ଭୁବନେଶ୍ବର : ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି । ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି ଆଜି ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ୪ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଛନ୍ତି ।
ଲୋକମାନଙ୍କୁ ମିଳୁଥିବା ମୌଳିକ ଆବଶ୍ୟକତାକୁ ପରିମାପ କରିବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ ଅଫିସ (ଏନଏସଓ) ପକ୍ଷରୁ ମୌଳିକ ଆବଶ୍ୟକତା ସୂଚକାଙ୍କ (ବିଏନଆଇ)ର ବ୍ୟବହାର କରାଯାଏ । ଅଧିକ ବିଏନଆଇ ଗୋଟିଏ ରାଜ୍ୟର ଅର୍ଥନୈତିକ ଉନ୍ନତିର ଏକ ସୂଚକ ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେରଳ, ଗୁଜୁରାଟ, ଦିଲ୍ଲୀ, ଗୋଆ, ମିଜୋରାମ, ସିକ୍କିମ, ପଂଜାବ, ହରିୟାଣାର ବିଏନଆଇ ସମଗ୍ର ଦେଶରେ ଅଧିକ ଓ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରାର ବିଏନଆଇ ସମଗ୍ର ଦେଶରେ ସର୍ବନିମ୍ନ । ଅର୍ଥାତ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇବାରେ ଏହି ୪ଟି ରାଜ୍ୟ ଦେଶରେ ପଛୁଆ ।
ସେହିପରି ହରିୟାଣା, ଗୁଜୁରାଟ, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର,ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ଆସାମ, ଅରୁଣାଚଳପ୍ରଦେଶ ଆଦି ରାଜ୍ୟ ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ନିଜ ସ୍ଥିତିରେ ଦ୍ରୁତ ଉନ୍ନତି ହାସଲ କରିଛନ୍ତି ।