୩୦ ଯାଏ ଚାଲିବ ଆଇନଜୀବୀ ଆନ୍ଦୋଳନ

ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ନବୀନ ନିବାସ ଘେରାଉ ଚେତାବନୀ

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତା ୩୦ ତାରିଖ ଯାଏଁ ଚାଲୁ ରହିବ। ଏହି ସମୟ ମଧୢରେ ରାଜ୍ୟ ସରକାର ଆଇନଜୀବୀଙ୍କ ଦାବି ପୂରଣ ପ୍ରସଂଗରେ ପଦକ୍ଷେପ ନନେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ। ଏଥି ସହିିତ ନବୀନ ନିବାସ ଘେରାଉ କରାଯିବ। ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଗଠିତ ଆକ୍ସନ କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ପରୋକ୍ଷରେ ସରକାରଙ୍କୁ ଚେତାଇ ଦିଆଯାଇଛି ଯେ ୩୦ ତାରିଖ ମଧୢରେ ଅଭିଯୁକ୍ତ ଗିରଫ ନହେଲେ ଆନ୍ଦୋଳନ ତୀବ୍ର ହେବ। ପରବର୍ତ୍ତୀ ବୈଠକରେ ନବୀନ ନିବାସ ଘେରାଉ ସଂକ୍ରାନ୍ତରେ ଚୂଡାନ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଉପସଭାପତି ବଂଶୀଧର ଶତପଥୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ମାମଲାରେ ସରକାରୀ ନିଷ୍କ୍ରିୟତାକୁ ନେଇ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଘଟଣାରେ ସ˚ପୃକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଯଦି ଅକ୍ଟୋବର ୩୦ ତାରିଖ ୧୨ଟା ବେଳ ସୁଦ୍ଧା ଆଇନଜୀବୀଙ୍କ ଦାବି ପୂରଣ କରି ସରକାର ଅବଗତ ନ କରନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ। ଏଥି ସହିତ ଭୁବନେଶ୍ବର ଯାଇ ନବୀନ ନିବାସ ଘେରାଉ କରାଯିବା ପ୍ରସଂଗରେ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଆଜି ନିଷ୍ପତ୍ତି ନିଆଯାଇଛି ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବେଳେ କୌଣସି ମହକିଲଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଦିଆଯିବ ନାହିଁ। ଏଥି ସହିତ କୌଣସି ନୂଆ ମାମଲା ଦାୟର କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅକ୍ଟୋବର ୩୦ ତାରିଖ ଦିନ ୨ଟାରେ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ।

ଆଜିର ବୈଠକରେ ହାଇକୋର୍ଟ ବାର୍ ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କ ସମେତ ବାର୍ ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, ପୂର୍ବତନ ସଂପାଦକ ବିଜୟ କୁମାର ରଗଡ, ସୌରଚନ୍ଦ୍ର ମହାପାତ୍ର, ଅରୁଣ କୁମାର ବୁଦ୍ଧିଆ, ବିଶ୍ବରଂଜନ ସ୍ବାଇଁ, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର‌୍‌ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, ପୂର୍ବତନ ସ˚ପାଦକ କ୍ଷେତ୍ରମୋହନ ଧଳ, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ ପରିଡା, ଯୁଗ୍ମସ˚ପାଦକ ବିଷ୍ଣୁପ୍ରିୟା ବେହେରା, କୋଷାଧୢକ୍ଷ ଲକ୍ଷ୍ମୀନାରାୟଣ ଦାସ, ଜଗନ୍ନାଥ ମହାନ୍ତିଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର