‌‌ଓଡ଼ିଶା ସାମ୍ବାଦିକତା ପୁରସ୍କାର ଉତ୍ସବରେ ପ୍ରସାରଭାରତୀ ଅଧ୍ୟକ୍ଷଙ୍କ ଆହ୍ବାନ : ‘ଦେଶର ଛବି ମଳିନ ହେବାକୁ ଦିଅ ନାହିଁ’

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତ ଭଳି ବିବିଧତାର ଏକ ଦେଶରେ ସୋରିଷ ଫୁଟିଲେ ବି ପାଶ୍ଚାତ୍ୟ ରାଷ୍ଟ୍ରମାନେ ତାକୁ ପ୍ରସଙ୍ଗ କରୁଛନ୍ତି। ତେବେ ଆମ ବ୍ୟବସ୍ଥା ଓ ଅନୁଷ୍ଠାନ ଠିକ୍‌ ଭାବେ କାର୍ଯ୍ୟ କରୁଛି ନା ନାହିଁ, ତାହା ଦେଖିବା ଆମ ସାମ୍ବାଦିକମାନଙ୍କ ଦାୟିତ୍ବ। ସେହିପରି ଦେଶର ଭାବମୂର୍ତ୍ତି ଯେପରି କ୍ଷୁଣ୍ଣ ନ ହୁଏ, ଗଣମାଧ୍ୟମ ତାହା ଦେଖିବା ଉଚିତ ବୋଲି ପ୍ରସାର ଭାରତୀର ଅଧ୍ୟକ୍ଷ ଏ. ସୂର୍ଯ୍ୟପ୍ରକାଶ ମତ ଦେଇଛନ୍ତି। ଦିଲ୍ଲୀର କନଷ୍ଟିଚ୍ୟୁସନ୍‌ କ୍ଲବଠାରେ ଶନିବାର ସଂଧ୍ୟାରେ ପଲ୍ଲୀବାଣୀ ଦ୍ବାରା ଆୟୋଜିତ ଓଡ଼ିଶା ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟ ନୃତ୍ୟର ପ୍ରୋତ୍ସାହନ ପାଇଁ ଦର୍ଶକମାନେ ଡିଡି ଭାରତୀ କାର୍ଯ୍ୟକ୍ରମ ଦେଖିବାକୁ ଆହ୍ବାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରଦୂତ ଅବକାଶ ଖଟୁଆ ଓଡ଼ିଶାକୁ ଏକ ମଦମୁକ୍ତ ରାଜ୍ୟ କରିବା ଦିଗରେ ସାମ୍ବାଦିକମାନଙ୍କ ଭୂମିକା ବିଷୟରେ ସୂଚାଇ ଦେଇଥିଲେ। ସେହିପରି ଓଡ଼ିଶା ବାହାରେ ବାସ କରୁଥିବା ୪୦ ଭାଗ ଓଡ଼ିଆଙ୍କ ପ୍ରତି ଓଡ଼ିଆ ସାମ୍ବାଦିକମାନଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ ସେ ଚେତାଇ ଦେଇଥିଲେ। ଗଣମାଧ୍ୟମ ଏବେ ପୂର୍ବାପେକ୍ଷା ସବୁଠୁ ଅଧିକ ଆହ୍ବାନର ସମ୍ମୁଖୀନ ହୋଇଥିବାରୁ ପ୍ରସାରଣ ଓ ପ୍ରକାଶନର ଚିତ୍ର, ଚରିତ୍ର ମଧ୍ୟ ବଦଳିବା ଆବଶ୍ୟକ ବୋଲି ମତ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ‌ଦେଇ ପିଆଇବିର ମହାନିର୍ଦ୍ଦେଶକ ସୀତାଂଶୁ କର ସାମାଜିକ ଗଣମାଧ୍ୟମର ଆବିର୍ଭାବ ସମସ୍ତ ଜନତାଙ୍କୁ ସାମ୍ବାଦିକରେ ପରିଣତ କରିଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ କୁଳପତି ସୁଷମା ଯାଦବ ଲୋକେ ଆଉ ଗଣମାଧ୍ୟମକୁ ବିଶ୍ବାସ କରୁନଥିବାରୁ ବିଶ୍ବସନୀୟତା ଫେରି ପାଇବା ଦିଗରେ ସାମ୍ବାଦିକମାନେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି ‘ନ୍ୟୁଜ୍‌ ଓ ଭ୍ୟୁଜ୍‌’ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଲେ, ନ୍ୟୁଜ୍‌ ହିଁ ମୌଳିକ ଭାବି ସାମ୍ବାଦିକମାନେ କାମ କରି ଚାଲିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ, ପ୍ରମେୟର ବାର୍ତ୍ତା ସଂପାଦକ ଧୀରେନ୍ଦ୍ର ମିଶ୍ର, ବିବିସି ୱାର୍ଲଡ୍‌ର ସାମ୍ବାଦଦାତା ସଂଦୀପ ସାହୁ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ, ନ୍ୟୁଜ୍‌-୭ର ସଂପାଦକ ଅର୍ଦ୍ଧେନ୍ଦୁ ଦାସ, ଧରିତ୍ରୀର ସାମ୍ବାଦିକା ସସ୍ମିତା ପାଇକରାୟ ଓ ସାମ୍ବାଦିକ ସୌଭାଗ୍ୟ ସୁନ୍ଦରରାୟଙ୍କ ସମେତ ଦୈନିକ ଖବରକାଗଜ ‘ଓଡ଼ିଶା ପୋଷ୍ଟ’କୁ ‘ଓଡ଼ିଶା ସାମ୍ବାଦିକ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସମ୍ବର୍ଧିତ କରାଯାଇଥିଲା।
ପଲ୍ଲୀବାଣୀର ସଭାପତି ରାମଚନ୍ଦ୍ର ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବଜ୍ୟୋତି ଦାସ ଅତିଥି ପରିଚୟ ଦେଇଥିଲେ। ଇପସିତ ପ୍ରତିବିମ୍ବିତ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂଗ୍ରାମ ଧର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର