ଓଡ଼ିଶା ବିଧାନ ପରିଷଦ ବିବାଦ ପ୍ରସଙ୍ଗ: କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି

ଭୁବନେଶ୍ବର : ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇ ନାହାନ୍ତି କହିବା ପରେ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପ୍ରତିକ୍ରିୟା ଦେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଶନିବାର ଦିନ କହିଛନ୍ତି ଯେ ଏନେଇ ସେ କେନ୍ଦ୍ରକୁ ଦୁଇଟି ପୃଥକ ପୃଥକ ଚିଠି ଲେଖିବେ। ଗୋଟିଏ ଚିଠି ସେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଲେଖିବେ। ୨୦୧୮ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ବିଧାନ ପରିଷଦ ସଂକଳ୍ପକୁ ଓଡ଼ିଶା ସରକାର କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କୁ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି ସେନେଇ ତଦନ୍ତ କରି ଜଣାଇବାକୁ ଚିଠିରେ ଲେଖିବେ।

ସେହିପରି ଆଉ ଗୋଟିଏ ଚିଠି ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ଲେଖିବେ। ସେମାନଙ୍କୁ ସେପ୍ଟେମ୍ବର ୨୦୧୮ରେ ବିଧାନସଭାରେ ପାରିତ ହୋଇଥିବା ସଂକଳ୍ପ କେମିତି ପଠାଯାଇଥିଲା, ସେଥିରେ କ’ଣ ଥିଲା ସେନେଇ ପୁଣି ଅବଗତ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ ୬ ସେପ୍ଟେମ୍ବର ୨୦୧୮ରେ ଓଡ଼ିଶା ବିଧାନସଭାରେ ଓଡ଼ିଶା ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପାରିତ ହୋଇଥିଲା। ଏହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଥିଲା।

ସମ୍ବନ୍ଧିତ ଖବର