ଗୁଣାତ୍ମକ ରାୟ ପ୍ରଦାନ ଉପରେ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ବ

ଓଡ଼ିଶା ଜୁଡିସିଆଲ ଏକାଡେମିରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ

କଟକ-ସିଡିଏ : ସାମାଜିକ ବ୍ୟବସ୍ଥା ଓ ବିଚାରଗତ ଢାଞ୍ଚାକୁ ଦୃଷ୍ଟିରେ ରଖି ନ୍ୟାୟିକ ପ୍ରକ୍ରିୟା ଆଗେଇବା ଉଚିତ। ବର୍ତ୍ତମାନ ନ୍ୟାୟପାଳିକାରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତ୍ବରିତ ଫୈସଲା ଜରୁରୀ ହୋଇ ପଡିଛି। ଚାପଗ୍ରସ୍ତ ନ ହୋଇ ସୁସ୍ଥ ମନରେ ବିଚାରପତିମାନେ ମାମଲା ଗୁଡିକର ଶୁଣାଣି କରିବା ଦିଗରେ ଯତ୍ନଶୀଳ ହେବା ଉଚିତ୍। ଫଳରେ କମ୍ ସମୟରେ ଅଧିକ ଗୁଣାତ୍ମକ ରାୟ ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜା‌ଭେରୀ କହିଛନ୍ତି। ଆଜି ଓଡ଼ିଶା ଜୁଡିସିଆଲ ଏକାଡେମିର ମୁଖ୍ୟ ବିଚାରପତି ଜଷ୍ଟସ ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟରେ ‘ମାମଲାର ତ୍ବରିତ ଫୈସଲା ପାଇଁ ବିଚାରଗତ ଦକ୍ଷତା ବୃଦ୍ଧି, ସାକ୍ଷ୍ୟ ପ୍ରମାଣର ମୂଲ୍ୟ ନିର୍ଦ୍ଧାରଣ, ଏବଂ ରାୟ ଲେଖିବାର କୌଶଳ ବିକାଶ’ ଉପରେ ଏକ ଦୁଇ ଦିନିଆ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀ ଏପରି କହିଛନ୍ତି। କାର୍ଯ୍ୟକ୍ରମରେ ଓଡିଶା ଜୁଡିସିଆଲ ଏକାଡେମି ଏବଂ ଟ୍ରେନିଂ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ବିଚାରପତିଙ୍କ ଦକ୍ଷତା ଓ ମାମଲାର ତ୍ବରିତ ଫୈସଲା ଉପରେ ଜଷ୍ଟିସ ମିଶ୍ର ଆଲୋକପାତ କରିଥିଲେ। ବିଚାର ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ ଗୁରୁତ୍ବାରୋପ କରିଥିଲେ। ଏହି କର୍ମଶାଳାରେ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ୍. କିରୁବାକରଣ ଯୋଗ ଦେଇ ରାୟ ଲେଖିବାର କୌଶଳ ଉପରେ ଆଲୋକପାତ କରିଥିଲେ। ପୁନେ ସାଇବର ସକ୍ୟୁରିଟିର ଜାତୀୟ ମୁଖ୍ୟ ପରାମର୍ଶଦାତା ଡକ୍ଟର ହାରୋଲ୍‌ଡ ଡି କୋଷ୍ଟା ଯୋଗ ଦେଇ ସାଇବର ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଶା ଜୁଡିସିଆଲ ଏକାଡେମି ଏବଂ ଟ୍ରେନିଂ କମିଟି ସଦସ୍ୟ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ ବିଶ୍ବଜିତ ମହାନ୍ତି, ଜଷ୍ଟିସ ଜେ.ପି.ଦାସ, ଜଷ୍ଟିସ ରଘୁବୀର ଦାସ, ଜଷ୍ଟିସ ଏ.ଏସ୍.ନାଇଡୁ, ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କ ସହିତ ବହୁ ବିଚାରବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି କର୍ମଶାଳା ରବିବାର ଦିନ ଉଦଯାପିତ ହେବ।

ସମ୍ବନ୍ଧିତ ଖବର