ଅକ୍ଷୟ ଶକ୍ତି ସ୍ଥାପନରେ ଓଡ଼ିଶା ପଛୁଆ: ଲକ୍ଷ୍ୟ ଥିଲା ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍‌

ଏବେ ସୁଦ୍ଧା ମାତ୍ର ୬୧୭ମେଗାୱାଟ୍‌ ସ୍ଥାପନ ହୋଇଛି, ୩ ମାସରେ ଆସିବ ଶକ୍ତି ସଂରକ୍ଷଣ ନୀତି-୨୦୨୨

ଭୁବନେଶ୍ବର: ୨୦୧୬ରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ପ୍ରଣୟନ ହେଲାଣି। ସରକାର ସେବେ ଲକ୍ଷ୍ୟ ରଖିଥିଲେ, ୨୦୨୨ ଶେଷ ସୁଦ୍ଧା ୨୭୫୦ ମେଗାୱାଟ୍‌ ବିଦ୍ୟୁତ୍ ଏହି କ୍ଷେତ୍ରରୁ ଉତ୍ପାଦନ କରିବେ। ଏନେଇ ପ୍ରସ୍ତୁତି ବି ଆରମ୍ଭ ହେଲା। ମାତ୍ର ଗତ ମାର୍ଚ୍ଚ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୫% ଅର୍ଥାତ୍‌ ୬୧୭ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିପାରିଛି ଓଡ଼ିଶା। ପରିଣାମ ହେଲା, ଏବେ ବି ଓଡ଼ିଶାକୁ ଶକ୍ତି ପାଇଁ ମୁଖ୍ୟତଃ କୋଇଲା ଉପରେ ହିଁ ନିର୍ଭର କରିବାକୁ ପଡ଼ୁଛି। କେନ୍ଦ୍ର ସରକାରଙ୍କ ନି‌ୟମାବଳୀ ଅନୁଯାୟୀ ରିନ୍ୟୁଏବୁଲ୍‌ ପର୍ଚେଜ୍‌ ଓବ୍ଲିଗେସନ(ଆରପିଓ) ପୂରଣ ଲାଗି ଓଡ଼ିଶାକୁ ବାହାର ରାଜ୍ୟରୁ ଅକ୍ଷୟ ଶକ୍ତି ଯଥା ସୋଲାର ଓ ପବନ ଶକ୍ତି ଆମଦାନୀ କରିବାକୁ ପଡ଼ୁଛି।ଇଣ୍ଟରନ୍ୟାସନାଲ ଫୋରମ୍‌ ଫର୍‌ ଏନଭର୍ନମେଣ୍ଟ, ଷଷ୍ଟନେବିଲିଟି ଆଣ୍ଡ ଟେକ୍ନୋଲୋଜି(ଆଇଫରେଷ୍ଟ) ପକ୍ଷରୁ ଆୟୋଜିତ ନୂତନ ଅକ୍ଷୟ ଶକ୍ତି ନୀତି ୨୦୨୨-୨୦୩୦ କର୍ମଶାଳାରେ ଭାଗନେଇ ବି‌ଶେଷଜ୍ଞମାନେ ଏଭଳି ଢଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଆଇଫରେଷ୍ଟ ସଂସ୍ଥାର ସଭାପତି ତଥା ସିଇଓ ଚନ୍ଦ୍ର ଭୂଷଣ ଯୋଗଦେଇ କହିଲେ ଓଡ଼ିଶାର ନିରନ୍ତର ବିକାଶ ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଅଧିକ ଅକ୍ଷୟ ଶକ୍ତିର ଆବଶ୍ୟକତା ରହିଛି। ଓଡ଼ିଶାରେ ଅନେକ ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି ପର୍ଯ୍ୟାପ୍ତ କ୍ଷମତା ରହିଛି। ନୂତନ ଅଭିନବ ନୀତି ଦ୍ବାରା ଏହା ହାସଲ ହୋଇପାରିବ। ଆକଳନ କରାଯାଇଛି ଯେ ୨୦୨୨-୨୩ ପାଇଁ ଓଡ଼ିଶାର ଆରପିଓ ଟାର୍ଗେଟ୍‌ ୧୧.୫% ରହିଛି। ଅର୍ଥାତ୍‌ ଉକ୍ତ ଆର୍ଥିକ ବର୍ଷରେ ଅକ୍ଷୟ ଶକ୍ତିରୁ ଓଡ଼ିଶା ୧୧.୫% ବ୍ୟୟ କରୁଛି। ୨୦୨୯-୩୦ ସୁଦ୍ଧା ୪୩.୩୩% ପହଞ୍ଚିବ। ଯଦି ଏହା ହାସଲ ନ ହେବ ବା ଓଡ଼ିଶା ନୂତନ ଅକ୍ଷୟ ଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା ନ କରିବ, ତେବେ ଅନ୍ୟ ରାଜ୍ୟରୁ ବିଦ୍ୟୁତ୍‌ କିଣିବାକୁ ହେବ। ୨୦୩୦ ସୁଦ୍ଧା ୩୦ ଗିଗାୱାଟ୍‌ ଅକ୍ଷୟ ଶକ୍ତି ପାଇଁ ନୂତନ ଅକ୍ଷୟ ଶକ୍ତି ନୀତିରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଥିବା ସଂକ୍ରାନ୍ତରେ ଆଇ ଫରେଷ୍ଟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଉଥିବା ସେ ଏହି ଅବସରରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀ ପୂର୍ବରୁ ଆଇଫରେଷ୍ଟ ସଂସ୍ଥା ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ସହ ୭ଟି ଗୋଷ୍ଠୀଗତ ଆଲୋଚନା କରିଥିଲା। ଯେଉଁଥିରେ ବିଭିନ୍ନ ଶିଳ୍ପ, ସାମାଜିକ ଗୋଷ୍ଠୀ ଓ ରାଜ୍ୟ ସରକାରଙ୍କ ଅଂଶୀଦାରମାନେ ଭାଗ ନେଇଥିଲେ।

ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଓଏଚ୍‌ପିସି ପରିଚାଳନା ନିର୍ଦେଶକ ଅମରେଶ କୁମାର ଯୋଗଦେଇ କହିଲେ, ଓଡ଼ିଶାରେ ଅକ୍ଷୟ ଶକ୍ତି ଅଭିବୃଦ୍ଧି ଲାଗି ହାଇଡ୍ରୋ ଡେଭଲପମେଣ୍ଟ ଓ ଷ୍ଟୋରେଜ୍‌ ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଲାଗି କେନ୍ଦ୍ର ସରକାର ଶକ୍ତି ସଂରକ୍ଷଣ ନୀତି-୨୦୨୨ ଆଣିବାକୁ ଯାଉଛନ୍ତି। ଏନେଇ ବ୍ୟାପକ ଆଲୋଚନା ସରିଛି। ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହି ନୀତି ଆସିପାରେ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ଇଞ୍ଜିନିୟର-ଇନ୍‌-ଚିଫ୍‌(ଇଲେକ୍ଟ୍ରିକାଲ) ସୁରେଶ ଚନ୍ଦ୍ର ମହାରଣା ଯୋଗଦେଇ ଅକ୍ଷୟ ଶକ୍ତି ଅଭିବୃଦ୍ଧି ଲାଗି ଆମର ପର୍ଯ୍ୟାପ୍ତ ସମ୍ଭାବନା ରହିଛି ବୋଲି କହିଥିଲେ। ଟିପିସିଓଡିଏଲ୍‌ ସିଇଓ ସେନବାଗାମ କହିଲେ ଓଡ଼ିଶାର ଦୃତ ଅଭିବୃଦ୍ଧି ଘଟୁଛି। ସେହି ଅନୁଯାୟୀ ଭବିଷ୍ୟତରେ ଏନର୍ଜି ଆବଶ୍ୟକତା ବହୁତ ରହିବ। ଯଦି ବର୍ତମାନର ହିସାବ ଦେଖାଯାଏ ଆମେରିକାର ୯୦%, ଚୀନ୍‌ର ୬୦% ପରିବାର ‘ଏସି’ ବ୍ୟବହାର କରୁଛନ୍ତି। ଯେତେବେଳେ କି ଭାରତରେ ଏହା ମାତ୍ର ୭% ରହିଛି। ଭବିଷ୍ୟତରେ ଏହା ଆହୁରି ବଢ଼ିବ। ତାହାକୁ ପୂରଣ କରିବା ଆମ ପାଇଁ ଆହ୍ବାନ ସୃଷ୍ଟି ହେବ। ବିଭିନ୍ନ କାରଣରୁ ଓଡ଼ିଶାରେ ବର୍ତମାନ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷେତ୍ରରେ ସେତେଟା ଅଭିବୃଦ୍ଧି ହୋଇପାରି ନାହିଁ। ଏଥିପାଇଁ ନୂଆ ଲ୍ୟାଣ୍ଡ ପଲିସି ଓ ପ୍ରୋତ୍ସାହନ ଆବଶ୍ୟକ।

ଆଇଫରେଷ୍ଟ ଅଧିକାରୀ ମନଦୀଭ୍‌ ସିଂହ କହିଲେ, ଅକ୍ଷୟ ଶକ୍ତି ବିକାଶରେ କୃଷକ ଓ ଜମି ମାଲିକମାନଙ୍କର ସହଯୋଗ ଲାଗି ନୂତନ ନୀତିର ଆବଶ୍ୟକତା ରହିଛି। ଜଳଉତ୍ସ ଓ ଖଣି ଖାଦନର ପରିତ୍ୟକ୍ତ ଜମିରେ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ପ୍ରୋତ୍ସାହନ ଦିଆଯିବା ଦରକାର। ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଅକ୍ଷୟ ଶକ୍ତି ଗଣ ଆନ୍ଦୋଳନରେ ପରିଣତ ହେବା ଉଚିତ ବୋଲି କହିଥିଲେ। ପରବର୍ତୀ ସମୟରେ ସମ୍ମିଳନୀର ୪ଟି ଅଧିବେଶନରେ ଅଂଶୀଦାରମାନେ ଯୋଗଦେଇ ବୃହତ୍ତ ସୋଲାର ପ୍ଲାଣ୍ଟ, ରୁଫ୍‌ଟପ୍‌ ସୋଲାର ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର