ପୁରସ୍କାର ମନୋନୟନକୁ ନେଇ ବିବାଦରେ ଓଡ଼ିଶା ଲଳିତ କଳା ଏକାଡେମି

ବିଚାରକଙ୍କ ଯୋଗ୍ୟତାକୁ ନେଇ ଉଠିଲା ଆପତ୍ତି, ଅଭିଯୋଗ ହସ୍ତଗତ ହୋଇନାହିଁ: ସଂସ୍କୃତି ନିର୍ଦ୍ଦେଶକ

ଭୁବନେଶ୍ବର : ପୁରସ୍କାର ମନୋନୟନକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ‌ଏକାଡେମିଗୁଡ଼ିକ ବିବାଦରେ ଛନ୍ଦି ହେବା, ନୂଆ କଥା ନୁହେଁ। ଏଥର ବି ଏମିତି ଏକ ବିବାଦକୁ ନେଇ ଅଡ଼ୁଆରେ ପଡ଼ିଛି ଓଡ଼ିଶା ଲଳିତ କଳା ଏକାଡେମି। ରାଜ୍ୟସ୍ତରୀୟ ୪୦ତମ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ମନୋନୟନ ପାଇଁ ଯେଉଁ ବିଚାରକମଣ୍ଡଳୀ ନିଯୁକ୍ତ ହୋଇଥିଲେ, ସେମାନଙ୍କ ଯୋଗ୍ୟତାକୁ ନେଇ ‘ଆର୍ଟିଷ୍ଟ ଗ୍ରୁପ୍‌ ଅଫ୍‌ ଓଡ଼ିଶା’ ପ୍ରଶ୍ନ ଉଠାଇଛି। ଶିଳ୍ପୀମାନଙ୍କ ସ୍ବାର୍ଥକୁ ନଜରରେ ରଖି ଏହାର ନିରପେକ୍ଷ ତଦନ୍ତ କରିବାକୁ ଏହି ଗ୍ରୁପ୍‌ ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଏକ ଚିଠି ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।

ଚିଠିରେ ଉଲ୍ଲେଖ କରାଯାଇଛି, ଏକାଡେମିର ରାଜ୍ୟସ୍ତରୀୟ ୪୦ତମ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ପାଇଁ ଶିଳ୍ପୀମାନଙ୍କଠାରୁ କଳାକୃତି ଓ ଦରଖାସ୍ତ ଗ୍ରହଣ କରାଯାଇଥିଲା। ହେଲେ କଳାକୃତିର ଫଟୋଗ୍ରାଫି ମନୋନୟନ ପାଇଁ ‌ଯେଉଁ ବିଚାରକମଣ୍ଡଳୀ ନିଯୁକ୍ତ କରାଗଲା, ତାକୁ ନେଇ ଶିଳ୍ପୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଳ୍ପୀମାନଙ୍କ କହିବା ଅନୁଯାୟୀ, ଏକାଡେମିରେ ଥିବା କିଛି ବ୍ୟକ୍ତି ନିଜ ସ୍ବାର୍ଥକୁ ସାକାର କରିବା ପାଇଁ ଯେଉଁମାନଙ୍କୁ ଏହି ପୁରସ୍କାର ମନୋନୟନ ପାଇଁ ବିଚାରକ ଭାବେ ନିଯୁକ୍ତି ଦେଇଛନ୍ତି, ସେମାନେ ଦୀର୍ଘବର୍ଷ ଧରି ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିନାହାନ୍ତି। ସେମାନଙ୍କର ଏ ସମ୍ପର୍କରେ ବିଶେଷ କିଛି ଜ୍ଞାନ କିମ୍ବା ଦକ୍ଷତା ନାହିଁ। ‌ବିଚାରକମାନଙ୍କ ଅଭିଜ୍ଞତା ଅଭାବରୁ ଅନେକ ପ୍ରତିଭାବାନ ଶିଳ୍ପୀ ମନୋନୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଛନ୍ତି। ତେବେ କେଉଁ ଅଗ୍ରାଧିକାର ଭିତ୍ତିରେ ଏମାନଙ୍କୁ ବିଚାରକ ଭାବେ ନିଯୁକ୍ତ କରାଯାଇଥିଲା, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଚିଠିରେ ଦାବି କରାଯାଇଛି। କିନ୍ତୁ ଏହି ଘଟଣାରେ ଅଭିଯୋଗକାରୀ ଆର୍ଟିଷ୍ଟ୍‌ ଗ୍ରୁପ୍‌ର କୌଣସି ସଦସ୍ୟ ଏଯାଏ ସାମ୍ନାକୁ ଆସିନାହାନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏଭଳି କୌଣସି ଚିଠି କିମ୍ବା ଅଭିଯୋଗ ବିଭାଗ ପାଖକୁ ଆସିନାହିଁ ବୋଲି କହିଛନ୍ତି। ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଞ୍ଚାନନ ସାମଲ କହିଛନ୍ତି, ‘ଆର୍ଟିଷ୍ଟ ଗ୍ରୁପ୍‌ ଅଫ୍‌ ଓଡ଼ିଶା’ ନାମରେ ରାଜ୍ୟରେ ‌କୌଣସି ପଞ୍ଜୀକୃତ ସଂସ୍ଥା ନାହିଁ। ଏଭଳି ଏକ ଅଭିଯୋଗ କେବଳ ଏକ ଗୁଜବ। ଆମ ପାଖକୁ କୌଣସି ଅଭିଯୋ‌ଗ ଏଯାଏ ଆସିନାହିଁ।

ସମ୍ବନ୍ଧିତ ଖବର