‘ଓଡ଼ିଶାରେ କୃଷି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ମାରୁତି ମିଡିଆ ଦ୍ୱାରା ପ୍ରକାଶିତ ସମ୍ବାଦ- ଫିଚର ଧର୍ମୀ ପତ୍ରିକା ‘ଗେଟ୍ୱେ ଓଡ଼ିଶା’ର ଏକ ସ୍ୱତନ୍ତ୍ର ସଂସ୍କରଣ ‘ଓଡ଼ିଶାରେ କୃଷି’ ଏଠାରେ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର ପୁସ୍ତକଟିକୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଚଢ଼ା, କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର- ସିଫାର ନିର୍ଦ୍ଦେଶକ ଡକ୍ଟର ସରୋଜ କୁମାର ସ୍ୱାଇଁ ଏବଂ ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟର ଯୁବ କୃଷି ଉଦ୍ୟୋଗୀମାନଙ୍କ ନିମନ୍ତେ ଏହି ପୁସ୍ତକଟି ବେଶ୍ ସହାୟକ ହେବ ବୋଲି ଅତିଥିମାନେ ଆଶା ପୋଷଣ କରିଥିଲେ ।

ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ସମ୍ପାଦକ ଦିଲୀପ ମିଶ୍ର ପୁସ୍ତକଟି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ମାରୁତି ମିଡିଆ ପରିବାରର ଉପଦେଷ୍ଟା କମଳାକାନ୍ତ ମହାନ୍ତି ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ‘ଓଡ଼ିଶାରେ କୃଷି’ର ପ୍ରକାଶିକା ରଶ୍ମିତା ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୁସ୍ତକର ଲେଖକବୃନ୍ଦ ଏବଂ ଉପଦେଷ୍ଟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ‘ଓଡ଼ିଶାରେ କୃଷି’ ପୁସ୍ତକରେ ରାଜ୍ୟରେ ଚାଷ ହେଉଥିବା ଶସ୍ୟ ଜାତୀୟ ଫସଲ, ଡାଲି ଜାତୀୟ ଫସଲ, ତୈଳବିଜ, ପନିପରିବା, ଫଳ, ଫୁଲ, ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିଛି । ଏହାସହିତ ପ୍ରାଣୀ ସମ୍ବଳ, ସାର, ଖତ, ଜଳସେଚନ ଆଦି ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର ଲେଖାମାନ ରହିଛି । ଯୁବ ଉଦ୍ୟୋଗୀମାନଙ୍କୁ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁସ୍ତକଟିକୁ ପ୍ରସ୍ତୁତ କରାଯାଇଛି ।

 

ସମ୍ବନ୍ଧିତ ଖବର