ଓଡ଼ିଶା ଲଳିତ କଳାଏକାଡେମି ପୁରସ୍କାର ଘୋଷଣା: ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର-୨୦୨୨’

ଭୁବନେଶ୍ୱର : ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର-୨୦୨୨’। ଆଜି ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଏହି ‌ଘୋଷଣା କରାଯାଇଛି। ଆଜି ଏକାଡେମି ପକ୍ଷରୁ ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ଓ ‘ଶିଳ୍ପୀ ସମ୍ବର୍ଦ୍ଧନା’ ପାଇଁ ନାମ ଘୋଷିତ ହୋଇଛି। ୯୪ ବର୍ଷୀୟ ଚିତ୍ରଶିଳ୍ପୀ ଶ୍ରୀ ପ୍ରତିହାରୀ ଧର୍ମପଦ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଥିବା ବେଳେ ତାଙ୍କୁ ୫ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସହ ସମ୍ମାନିତ କରାଯିବ।

ସେହିଭଳି ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ତାଳପତ୍ର ଚିତ୍ରଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ ବେହେରା ଓ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ ପାଇଁ ଚୟନ କରାଯାଇଛି। ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ମାନଦେୟ ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଆସନ୍ତା ୬ ତାରିଖ (ସୋମବାର) ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ ସମଗ୍ର ଜୀବନର ନିରବଚ୍ଛିନ୍ନ ସାଧନା ନିମନ୍ତେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ୧୯୮୭ ମସିହାରୁ ପ୍ରଦାନ କରାଯାଇଆସୁଛି ।

ସମ୍ବନ୍ଧିତ ଖବର