍ଚିତ ମାମଲା
୨୦୨୦ରେ ସୁପ୍ରିମକୋର୍ଟରେ ଓଡ଼ିଶାର ଯେଉଁସବୁ ମାମଲାର ଶୁଣାଣି ହୋଇଥିଲା ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ମାମଲା ରହିଥିଲା ଏକାଧିକ ସର୍ତ୍ତ ସହିତ ପୁରୀ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବା। ପ୍ରଥମେ ସୁପ୍ରିମକୋର୍ଟ କରୋନାର ପ୍ରକୋପ ନେଇ ରଥାଯାତ୍ରାକୁ ଅନୁମତି ଦେଇନଥିଲେ। କିନ୍ତୁ ଅନେକ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିର୍ଦ୍ଦେଶର ପୁନଃ ବିଚାର କରିବା ଓ ଆଂଶିକ ପରିବର୍ତ୍ତନ କରି ଅନୁମତି ଦେବା ପାଇଁ ପିଟିସନ୍ ଦାଖଲ କରାଯିବା ପରେ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ବିନା ଭକ୍ତରେ ତଥା ୧୨ଟି ସର୍ତ୍ତ ସହିତ କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଥିଲେ। ରାୟ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗିରହିଥିବା ଆଶଙ୍କା ଓ ସଂଶୟ ଦୂର ହୋଇ ପାରିଥିଲା।


ଏଥିସହିତ ସୁପ୍ରିମକୋର୍ଟ ବିନା ଟେଷ୍ଟିଂରେ ପ୍ରବାସୀମାନେ ଓଡ଼ିଶା ଫେରି ପାରିବେ ବୋଲି ଗୁରୁତ୍ୱପୂର୍ଣ୍ଣ ଆଦେଶ ଶୁଣାଇଥିଲେ। କରୋନା ପଜିଟିଭ୍‌ ଥିଲେ ଏବଂ ଆସିବା ପୂର୍ବରୁ କୋଭିଡ୍-୧୯ ପରୀକ୍ଷଣ ଜରୁରୀ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ସ୍ଥିଗିତାଦେଶ ଜାରି କରିଥିଲେ। ଅନ୍ୟାନ୍ୟ ପ୍ରମୁଖ ମାମଲା ଗୁଡ଼ିକ ମଧ୍ୟରେ ବାରିପଦା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ବନାମ ବିମଳ ଲୋଚନ ଦାସଙ୍କ ସମେତ ଦେଶର ବିଭିନ୍ନ ସମବାୟ ବ୍ୟାଙ୍କ ଓ ଋଣ ଖିଲାପକାରୀଙ୍କ ଦ୍ୱାରା ଦାଖଲ ୫୦ରୁ ଊର୍ଧ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସମବାୟ ଋଣ ଖିଲାପୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିପାରିବେ ବୋଲି ରାୟ ପ୍ରଦାନ କରିଥିଲେ। ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ କମ୍ ବୋଲି ଦର୍ଶାଇ ଚାକିରି କରିବା ଠିକ୍ କାର୍ଯ୍ୟ ନୁହେଁ ବୋଲି ଓଡ଼ିଶାର ଅଜିତ୍ ଦାସଙ୍କ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଗୋଟିଏ ଛାତ ତଳେ ଦେଶର ସମସ୍ତ ଟ୍ରିବ୍ୟୁନାଲ ଗଠନ ନେଇ ନ୍ୟାସନାଲ ଟ୍ରିବ୍ୟୁନାଲ କମିସନ ଗଠନକୁ ନେଇ ଓଡ଼ିଶାର ରେଲୱେ କ୍ଲେମ୍‌ସ ଟ୍ରିବ୍ୟୁନାଲ ଓ ଅନ୍ୟମାନଙ୍କ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ବାରବାଟୀ ଜମି ଜବରଦଖଲ ମାମଲାରେ ଆର୍ଶିବାଦ ହେହେରାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍ ଚିଟ୍ ଦେଇଥିଲେ।
ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ
୨୦୨୦ରେ ଓଡ଼ିଶା ସମ୍ପର୍କିତ ଏକାଧିକ ମାମଲା ଗୁଡ଼ିକର ଶୁଣାଣି ସମୟରେ ସୁପ୍ରିମକୋର୍ଟ କିଛି ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। ଖଣି ଲିଜ୍ ନିୟମ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀମାନଙ୍କ ବିରୋଧରେ କାର୍ଯ୍ୟାଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ର ଏକ ଉଚ୍ଛେଦ ସମ୍ପର୍କିତ ମାମଲାର ଆଦେଶକୁ ୩୬ ବର୍ଷ ଧରି କାର୍ଯ୍ୟକାରୀ ନହେବା ନ୍ୟାୟ ବ୍ୟବସ୍ଥା ପ୍ରତି ଧୋକା ବୋଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହିତ ୩ ମାସ ଭିତରେ ଉଚ୍ଛେଦ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଯିବାର ନିର୍ଦ୍ଦେଶ ସୁପ୍ରିମକୋର୍ଟ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଆଇନଜୀବୀମାନେ ଆନ୍ଦୋଳନରୁ ଓହରିବା ପରେ ଜିଲ୍ଲା ଅଦାଲତମାନଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ହାଇକୋର୍ଟକୁ ଜଣାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟକୁ ଜବାବ ତଲବ
ସୁପ୍ରିମକୋର୍ଟ ଚଳିତ ବର୍ଷ ଓଡ଼ିଶା ସମ୍ପର୍କିତ କିଛି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କୁ ନୋଟିସ୍ ମଧ୍ୟ ଜାରି କରିଥିଲେ। କରୋନା ଯୋଗୁଁ ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ବନ୍ଦ ହେବା, ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହୋଇନଥିବା ଭଳି ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଜବାବ୍ ତଲବ କରିଥିଲେ। ଏତଦ୍‌ବ୍ୟତୀତ କନ୍ଧମାଳ ଦଙ୍ଗାକୁ ନେଇ ଏନ୍‌ଏଚ୍‌ଆରସିଙ୍କ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟକୁ ଜରିମାନା
ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ସତ୍ୟପାଠ ଓ ଏସ୍‌ଏଲ୍‌ପି ଦାଖଲରେ ବିଳମ୍ବ ନେଇ ଜରିମାନା ଲଗାଇଥିଲେ। ରାଜ୍ୟରେ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କ୍ଷେତ୍ରରେ ହେଉଥିବା ବିଳମ୍ବକୁ ନେଇ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିବା ବେଳେ ଗୋଷ୍ଠୀ ପାକଶାଳା ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ନଥିବାରୁ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ ସୁପ୍ରିମକୋର୍ଟ। ଅନ୍ୟ ଏକ ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ଜବାବ ଦାଖଲରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇଥିଲେ। ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ବିବାଦୀୟ ଓମ୍‌ ବାବାଙ୍କୁ ସୁପ୍ରିମକୋର୍ଟ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ। ଏକ ପେନ୍‌ସନ ମାମଲାରେ ଠିକଣା ସମୟରେ ରାଜ୍ୟ ସରରକାର ମାମଲା ପରିଚାଳନା କରିବାରେ ବିଫଳ ପାଇଁ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ଜରିମାନା ଲଗାଇଥିଲେ।
ହାଇକୋର୍ଟ ରାୟ ଖାରଜ
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପଦୋନ୍ନତି ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ତଥା ଚାକିରିରେ ଥଇଥାନ ପାଇଁ ମେଡିକାଲ ସାର୍ଟିଫିକେଟ୍‌କୁ ପ୍ରମାଣ ରୂପେ ବିଚାର କରାଯିବାକୁ ନେଇ ଗଣେଶ ଚନ୍ଦ୍ର ସାହୁଙ୍କ ସପକ୍ଷରେ ହାଇକୋର୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶନ ପାଇଁ ୟୁଜିସି ଗାଇଡ୍‌ଲାଇନ୍‌କୁ ବିରୋଧ କରି ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର