ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ସମର୍ଥନ ଜଣାଇଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ସେମାନେ ଦୋଷୀ, ତେଣୁ ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । କାହିଁକି ନା ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ପାଇବା ପାଇଁ ଦୀର୍ଘ ସମୟ ଲାଗୁଛି । ଆଜି ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ସେଥିରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । କେବଳ କୋର୍ଟରେ ଦିନ ଗଡାଇବା ଅପେକ୍ଷା ଏଭଳି ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା । ଏମାନେ ବହୁତ ବଡ ଦୋଷୀ ତେଣୁ କଠୋର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହିଛନ୍ତି ପ୍ରତାପ ଜେନା ।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ନେଇ ମାନବାଧିକାର କମିଶନ କ’ଣ କହିବ କି ଅନ୍ୟାନ୍ୟ ସଂଗଠନ କ’ଣ ମତ ଦେବେ  ତାହା ମୁଁ ଜାଣିନି କିନ୍ତୁ ପୃଥିବୀରେ ଅନେକ ଦେଶ ଅଛି ଯେଉଁ ଦେଶରେ ଏପରି କାଣ୍ଡ ଭିଆଉଥିବା ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କେଉଁଠି ଗୁଳି କରାଯାଉଛି ତ ଆଉ କେଉଁଠି ମୁଣ୍ଡ କାଟି ଦିଆଯାଉଛି । ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ ଆଇନ କଠୋର ହେବା ଦରକାର । କୋର୍ଟ କି ଅନ୍ୟ ନ୍ୟାୟିକ ବ୍ୟବସ୍ଥା ଉପରେ ନିର୍ଭର କରିବା ଅପେକ୍ଷା ମୁଁ ଭାବୁଛି ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଦରକାର ।

ସମ୍ବନ୍ଧିତ ଖବର