ଭୁବନେଶ୍ବର: ରାଜ୍ୟରେ ୬୮.୫୬% ମା’ ଶିଶୁର ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରଥା’ନ୍ତି। ୭୨.୯% ଶିଶୁ ଜନ୍ମ ପରେ ପ୍ରଥମ ୬ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରନ୍ତି। ସେହିପରି ୬୭.୫% ଶିଶୁ ୬ମାସ ପରେ ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ଆରମ୍ଭ କରନ୍ତି। ‌ତେବେ ଶତ ପ୍ରତିଶତ ସ୍ତନ୍ୟପାନ ପାଇଁ ମା’ମାନେ ସଂକଳ୍ପ ନେବା ଉଚିତ ବୋଲି ଅତିଥିମାନେ ମତ ରଖିଛନ୍ତି। ଗୀତ ଗୋବିନ୍ଦ ସଦନରେ ଚଳିତବର୍ଷର ବିଶ୍ବ ସ୍ତନ୍ୟପାନ ସପ୍ତାହର ଶେଷ ଦିନରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ମହାଲିଙ୍ଗ କହିଥିଲେ ଯେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ। ଏହାଦ୍ୱାରା ସ୍ତନ୍ୟପାନ ଅଭିଯାନରେ ନୂତନ ଉତ୍ସାହ ଅଣାଯାଇପାରିବ। ସ୍ୱାସ୍ଥ୍ୟ ଓ ସଂସ୍ଥାନ ଉଭୟ ସ୍ତରରେ ମା’ମାନଙ୍କୁ ସମର୍ଥନ ଦେବା ଦ୍ୱାରା ଏହି ଲକ୍ଷ୍ୟକୁ ପୂରଣ ହୋଇପାରିବ ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ। ଏହି ଅବସରରେ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ଶିଶୁଙ୍କ ପାଇଁ ଉପଲବ୍ଧ ଶ୍ରେଷ୍ଠ ହସ୍ପିଟାଲ ଓ ପୁଷ୍ଟି ପୁନର୍ବାସ କେନ୍ଦ୍ରର ଶ୍ରେଷ୍ଠ ପୁରସ୍କୃତ ଡାକ୍ତରଖାନାକୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଚିବ ଡା. ବିଜୟ ମହାପାତ୍ର , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ପରିବାର କଲ୍ୟାଣ  ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ରାଜ୍ୟ ସ୍ୱାସ୍ଥ୍ୟ ସମ୍ବଳ କେନ୍ଦ୍ର ଟିମ୍‌ ମୁଖ୍ୟ ଡା. ଦୀନବନ୍ଧୁ ସାହୁ , ଅତିରିକ୍ତ ନିର୍ଦ୍ଦେଶକ ଡା. ଆଦିତ୍ୟ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ ପଟ୍ଟନାୟକ ଓ ୟୁନିସେଫର ସୌରଭ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।