‘ଖୁସି’ରେ ବାଣ୍ଟିବେ ସାନିଟାରି ନାପ୍‌କିନ୍‌

ଉପକୃତ ହେବେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୧୭ ଲକ୍ଷ ଛାତ୍ରୀ
ସୋସିଆଲ ମାର୍କେଟିଂରେ ୬ଟି ନାପକିନ୍‌ ପ୍ୟାକେଟ୍‌ର ଦାମ୍‌ ୬ ଟଙ୍କା

ଭୁବନେଶ୍ୱର : ରାଜ୍ୟ ସରକାର ଏକ ନୂଆ ଯୋଜନା ‘ଖୁସି’ର ଆରମ୍ଭ କରିଛନ୍ତି। ଏହି ଯୋଜନାରେ କିଶୋରୀ ବାଳିକାମାନଙ୍କୁ ମିଳିବ ମାଗଣା ସାନିଟାରି ନାପ୍‌କିନ୍‌। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ମାଗଣାରେ ଏହି ପ୍ୟାଡ୍‌ ଯୋଗାଇ ଦିଆଯିବ। ଏଥିରେ ୧୭ ଲକ୍ଷରୁ ଅଧିକ ଛାତ୍ରୀ ଉପକୃତ ହେବେ ବୋଲି ସରକାର ଆକଳନ କରିଛନ୍ତି।

ବିଭିନ୍ନ ସର୍ବେକ୍ଷଣର ଫଳାଫଳ ଅନୁଯାୟୀ, ରାଜ୍ୟର ଅଧିକାଂଶ କିଶୋରୀ ବାଳିକା ଓ ମହିଳା ମାସିିକ ଋତୁସ୍ରାବ ସମୟରେ ପାରମ୍ପରିକ ଶୈଳୀ ଅନୁକରଣ କରିଥାନ୍ତି। ସେମାନେ ଶରୀରର ପରିଷ୍କାର ପରିଚ୍ଛନତା ପାଇଁ ଗୁରୁତ୍ୱ ଦିଅନ୍ତି ନାହିଁ। ସାମାଜିକ ଜୀବନରେ ଏହି ସମୟରେ ଅନେକ କଟକଣା ମଧ୍ୟରେ ରହିବାକୁ ପଡ଼ିଥାଏ। ତେଣୁ ଋତୁସ୍ରାବ ସମୟରେ ପରିଷ୍କାର ରହିବାର ଅଭ୍ୟାସ ପାଇଁ ସରକାରଙ୍କ ପକ୍ଷରୁ ‘ଖୁସି’ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ ବାର୍ଷିକ ୭୦ କୋଟି ଟଙ୍କା ଖର୍ଚ ହେବ। ରାଜ୍ୟ ସରକାର ଏହି ଖର୍ଚ ବହନ କରିବେ ବୋଲି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଦ୍ୟାଳୟ ଛାତ୍ରୀମାନଙ୍କ ବ୍ୟତୀତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ କରୁଥିବା ମହିଳା ଓ ଗର୍ଭପାତ କରାଉଥିବା ମହିଳାଙ୍କୁ ମଧ୍ୟ ବିନା ମୂଲ୍ୟରେ ଏହାକୁ ଯୋଗାଇ ଦିଆଯିବ। ଗୋଷ୍ଠୀ ସ୍ତରରେ ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ପରିଷ୍କାର ପରିଚ୍ଛନତା ବୃଦ୍ଧି ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଶା କର୍ମୀମାନଙ୍କ ଦ୍ୱାରା ସୋସିଆଲ ମାର୍କେଟିଂ ଜରିଆରେ ରହାତି ମୂଲ୍ୟରେ ସାନିଟାରି ନାପ୍‌କିନ୍‌ ଉପଲବ୍ଧ ହେବ। ୬ଟି ସାନିଟାରି ନାପକିନ୍‌ ଥିବା ପ୍ୟାକେଟ୍‌ର ଦାମ ୬ ଟଙ୍କା ରଖାଯାଇଛି। ରାଜ୍ୟରେ ମହିଳାମାନଙ୍କ ପାଇଁ ମମତା, ମିସନ ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ‘ଖୁସି’ ଯୋଜନା ମହିଳା ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ସଫଳ ରୂପାୟନ ନେଇ ବିଜେପିର ସନ୍ଦେହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନାକୁ ସମାଲୋଚନା କରିଛି ବିଜେପି। ଏହାର ସଫଳ ରୂପାୟନ ନେଇ ଦଳ ସନ୍ଦେହ କରିଛି। ବିଜେପି ରାଜ୍ୟ ସମ୍ପାଦିକା ସିମନ୍ତିନୀ ଜେନା କହିଛନ୍ତି, ଏହା ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା ନୁହେଁ। ୨୦୧୩ରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଅନ୍ୟାନ୍ୟ ରାଜ୍ୟ ସରକାର ବହୁ ପୂର୍ବରୁ ଏହାକୁ ଲାଗୁ କରିଛନ୍ତି। ଓଡ଼ିଶା ଏ ଦିଗରେ ପଛରେ ପଡ଼ିଯାଇଛି। ନାରୀମାନଙ୍କୁ ସାନିଟାରି ନାପ୍‌କିନ୍‌ ଯୋଗାଇବା ନିହାତି ଆବଶ୍ୟକ। ତେବେ କିପରି ନିୟମିତ ଭାବେ ପ୍ରତିଟି ମହିଳା ଏହି ଯୋଜନାର ଫାଇଦା ଉଠାଇପାରିବେ, ସେ ଦିଗରେ ସରକାର ଧ୍ୟାନ ଦେବା ଉଚିତ। ଏହା ସହ ପ୍ରଥମେ ପ୍ରତି ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର