ମୃତଦେହ ଆଣି ଆସିଥିବା ଆମ୍ବୁଲାନ୍ସ ଅଟକ

ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପିପିଲି: ପିପିଲି ଥାନା ପାଣିଦୋଳ ଗାଁର ନିର୍ମାଣ ଶ୍ରମିକ ପ୍ରଦୀପ କୁମାର ସୁବୁଦ୍ଧି(ସିପୁ-୨୭) ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଟାଉନରେ ଏକ ଆପାର୍ଟମେଂଟ କାମରେ ନିୟୋଜିତ ଥିଲେ । ସେଠାରେ କାର୍ଯ୍ୟରତ ସମୟରେ ଏକ ଦୁର୍ଘଟଣାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ଆନ୍ଧ୍ରରୁ ଏକ ଆମ୍ବୁଲାନ୍ସ ମୃତ ଶରୀର ଆଣି ଆଜି ରାତିରେ ପାଣିଦୋଳ ଗାଁକୁ ଆସିଥିଲା । ତେବେ ସିପୁକୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ଅଭିଯୋଗ ଆଣି ଉକ୍ତ ଆମ୍ବୁଲାନ୍ସକୁ ଗ୍ରାମବାସୀ ଦୀର୍ଘ ୨ଘଂଟା ଧରି ସେଠାରେ ଅଟକ ରଖିଥିଲେ । ସିପୁର ମୃତ୍ୟୁ ସମ୍ପର୍କିତ କାଗଜପତ୍ର ଦେବାକୁ ଅଡ଼ିବସିଥିଲେ ।

ପାଣିଦୋଳ ଗାଁର ନବକିଶୋର ବାରିକଙ୍କ ସାନପୁଅ ସିପୁ ଦୀର୍ଘ ୮ବର୍ଷ ହେବ ଜଣେ ଓଡ଼ିଆ ଠିକାଦାରଙ୍କ ଅଧିନରେ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟ କରୁଥିଲେ । ଗତକାଲି ସେଟ୍ରିଂ ଲୁହା ପ୍ଲେଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକଙ୍କୁ ଫୋନ ଯୋଗେ ଖବର ଦିଆଯାଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ତାଙ୍କର ଜଣେ ସମ୍ପର୍କୀୟ ଓ ଦୁଇଜଣ ଯୁବକ ଶବ ଧରି ପାଣିଦୋଳ ଆସିଥିଲେ । ଶବ ସହ ମୃତ୍ୟୁ ସମ୍ପର୍କିତ କାଗଜପତ୍ର ଓ ଡିସଚାର୍ଜ ସାର୍ଟିଫିକେଟ ଅଣାଯାଇନଥିବାରୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା ଓ ଉକ୍ତ ଆମ୍ବୁଲାନ୍ସକୁ ଗ୍ରାମବାସୀ ଅଟକ ରଖିଥିଲେ । ଖବର ପାଇବା ପରେ ରାତି ପ୍ରାୟ ସାଢେ ୯ଟାରେ କୁର୍ଣ୍ଣୁଲ ପୁଲିସ ଶବ ବ୍ୟବଚ୍ଛେଦ ସମ୍ପର୍କିତ କାଗଜପତ୍ର ଇମେଲରେ ପରିବାର ଲୋକଙ୍କ ପାଖକୁ ପଠାଇବା ପରେ ଗ୍ରାମବାସୀ ଅଟକ ଆମ୍ବୁଲାନ୍ସ ଓ କର୍ମଚାରୀମାନଙ୍କୁ ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର