ଆଜିଠାରୁ ବିଧାନସଭା

ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ପୂର୍ବାହ୍ନ ୧୧ଟାରେ ପ୍ରଥମ ଦିନର ବୈଠକ ବସିବ ଓ ଦୁଇ ଦିବଂଗତ ବିଧାୟକଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ନଭେମ୍ବର ୩୦ ତାରିଖରେ ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ଚିଠା ବଜେଟ୍‌ ଅର୍ଥମନ୍ତ୍ରୀ ଆଗତ କରିବେ। ଡିସେମ୍ବର ୧୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବ।

ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ଓ ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି। ଏ ମଧ୍ୟରେ ୧୬ଟି ସରକାରୀ, ପାଞ୍ଚଟି ବେସରକାରୀ ଓ ବାକି ପାଞ୍ଚ ଦିନ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ତେବେ ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଧିବେଶନରେ ନିର୍ଦିଷ୍ଟ କେଉଁ ସରକାରୀ ବିଲ୍‌ ଆସିବ, ତାହା ଜଣାପଡିନାହିଁ।

ବିଜ୍ଞପ୍ତି ଅନୁସାରେ,ପ୍ରଥମ ଦୁଇଦିନ ସରକାରୀ କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍‌ (୨୦୧୭-୧୮) ଆଗତ ହେବ। ରବିବାର ବ୍ୟତୀତ ଡିସେମ୍ବର ୨ ତାରିଖ ମହମ୍ମଦଙ୍କ ଜୟନ୍ତୀ, ଡିସେମ୍ବର ୯ ତାରିଖ ଦ୍ୱିତୀୟ ଶନିବାର ଓ ଡିସେମ୍ବର ୨୫ ତାରିଖରେ ବଡ଼ଦିନ ଅବସରରେ ବିଧାନସଭା ବୈଠକ ବସିବ ନାହିଁ। ନଭେମ୍ବର ୭, ୮ ଓ ୧୧ ତାରିଖରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ଓ ୧୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ଲାଗି ପ୍ରସ୍ତାବ ଆସିବ।

ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ, ବର୍ଷକୁ ସର୍ବନିମ୍ନ ୬୦ ଦିନ ବୈଠକ ବସିବା କଥା। ଚଳିତବର୍ଷ ପ୍ରଥମ ଦୁଇଟି ଅଧିବେଶନରେ ୩୪ଟି ବୈଠକ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର