ଖଦି ବୋର୍ଡ ସମିତି: ତାଲିକାରେ ମୃତ ସଦସ୍ୟ

ଭୁବନେଶ୍ୱର, (ତଥ୍ୟ): ଓଡ଼ିଶା ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟକାରୀ ସମିତିର ସଦସ୍ୟତା ତାଲିକାରେ ୩ ଜଣ ପରଲୋକଗତ ସଦସ୍ୟ ଥିବା ବେଳେ ଦୁଇ ଜଣ ବିଜେପି ନେତା ଅଛନ୍ତି। ବୟସାଧିକ କାରଣରୁ ଚଳପ୍ରଚଳ ହୋଇପାରୁନଥିବା ବ୍ୟକ୍ତି ମଧ୍ୟ ଏହି ତାଲିକାରେ। ନୂତନ ସମିତି ଗଠନ ପାଇଁ ସରକାରଙ୍କ ନିକଟରେ ତିନି ବର୍ଷରୁ ଅଧିକ ସମୟ ଧରି ପ୍ରସ୍ତାବ ପଡ଼ିଛି। ଏହା ଉପରେ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ କାର୍ଯ୍ୟକାରୀ ସମିତିର ବୈଠକ ଦୀର୍ଘଦିନ ହେଲା ବସିପାରୁନାହିଁ।

ଖଦିବୋର୍ଡର ଦୈନନ୍ଦିନ କାର୍ଯ୍ୟ ଚଳାଇବା ଲାଗି ଆବଶ୍ୟକ ପଡ଼ୁଥିବା ଅର୍ଥକୁ ଏହି ସମିତି ତାହାର ବୈଠକରେ ପାରିତ କରିଥାଏ। ବୈଠକ ନ ବସିବା ଯୋଗୁ ବୋର୍ଡର ବଜେଟ୍‌କୁ ଅନୁମୋଦନ ମିଳିପାରୁନାହିଁ। ଏଥିଯୋଗୁ ନୂଆ ନୂଆ ଯୋଜନା ହାତକୁ ନେବା ସହିତ ଖଦି ପ୍ରଚାର ପ୍ରସାର ଦିଗରେ ସମସ୍ୟା ଉପୁଜୁଛି। ଏପରିକି ଖଦି ବୋର୍ଡ କର୍ମଚାରୀମାନଙ୍କର ଦରମାକୁ ମଧ୍ୟ ସମିତି ବୈଠକରେ ଅନୁମୋଦନ କରାଯାଇଥାଏ। ଦୀର୍ଘଦିନ ଧରି ବୈଠକ ନ ବସିବା ଯୋଗୁ ଆଗାମୀ ଦିନରେ କର୍ମଚାରୀମାନେ ଦରମା ପାଇବା ଘେନି ଆଶଙ୍କାରେ ଅଛନ୍ତି।

ଖଦି ବୋର୍ଡର କାର୍ଯ୍ୟକାରୀ ସମିତିଟି ୧୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ବେଳେ ଏଥିରେ ସରକାରଙ୍କ ଦ୍ୱାରା ନିଯୁକ୍ତ ବୋର୍ଡର ସଭାପତି, ଶିଳ୍ପ ନିର୍ଦ୍ଦେଶକ, ସମବାୟ ନିବନ୍ଧକ, ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶକ ସଦସ୍ୟ ଥିବା ବେଳେ ବୋର୍ଡର ସଚିବ ଏହାର ସଂଯୋଜକ ଭାବେ କାର୍ଯ୍ୟ କରିଥାନ୍ତି। ଏମାନଙ୍କ ବ୍ୟତୀତ ୫ ଜଣ ବେସରକାରୀ ବ୍ୟକ୍ତିଙ୍କୁ ସମିତିର ସଦସ୍ୟ ଭାବେ ନିଆଯାଇଥାଏ।

ରାଜ୍ୟ ସରକାର ଖଦି ବୋର୍ଡର ନୂତନ ସଭାପତି ନିଯୁକ୍ତି କରିବା ସମୟରେ ସାଧାରଣତଃ କାର୍ଯ୍ୟକାରୀ ସମିତିର ପୁନର୍ବିନ୍ୟାସ କରିଥାନ୍ତି। କିନ୍ତୁ ବର୍ତ୍ତମାନର ସଭାପତି ନିଯୁକ୍ତ ହେବା ପରଠାରୁ ପୁରୁଣା ସମିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଇତିମଧ୍ୟରେ ତାଲିକାରେ ଥିବା ତିନିଜଣ ଆରପାରିକୁ ଚାଲିଯାଇଥିବା ବେଳେ ଜଣେ ସଦସ୍ୟ ବୟସାଧିକ କାରଣରୁ ବୋର୍ଡ ବୈଠକରେ ସାମିଲ ହେବା ସମ୍ଭବ ହୋଇପାରୁନାହିଁ। ସେହିଭଳି ମେଣ୍ଟ ସରକାର ଅମଳରୁ ଯେଉଁମାନେ ବିଜେପିରୁ ବୋର୍ଡର ସଦସ୍ୟ ଥିଲେ ସେମାନେ ବୈଠକକୁ ଆସୁନାହାନ୍ତି। ଏଥିଯୋଗୁ ଖଦି ବୋର୍ଡର କାର୍ଯ୍ୟକାରୀ ସମିତି ବୈଠକ ବସିପାରୁନାହିଁ।

ମିଳିଥିବା ସୂଚନାନୁଯାୟୀ ନୂତନ ସମିତି ଗଠନ ସକାଶେ ସରକାରଙ୍କ ନିକଟରେ ପ୍ରସ୍ତାବ ପ୍ରାୟ ୩ ବର୍ଷ ଧରି ପଡ଼ିରହିଛି। ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇପାରୁନାହିଁ। ଖଦିର ପ୍ରଚାର ପ୍ରସାର ସହିତ ରାଜ୍ୟରେ ଆତ୍ମନିଯୁକ୍ତି ଯୋଜନାରେ ଯୁବକ ଯୁବତୀମାନଙ୍କୁ ସାମିଲ ଲାଗି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ଏହାର କାର୍ଯ୍ୟକାରୀ ସମିତି ନ ବସିବା ଯୋଗୁ ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ସରକାର ତୁରନ୍ତ ନୂତନ କାର୍ଯ୍ୟକାରୀ ସମିତି ଗଠନ ସହିତ ବୋର୍ଡର ବୈଠକ ଡାକିବାକୁ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର