ଫେସ୍‌ବୁକ୍‌, ଟ୍ବିଟର୍‌ରେ ଓଡ଼ିଶା ପର୍ଯ୍ୟଟନ ପଛରେ

୨୦ ପ୍ରତିଶତ ପ୍ରଚାର ଖର୍ଚ ସୋସିଆଲ୍ ମିଡିଆରେ ହେଉ : ହାରୋ

ଭୁବନେଶ୍ବର: ଓଡ଼ିଶା ମାଟି ବହୁ ପର୍ଯ୍ୟଟନ ବିଭବକୁ ସାଇତି ରଖିଛି। ପର୍ଯ୍ୟଟନ ବିଭାଗ ଏ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ ଓ ସୁଗମ କରୁଛି। ଅଥଚ ପ୍ରଚାର ପ୍ରସାର ଯେପରି ହେବା କଥା ତାହା ହେଉନାହିଁ। ବାସ୍ତବିକ ଆଜିର ସମୟରେ ହାତ ପାପୁଲିରେ ସାରା ଦୁନିଆକୁ ଦେଖିବାକୁ ଲୋକେ ପସନ୍ଦ କରୁଥିବା ବେଳେ ସୋସିଆଲ୍ ମିଡିଆରେ ରାଜ୍ୟ ପର୍ଯ୍ୟଟନ ବିଭାଗର ସେତିକି ପ୍ରବେଶ ନାହିଁ। ଏକ ସର୍ବେକ୍ଷଣ ଏହା ସୂଚାଉଛି। ଫେସ୍‌ବୁକ୍‌, ୟୁ-ଟ୍ୟୁବ୍ ଓ ଟ୍ବିଟର୍‌ରେ ଓଡ଼ିଶା ପର୍ଯ୍ୟଟନ ଯଥେଷ୍ଟ ଆଗେଇ ପାରି ନଥିବା ସର୍ଭେ କହୁଛି। ଏକ ନିର୍ଦିଷ୍ଟ ସମୟର ସର୍ବେକ୍ଷଣରୁ ଏହା ଜଣା ପଡ଼ିଛି ଯେ, ୟୁ-ଟ୍ୟୁବ୍‌ରେ ରାଜସ୍ଥାନ ପର୍ଯ୍ୟଟନର ସବ୍‌ସ୍କ୍ରାଇବର୍‌ ସଂଖ୍ୟା ୧ଲକ୍ଷ ୨ହଜାର ଥିବାବେଳେ କେରଳ ପର୍ଯ୍ୟଟନର ସବ୍‌ସ୍କ୍ରାଇବର୍‌ ସଂଖ୍ୟା ୭୯ ହଜାର ରହିଥିଲା। ଏହି ସମୟରେ ଓଡ଼ିଶାର ସବ୍‌ସ୍କ୍ରାଇବର୍‌ ସଂଖ୍ୟା କିନ୍ତୁ ୫ହଜାର ୯ଶହ ଥିଲା। ଫେସ୍‌ବୁକ୍‌ ବେଞ୍ଚ୍‌ ମାର୍କିଙ୍ଗକୁ ଲକ୍ଷ୍ୟ କଲେ ସେଥିରେ ବି ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି। କେରଳ ପର୍ଯ୍ୟଟନର ଫେସ୍‌ବୁକ୍‌ ଲାଇକ୍ ୧୫ଲକ୍ଷ ୨୬ ହଜାର ୭୬୯ ଥିବା ବେଳେ ଗୁଜୁରାଟ ପର୍ଯ୍ୟଟନକୁ ୧୨ଲକ୍ଷ ୯୦ ହଜାର ୩୭ଟି ଲାଇକ୍‌ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟଟନକୁ ୧୦ ଲକ୍ଷ ୭୫ହଜାର ୬୭୭ଟି ଲାଇକ୍ ମିଳିଥିଲା। ଏହି ସମୟରେ ଓଡ଼ିଶା ପର୍ଯ୍ୟଟନକୁ ୨ଲକ୍ଷ ୩୨ ହଜାର ୩୦ଟି ଫେସ୍‌ବୁକ୍ ଲାଇକ୍ ମିଳିଥିଲା। ଏବେ ବି ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇନାହିଁ।

