ବିବାଦରେ ଓଡ଼ିଶା ବିଧାନ ପରିଷଦ ଗଠନ, ପ୍ରସ୍ତାବ ଯାଇଥିବା ସ୍ପଷ୍ଟ କଲେ ବାଚସ୍ପତି

ଆଶ୍ଚର୍ଯ୍ୟ ପ୍ରକଟ କଲା ବିଜେଡି, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି

ଭୁବନେଶ୍ୱର/ନୂଆଦିଲ୍ଲୀ : ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦକୁ ନେଇ ବିବାଦ ଆରମ୍ଭ ହୋଇଛି। ପରିଷଦ ଗଠନ ସମ୍ପର୍କରେ ରାଜ୍ୟ ସରକାରଙ୍କର କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇ ନାହିଁ ବୋଲି ଗତକାଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଲା ପରେ ତାହାକୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। ଆଜି ନିଜେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ପ୍ରସଙ୍ଗରେ ମୁହଁ ଖୋଲି ସ୍ପଷ୍ଟୀକରଣ ରଖିଛନ୍ତି। ବିଧାନସଭାରେ ପାରିତ ସଂକଳ୍ପ ୨୦୧୮ ମସିହାରେ ପଠାଯାଇଛି ବୋଲି ସେ କହିଛନ୍ତି। ବିଜେଡି ଏହି ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା ବେଳେ ଲୋକସଭାର ଶୂନ୍ୟକାଳରେ ଦଳର ସାଂସଦ ପ୍ରସଙ୍ଗଟିକୁ ଉଠାଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ ୨୦୧୫ ମସିହାରେ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଥିଲା। ସେଥିରେ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଭୂଜବଳ ମାଝୀ, ମନୋହର ରନ୍ଧାରୀ ଓ ନିତେଶ ଗଙ୍ଗଦେବ ପ୍ରମୁଖ ସଭ୍ୟ ଥିଲେ। ଏହି କମିଟି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସର୍କିଟ୍ ହାଉସ୍‌ରେ ତା’ର ପ୍ରଥମ ବୈଠକ ଆହୂତ କରିଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଫେବ୍ରୁଆରି ୨ ଓ ମେ’ ୨୦, ୨୦୧୮ ଜୁଲାଇ ୪ ଓ ଜୁଲାଇ ୧୬ ତାରିଖରେ କମିଟି ଯଥାକ୍ରମେ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ ସାରି ସେଠାରେ ଚାଲିଥିବା ବିଧାନ ପରିଷଦ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି ରିପୋର୍ଟ ପାଇବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ୨୦୧୮ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବକୁ ୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ସମସ୍ତ ବିଧାୟକ, ବିଧାୟିକାଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ୨୦୧୮ ସେପ୍ଟେମ୍ବର ୬ ତାରିଖରେ ଏହି ପ୍ରସ୍ତାବ ବିଧାନସଭାରେ ଆଲୋଚନା ହୋଇ ଭୋଟିଂ ହୋଇଥିଲା। ପ୍ରସ୍ତାବଟିକୁ ଦୁଇ ତୃତୀୟାଂଶରୁ ଅଧିକ ସଭ୍ୟସଭ୍ୟା ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ଧାରା ୧୬୯(୧) ଅନୁଯାୟୀ ଗ୍ରହଣ କରାଯାଇଥିଲା।

ବିଧାନସଭାରେ ଥିବା ୧୪୭ ମଧ୍ୟରୁ ୧୦୪ ଜଣ ସମସ୍ତ ଦଳରୁ ବିଧାୟକ, ବିଧାୟିକା ଉପସ୍ଥିତ ରହି ସମସ୍ତେ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ ଓ ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ବିଧାନ ପରିଷଦ ଗଠନ ସକାଶେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭାରେ ପାରିତ ପ୍ରସ୍ତାବର ନକଲ ସେକ୍ରେଟାରି ଜେନେରାଲ (ଲୋକସଭା) ଓ ସେକ୍ରେଟାରି ଜେନେରାଲ (ରାଜ୍ୟସଭା), କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବ, ସଂସଦୀୟ ବ୍ୟାପାର ସଚିବ ଓ କମିସନର୍ ଏବଂ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବଙ୍କୁ ପ୍ରେରଣ କରାଯାଇଥିଲା। ଏହା ସତ୍ତ୍ବେ କେନ୍ଦ୍ର ସରକାର ପ୍ରସ୍ତାବ ପାଇ ନାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଲୋକସଭାରେ କହିବା ଆଶ୍ଚର୍ଯ୍ୟଜନକ ବୋଲି ବାଚସ୍ପତି କହିଛନ୍ତି।

