ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମି ସମ୍ମାନ

ଆୟୋଜିତ ହେବ ଜାତୀୟ ଆଦିବାସୀ କଳା ଶିବିର

ଭୁବନେଶ୍ୱର : ଧର୍ମପଦ ସମ୍ମାନ ଅଡ଼ୁଆ ଏଯାଏଁ ଛିଣ୍ଡୁ ନଥିବା ବେଳେ କଳାରେ ଦକ୍ଷ ବିନ୍ଧାଣିଙ୍କୁ ପ୍ରୋତ୍ସାହନ ପାଇଁ ପ୍ରଦାନ କରାଯିବ ଓଡ଼ିଶା ଲଳିତ କଳା ଏକାଡେମି ସମ୍ମାନ। ଚିତ୍ର, ତୈଳ ଚିତ୍ର, ଭାସ୍କର୍ଯ୍ୟ, ମୁଦ୍ରଣ ଓ ପାରମ୍ପରିକ କଳା ବର୍ଗରେ ୮ଜଣ ଶିଳ୍ପୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଏନେଇ ଚିତ୍ରଶିଳ୍ପୀଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ କଳାକୃତିର ଫଟୋ ଆହ୍ଵାନ କରାଯିବ। ଏକ ଜୁରି କମିଟି ଫଟୋଗୁଡ଼ିକୁ ଚୟନ କରିବା ପରେ, ସେଥିରୁ କିଛି ଫଟୋ ବଛାଯାଇ ସେମାନଙ୍କ ମୂଳ କାରିଗରୀ କାମ ଆହ୍ଵାନ କରାଯିବ। ପରେ ଜୁରି କମିଟି ଏଥିମଧ୍ୟରୁ ୮ଟିକୁ ବାଛିବେ। ୮ ଶିଳ୍ପୀଙ୍କୁ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ମୂଳକ ଅର୍ଥରାଶି ସହ ପୁରସ୍କୃତ କରାଯିବ।

ଏପ୍ରିଲ୍‌ ଶେଷ ଆଡ଼କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା କହିଛନ୍ତି। ଏଥିସହିତ ଆଦିବାସୀ ଶିଳ୍ପୀଙ୍କୁ ନେଇ ଚଳିତ ବର୍ଷ ଏକ ଜାତୀୟସ୍ତରୀୟ ଆଦିବାସୀ କଳା ଶିବିର ଅନୁଷ୍ଠିତ ହେବ। ଏଥିରେ ସମଗ୍ର ଭାରତରୁ ୨୦ରୁ ୨୫ ଜଣ ଶିଳ୍ପୀ ଅଂଶଗ୍ରହଣ କରି ନିଜର କାରୁକାର୍ଯ୍ୟପୂର୍ଣ୍ଣ ଦକ୍ଷତା ପରିପ୍ରକାଶ କରିବେ। ସମ୍ଭବତଃ ଏହା ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ସେହିପରି ଯୁବ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ନେଇ ଏକ ଯୁବ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଜରିଆରେ ଅନେକ ନୂଆ ତଥା ଯୁବପିଢ଼ିର କଳାକାର ନିଜର କଳା ନୈପୁଣ୍ୟ ପରିପ୍ରକାଶ କରିବାର ସୁଯୋଗ ପାଇବା ସହ ପରିଚିତି ହାସଲ କରିପାରିବେ।

ସମ୍ବନ୍ଧିତ ଖବର