ନିୟମିତ କର, ଅନ୍ୟଥା ସବୁ କର୍ମଚାରୀଙ୍କୁ ଠିକାରେ ରଖ

ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ଦାବିକୁ ସମର୍ଥନ ଜଣାଇଲେ ସୌମ୍ୟରଂଜନ

ସମାନ କାମକୁ ସମାନ ଦରମା ନୀତିର ବିରୋଧାଚରଣ
ଦାବି ହାସଲ ପାଇଁ ସଂଗ୍ରାମ କରିବାକୁ ଆହ୍ଵାନ

ଭୁବନେଶ୍ୱର : ରାଜ୍ୟ ସରକାର ସମାନ କାମକୁ ସମାନ ଦରମା ଦିଅନ୍ତୁ। ସରକାରୀ କର୍ମଚାରୀ ଯେଭଳି ହାରରେ ଦରମା ପାଉଛନ୍ତି, ସରକାରୀ ବ୍ୟବସ୍ଥାରେ କାମ କରୁଥିବା ଠିକା ବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତୁରନ୍ତ ଅନୁରୂପ ହାରରେ ଦରମା ଓ ପ୍ରାପ୍ୟ ଦିଆଯାଉ। ଅନ୍ୟଥା ପୂର୍ଣ୍ଣ ସରକାରୀ ସୁବିଧା ଉପଭୋଗ କରୁଥିବା କର୍ମଚାରୀଙ୍କୁ ବି ଚୁକ୍ତିଭିତ୍ତିକ ବା ଠିକା କର୍ମଚାରୀ ଭାବେ ବିବେଚିତ କରାଯାଉ।

ଓଡ଼ିଶା ସରକାରୀ କର୍ମଚାରୀ ମହାସଂଘ ଓ ଓଡ଼ିଶା ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘର ଆନ୍ଦୋଳନକୁ ସମର୍ଥନ କରି ଆଜି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ଦୃଢ଼ ମତ ରଖିଛନ୍ତି। ଆଜି ଅପରାହ୍ନରେ ଲୋୟର ପିଏମ୍‌ଜି ଯାଇ ଶ୍ରୀ ପଟ୍ଟନାୟକ ଏହି କର୍ମଚାରୀଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ଦାବି ହାସଲ ପାଇଁ ସଂଗ୍ରାମ କରିବା ଲାଗି ଆହ୍ଵାନ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ରାଜ୍ୟ ସରକାର ନିଜ ଦାୟିତ୍ୱରୁ ଖସିଯିବା ଲାଗି ଆଉଟ୍‌ସୋର୍ସିଂ ବା ଚୁକ୍ତି ଭିତ୍ତିରେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। କାରଣ, ଦିନ ଥିଲା ରାଜ୍ୟରେ ୫ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ। ଆଜି ଦିନରେ କାମ ସଂଖ୍ୟା ଯଥେଷ୍ଟ ବଢିଥିବା ସରକାରୀ କର୍ମଚାରୀ ଦାବି କରୁଛନ୍ତି। ଅଥଚ ସେମାନଙ୍କ ସଂଖ୍ୟା ୨ଲକ୍ଷ ୪୦ ହଜାର ଭିତରେ ସୀମିତ ରହିଛି। ଅର୍ଥାତ୍‌ ଏହି ଚୁକ୍ତିଭିତ୍ତିକ ବା ଆଉଟ୍‌ସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀମାନେ ହିଁ ମୁଖ୍ୟ କାର୍ଯ୍ୟ ତୁଲାଉଛନ୍ତି। ଏପରିସ୍ଥଳେ ବେଶୀରୁ ବେଶୀ କାମ କରୁଥିବା କର୍ମଚାରୀ ସବୁଠାରୁ କମ୍‌ ଦରମା କିଭଳି ପାଇବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ରାଜ୍ୟର ଶାସନ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଏମିତିରେ ହିଁ ଆମ ରାଜନୈତିକ ବ୍ୟବସ୍ଥା ଠିକାରେ ଚାଲିଛି। ପାଞ୍ଚ ବର୍ଷ ପାଇଁ ଲୋକପ୍ରତିନିଧି ନିର୍ବାଚିତ ହେଉଛନ୍ତି। କିନ୍ତୁ ଶାସନରେ ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅଧା ସରକାରୀ କର୍ମଚାରୀ ନିୟମିତ ରହିବେ, ଆଉ ଅଧା ଠିକାରେ ରହିବେ, ଏହା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ସମାନ କାମକୁ ସମାନ ଦରମା ନିର୍ଦେଶର ବିରୁଦ୍ଧାଚରଣ କରୁଛି। ସରକାରୀ ବ୍ୟବସ୍ଥାରେ ଥିବା ସମସ୍ତ କର୍ମଚାରୀ ଠିକାରେ କାମ କରନ୍ତୁ ବା ସମସ୍ତଙ୍କୁ ନିୟମିତ କରାଯାଉ, ଏ ମଧ୍ୟରୁ ଗୋଟିଏ ନୀତିକୁ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବାକୁ ପଡ଼ିବ। ଅନ୍ୟଥା ବାଧ୍ୟବାଧ୍ୟକତାରେ ସରକାରଙ୍କ ସର୍ତ ମାନି ଠିକା ବା ଚୁକ୍ତିଭିତ୍ତିରେ ଚାକିରି କରିଥିବା କର୍ମଚାରୀ ସିଂହଭଳି ଲଢେଇ କରିବା ଲାଗି ସେ ଆହ୍ଵାନ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ଠିକା ବା ଚୁକ୍ତିଭିତ୍ତିକ ପଦବି ନାମରେ ସରକାରଙ୍କ ନିଯୁକ୍ତିକୁ ବିରୋଧ କରି ଓ଼ଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ପକ୍ଷରୁ ଗତକାଲି ବିଶାଳ ପ୍ରତିବାଦ ସଭା କରାଯାଇଥିଲା। ସେକ୍ରେଟାରୀ ଜେନେରାଲ ପ୍ରଭାତ ମହାନ୍ତିଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଥିଲା। ଯେଉଁଥିରେ କର୍ମଚାରୀମାନେ ଦର୍ଶାଇଥିଲେ, ୨୦୧୬ ଜାନୁଆରି ୧ ତାରିଖରୁ ସପ୍ତମ ବେତନ କମିସନ ସୁପାରିସ ଲାଗୁ କରି ସରକାର ଗ୍ରେଡ୍‌ ପେ ବ୍ୟବସ୍ଥାର ଉଚ୍ଛେଦ କରିଛନ୍ତି। ହେଲେ ସେମାନଙ୍କ କ୍ଷେତ୍ରରେ ଏହା ବଳବତ୍ତର ରହିଛି। ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ କୌଣସି କାରଣ ନଥାଇ ସେମାନଙ୍କୁ ପୂର୍ଣ୍ଣ ସରକାରୀ କର୍ମଚାରୀ ମାନ୍ୟତା ନ ମିଳିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବର୍ତମାନର ମହଙ୍ଗା ବଜାରରେ ଏହି ଦରମାରେ ପରିବାର ଚଳାଇବା କିଭଳି ଦୁର୍ବିସହ ହୋଇପଡୁଛି, ସେ ନେଇ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଥରେ ଠିକା ବା ଚୁକ୍ତିଭିତ୍ତିକ ପଦବିରେ ନିଯୁକ୍ତି ପାଇବା ପରେ ସେମାନଙ୍କୁ କିଭଳି ଶୋଷଣ କରାଯାଉଛି, ଆଉଟ୍‌ସୋର୍ସିଂ ସଂସ୍ଥା କିଭଳି ଯାତନା ଦେଉଛନ୍ତି, ସେ ସଂପର୍କରେ ଆନ୍ଦୋଳନକାରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ହେଲେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଇନାହାନ୍ତି।

ସମ୍ବନ୍ଧିତ ଖବର