ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଛି। ବିଶ୍ବସ୍ତରୀୟ ଇସ୍ପାତ ଓ ସଫ୍ଟୱେୟାର କମ୍ପାନି ଓଡ଼ିଶାରେ ସେମାନଙ୍କ ଶାଖା ଖୋଲିଲେଣି। ହେଲେ ବିଡ଼ମ୍ବନାର ବିଷୟ ଭୁବନେଶ୍ବରରୁ ୧୪ଟି ରାଜ୍ୟକୁ ଏପର୍ଯ୍ୟନ୍ତ ବିମାନ ସେବା ନାହିଁ। ୧୧ଟି ରାଜ୍ୟକୁ ଟ୍ରେନ୍ ସେବା ମଧ୍ୟ ନାହିଁ। ପୂର୍ବୋଦୟ ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ଫୋକସ୍ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗତ କିଛି ବର୍ଷ ଧରି କହି ଆସୁଛନ୍ତି। ଏପଟେ ରାଜ୍ୟ ସରକାର ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ଲାଗି ସିଙ୍ଗାପୁର, ବ୍ୟାଙ୍କକ୍ ଓ ଦୁବାଇକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଛନ୍ତି। ମାତ୍ର ଏବେବି ରାଜ୍ୟବାସୀଙ୍କୁ ଦେଶ ଭିତରେ ବହୁ ରାଜ୍ୟ ତଥା ସହରକୁ ଯିବା ପାଇଁ ଭାୟା ଅନ୍ୟ ରାଜ୍ୟ ହୋଇ ଯିବାକୁ ପଡ଼ୁଛି। ଯାହା ଓଡ଼ିଶାର ଅର୍ଥନୀତି ଓ ପର୍ଯ୍ୟଟନ ଅଭିବୃଦ୍ଧିରେ ବଡ଼ ବାଧକ ସାଜିଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ଓଡ଼ିଶାରେ ଯେଉଁମାନେ ପୁଞ୍ଜିନିବେଶ କରୁଛନ୍ତି ବା କରିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ରାଜ୍ୟର ଯୋଗାଯୋଗ କ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି। ହେଲେ ଏବେବି ଦକ୍ଷିଣ ଭାରତ, ଉତ୍ତର ଭାରତ ଏବଂ ଉତ୍ତର-ପୂର୍ବାଞ୍ଚଳର ବହୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ସହ ଓଡ଼ିଶାର ସିଧା ସଂଯୋଗ ନାହିଁ। ବିଶେଷକରି ଭୁବନେଶ୍ବର ବିମାନବନ୍ଦରରୁ ଦେଶର କେଉଁ କେଉଁ ସହରକୁ କେତେ ବିମାନ ଯାଉଛି, ବିଶ୍ବର କେଉଁ କେଉଁ ସହରରୁ ଓଡ଼ିଶାକୁ ବିମାନ ଚଳାଚଳ କରୁଛି? ଟ୍ରେନ୍ ସଂଯୋଗ େକଉଁ ସହରକୁ ଅଛି, ସପ୍ତାହକୁ କେତେ ଦିନ ଯାତାୟତ କରୁଛି ଇତ୍ୟାଦି ଉପରେ ସେମାନେ ଅଧିକ ତନାଘନା କଲେ ଯେଉଁ ଚିତ୍ରଟି ସାମ୍ନାକୁ ଆସୁଛି, ତାହା ଆନ୍ଦୋଳିତ କରିବା ସ୍ବାଭାବିକ।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଓଡ଼ିଶାରୁ ଦକ୍ଷିଣ ଭାରତର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ କେରଳକୁ ବିମାନ ସଂଯୋଗୀକରଣ ନାହିଁ। ଭୁବନେଶ୍ବର ଭାୟା ହୋଇ ପାସିଂ ରେଳ ଚାଲୁଥିବା ବେଳେ ଏଥିରେ ବହୁତ କମ୍ ସିଟ୍ ଓଡ଼ିଶା ପାଇଁ ମିଳୁଛି। ଗୋଆକୁ ସପ୍ତାହକୁ ଦୁଇଦିନ ବିମାନ ଯାଉଥିବା ବେଳେ ଗୋଟିଏ ଟ୍ରେନ୍ ଭୁବନେଶ୍ବର ପାସିଂ ହୋଇଯାଉଛି। ଉତ୍ତର ଭାରତର କଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣାକୁ ରେଳ ଚାଲୁନି। ପଡ଼ୋଶୀ ଆନ୍ଧ୍ରପଦେଶକୁ ରେଳ ସୁବିଧା ଥିଲେ ବି ଅଧିକ ଓଡ଼ିଆ ଯାତାୟତ କରୁଥିବା ବିଶାଖାପାଟଣାକୁ ଏଯାଏ ବିମାନ ସେବା ଉପଲବ୍ଧ ନାହିଁ। ଉତ୍ତର-ପୂର୍ବ ଭାରତର ୮ଟି ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ଆସାମ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ସିକ୍କିମ ମଧ୍ୟରୁ କେବଳ ଆସାମକୁ ବିମାନ ଓ ରେଳ ସଂଯୋଗୀକରଣ ଅଛି। ରେଳସେବାରେ କେବଳ ପାସିଂ ଟ୍ରେନ୍ ଯାଉଥିବାରୁ ଏଥିରେ ଟିକେଟ୍ ମିଳିବା ବି କଷ୍ଟକର।
ଉତ୍ତର-ପୂର୍ବ ଭାରତର ୭ରାଜ୍ୟ, କେରଳ, ହିମାଚଳପ୍ରଦେଶକୁ ରେଳ ସେବା ନାହିଁ
ପୁଞ୍ଜିନିବେଶକାରୀ ଖୋଜୁଛନ୍ତି କେଉଁ ଅଞ୍ଚଳକୁ କେତେ ବିମାନ, ଟ୍ରେନ୍ ଚାଲୁଛି
ଚୀନ୍ ସୀମା ସମେତ ଉତ୍ତର-ପୂର୍ବ ଭାରତରେ ବହୁ ଓଡ଼ିଆ ସେନାରେ ଚାକରି କରିଥିବାବେଳେ ସେମାନଙ୍କ ଯାତାୟତ ପାଇଁ ଆବଶ୍ୟକ ସୁବିଧା ନାହିଁ। ପର୍ଯ୍ୟଟନ ଦୃଷ୍ଟିରୁ ମଧ୍ୟ ଏସବୁ ଅଞ୍ଚଳ ଗୁରୁତ୍ବ ବହନ କରେ। କିନ୍ତୁ ଟ୍ରେନ୍ କି ବିମାନ ଚାଲୁନଥିବାରୁ ସେଠାକାର ପର୍ଯ୍ୟଟକଙ୍କୁ ଓଡ଼ିଶା ଆକୃଷ୍ଟ କରାଯାଇପାରୁନି। ପର୍ଯ୍ୟଟନ ଓ ନିଯୁକ୍ତି ଦୃଷ୍ଟିରୁ ଗୋଆ ଓ କେରଳର ଭୂମିକା ଗୁରୁତ୍ବ ଅଧିକ। ସେଠାକୁ କେବଳ ପାସିଂ ଟ୍ରେନ୍ ଚାଲୁଥିବାରୁ ବହୁ ପର୍ଯ୍ୟଟକ ଓଡ଼ିଶା ଆସିପାରୁନାହାନ୍ତି। ଶିରିଡ଼ିକୁ ଦୈନିକ ଶହଶହ ଲୋକ ଯାଉଥିବା ବେଳେ ଏଠାକୁ ସପ୍ତାହକୁ ମାତ୍ର ତିନିଦିନ ଟ୍ରେନ୍ ଚାଲୁଛି। ଶିରିଡ଼ିରେ ବିମାନବନ୍ଦର ଥିଲେ ମଧ୍ୟ ଏଠାକୁ ସିଧା ବିମାନ ସେବା ନାହିଁ। ଏପରିକି ମୁମ୍ବାଇକୁ ପ୍ରତିଦିନ ଶହଶହ ଲୋକ କ୍ୟାନସର୍ ଚିକିତ୍ସା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯାଉଥିବାବେଳେ ଆବଶ୍ୟକ ଟ୍ରେନ୍ ସୁବିଧା ନାହିଁ। ଉତ୍ତରାଖଣ୍ଡରେ ଥିବା ପର୍ଯ୍ୟଟନସ୍ଥଳୀକୁ ହଜାର ହଜାର ଓଡ଼ିଆ ଯାଉଥିଲେ ବି ସେଠାକୁ ମାତ୍ର ଗୋଟିଏ ଟ୍ରେନ୍ ଚାଲୁଛି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ୧୪ଟି, ରାଜ୍ୟର ୧୭ଟି ସହରକୁ ବିମାନ ସେବା ଉପଲବ୍ଧ ହେଉଛି। ସେଥିରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକତା, ବେଙ୍ଗାଲୁର, ଚେନ୍ନାଇ, ପ୍ରୟାଗରାଜ, ରାଞ୍ଚି, ରାୟପୁର, ପାଟନା, ଗୋଆ, ଜୟପୁର, ବାରଣାସୀ, ଅହମ୍ମଦାବାଦ, ପୁନେ, ଜାମସେଦପୁର, ଗୌହାଟୀକୁ ବିମାନ ଚଳାଚଳ କରୁଛି। ଆଗାମୀ ଦିନରେ ଯାତ୍ରୀଙ୍କ ଚାହିଦା ଦେଖି ଅନ୍ୟ ସହରକୁ ବିମାନ ଚଳାଚଳ ନେଇ ପଦକ୍ଷେପ ନିଆଯିବ।
ସେହିପରି ପୂର୍ବତଟ ରେଳପଥର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଭୁବନେଶ୍ବରରୁ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ସିଧା ଟ୍ରେନ୍ ଚାଲୁଛି। ଦିଲ୍ଲୀ, ପଣ୍ଡିଚେରୀକୁ ବି ଟ୍ରେନ୍ ଯାଉଛି। ହେଲେ ବାକି ରାଜ୍ୟକୁ ପାସିଂ ଟ୍ରେନ୍ ଚାଲୁଛି। ନିୟମ ଅନୁସାରେ, ପାସିଂ ଟ୍ରେନ୍ ଯେଉଁ ଜୋନ୍ରୁ ଛାଡ଼ିଥାଏ ସେହି ଜୋନ୍ ଅଧୀନରେ ଥିବା ରାଜ୍ୟ ପାଇଁ ୮୦% ସିଟ୍ ସଂରକ୍ଷିତ ଥାଏ। ବାକି ୨୦% ସିଟ୍ ଅନ୍ୟ ଅଞ୍ଚଳ ବା ରାଜ୍ୟଗୁଡ଼ିକ ପାଇଁ ଥାଏ। ଏହାଦ୍ବାରା ପୂର୍ବତଟ ରେଳପଥ ଅଧୀନରୁ ଯେଉଁ ଟ୍ରେନ୍ ବାହାରୁନି ତାହା ଯଦି ଭୁବନେଶ୍ବର ଭାୟା ହୋଇ ଯାଉଛି ତେବେ ମାତ୍ର ୨୦% ସିଟ୍ ମଧ୍ୟରୁ କିଛି ସିଟ୍ ଏଠାକାର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ଯେଉଁଥିପାଇଁ ବହୁ ଯାତ୍ରୀ ଟିକେଟ୍ ନପାଇବା ଅଭିଯୋଗ ହୋଇଥାଏ। ଏବେ ଭୁବନେଶ୍ବରରୁ ଦୈନିକ ହାରାହାରି ୧୨୨ଟି ଟ୍ରେନ୍ ଯାତାୟତ କରୁଥିବାବେଳେ ପ୍ରତି ଟ୍ରେନ୍ରେ ପ୍ରାୟ ହଜାରେ ଯାତ୍ରୀ ଯାତାୟତ କରୁଛନ୍ତି। ପୂର୍ବତଟର ରେଳପଥ ଅଧୀନରେ ଯେଉଁ ଟ୍ରେନ୍ ଚାଲୁଛି ସେଥିରେ ମୁମ୍ବାଇ, ଶିରିଡ଼ି, କେରଳ, ସୁରତ, କୋଲକତା, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁର, ପୁଣେ, ଦିଲ୍ଲୀ, ବିହାର, ଉତ୍ତର-ପୂର୍ବ ଭାରତକୁ ଯିବା ପାଇଁ ଯାତ୍ରୀଙ୍କର ଅଧିକ ଚାହିଦା ରହୁଛି। ଏହାକୁ ନଜରରେ ରଖି ଅଧିକ ଟ୍ରେନ୍ ଚଲାଇବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।