ଶୁକ୍ରବାର ଦିନ ଲୋକସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ରାଜ୍ୟ ବିଧାନସଭା ଦ୍ବାରା ବିଧାନ ପରିଷଦ ଗଠନ ନେଇ ତିନି ବର୍ଷ ପୂର୍ବେ ପାରିତ କରାଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଦକ୍ଷେପ ନିଆଯିବା ପାଇଁ ପଠାଯାଇଥିଲା। ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦ୍ବାରା ସଂସଦରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତୀୟ ପ୍ରସ୍ତାବ ମିଳି ନଥିବାର ବୋଲି କୁହାଯିବା ବିସ୍ମୟକର। ଜଣାପଡୁଛି ଗୋଟିଏ ମନ୍ତ୍ରାଳୟ ଅନ୍ୟ ମନ୍ତ୍ରାଳୟର କାର୍ଯ୍ୟ ବିଷୟରେ ଜାଣି ନାହିଁ। ବିଜେଡି ସାଂସଦମାନେ ବିଧାନ ପରିଷଦ ଗଠନ ପାଇଁ ପାରିତ ହୋଇଥିବା ପ୍ରସ୍ତାବ ସହିତ କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହା ଷୋଡ଼ଶ ଲୋକସଭାରେ ହୋଇଥିଲା। କାରଣ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ପ୍ରସ୍ତାବକୁ ସଂସଦରେ ଆଗତ କରାଯାଇଥାଏ। ତେଣୁ ପ୍ରାସଙ୍ଗିକ ପ୍ରଶ୍ନଗୁଡ଼ିକର ଏଭଳି ଖାମଖିଆଲ ଢଙ୍ଗରେ ଉତ୍ତର ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ମହତାବ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ଭୁଲ୍‌ ଉତ୍ତରକୁ ସରକାର ସୁଧାରିବେ ବୋଲି ସେ ଆଶାପ୍ରକଟ କରିଥିଲେ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ଏହାକୁ କେନ୍ଦ୍ରକୁ ନ ପଠାଇବାର କିଛି କାରଣ ନାହିଁ। ଓଡ଼ିଶା ବିଧାନସଭାର ବାଚସ୍ପତି ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ତେଣୁ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର ଆମକୁ ଆଶ୍ଚର୍ଯ୍ୟ କରୁଛି। ଆଗାମୀ ଅଧିବେଶନରେ ଏପରି ବିଭ୍ରାନ୍ତିକର ଉତ୍ତର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଣି ପ୍ରଶ୍ନ କରିବୁ। ବିଜେଡି ସାଂସଦ ମୁନା ଖାନ୍ କହିଛନ୍ତି ଯେ ଏହି ପ୍ରସଙ୍ଗ ପୂର୍ବରୁ ସଂସଦରେ ଉଠାଯାଇଛି। କିନ୍ତୁ କେନ୍ଦ୍ର ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ। କିନ୍ତୁ ଏବେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ଯେ ଏପରି ପ୍ରସ୍ତାବ ପାଇ ନାହାନ୍ତି। ଏହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ।

ସୂଚନାଯୋଗ୍ୟ ଯେ ଗତକାଲି ଲୋକସଭାରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନ ଥିଲା ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି? ଏହାର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜୁ କହିଥିଲେ ଯେ ରାଜ୍ୟ ସରକାରଙ୍କ ଏପରି କୌଣସି ପ୍ରସ୍ତାବ କେନ୍ଦ୍ର ସରକାର ପାଇ ନାହାନ୍ତି।

ସମ୍ବନ୍ଧିତ ଖବର