ସେହିଭଳି ଟ୍ବିଟର୍ ବେଞ୍ଚ୍ ମାର୍କିଙ୍ଗ୍‌ରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଶେଷ ଆଗେଇ ପାରିନାହିଁ। ଇନ୍‌କ୍ରେଡିବଲ୍‌ ଇଣ୍ଡିଆର ୨୦ ଲକ୍ଷ ୬୪ ହଜାର ୬୩୭ ଜଣ ଫଲୋଅର୍ ଥିବା ବେଳେ ଗୁଜୁରାଟ ପର୍ଯ୍ୟଟନର ଫଲୋଅର ସଂଖ୍ୟା ୧୭ଲକ୍ଷ ୨ହଜାର ୮୭୫। କେରଳ ପର୍ଯ୍ୟଟନର ଫଲୋଅର ସଂଖ୍ୟା ୧୬ଲକ୍ଷ ୯୮ ହଜାର ୯୭୦ ଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ଫଲୋଅରଙ୍କ ସଂଖ୍ୟା ୧୧ଲକ୍ଷ ୩୨ହଜାର ୪୩୧ରେ ସୀମିତ। ଇନ୍‌କ୍ରେଡିବଲ୍‌ ଇଣ୍ଡିଆ ପକ୍ଷରୁ ହାରାହାରି ପ୍ରତିଦିନ ୯.୯୦ଟି ଟ୍ବିଟ୍ କରାଯାଉଥିବା ବେଳେ ଓଡ଼ିଶା ପର୍ଯ୍ୟଟନର ଟ୍ବିଟ୍ ସଂଖ୍ୟା ୨.୦୩ ରହିଛି। ଏଭଳି ସ୍ଥଳେ ବ୍ରାଣ୍ଡିଂ ଏକ୍ସପର୍ଟଙ୍କୁ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଟି ଏକ୍ସପର୍ଟ ପ୍ରଫେସର ସୂର୍ଯ୍ୟ ମିଶ୍ର। ଏନେଇ ସୋସିଆଲ୍ ମିଡିଆକୁ ଗୁରୁତ୍ବ ଦେବାକୁ ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦେଇଛି ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ)। ରାଜ୍ୟ ସରକାର ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଯେଉଁ ବଜେଟ୍ ରଖିଛନ୍ତି ସେଥିମଧ୍ୟରୁ ୨୦ ପ୍ରତିଶତ ସୋସିଆଲ୍ ମିଡିଆରେ ପ୍ରଚାର ପ୍ରସାର କ୍ଷେତ୍ରରେ ଖର୍ଚ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ହାରୋ ପକ୍ଷରୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସଂପ୍ରତି ଓଡ଼ିଶା ହକି ବିଶ୍ବକପ୍ ଚାଲିଥିବା ବେଳେ ଭୁବନେଶ୍ବରର ସୌନ୍ଦର୍ଯ୍ୟକୁ ବିଶ୍ବ ଦରବାରରେ ସ୍ଥାନିତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ‘ଜମ୍ପ୍ ଫର୍ ଭୁବନେଶ୍ବର ଚ୍ୟାଲେଞ୍ଜ୍’ ଶୀର୍ଷକ ଅଭିଯାନର ଶୁଭାରମ୍ଭ କରିଛି। ସୋସିଆଲ୍ ମିଡିଆରେ ଓଡ଼ିଶାକୁ ଉପସ୍ଥାପନ କରିବା ପାଇଁ ଏପରି ପଦକ୍ଷେପ ସ୍ବାଗତଯୋଗ୍ୟ। ଏବେ ସୋସିଆଲ୍ ମିଡିଆ ଯୁଗ ଚାଲିଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏ କ୍ଷେତ୍ରରୁ ଯଥେଷ୍ଟ ଫାଇଦା ଉଠାଇବା ଆବଶ୍ୟକ ବୋଲି ଆଇଟି ଏକ୍ସପର୍ଟମାନେ କହିଛନ୍ତି।

ସମ୍ବନ୍ଧିତ ଖବର