ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀର ୬ଷ୍ଠ ବାର୍ଷିକୀ ଓ ଲାଇବ୍ରେରୀଆନ୍‌ ଦିବସ ପାଳିତ

ଭୁବନେଶ୍ବର: ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ୬ଷ୍ଠ ବାର୍ଷିକୀ ଓ  ଲାଇବ୍ରେରୀଆନ୍‌ ଦିବସ ପାଳନ କରିବା ସହିତ ‘ୟୁଜର ଇକ୍ବିଟି ଏଣ୍ତ ଇନ୍‌କ୍ଳୁଜନ୍‌ ମହାମାରୀ ସମୟରେ ଶିକ୍ଷା ଏବଂ ଗବେଷଣାରେ ପାଠାଗାରର ଭୂମିକା’ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହ୍ମପୁର ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦକ୍ଷିଣ ଓଡ଼ିଶାରେ ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ବିଶ୍ବବିଦ୍ୟାଳୟରେ ଲାଇବ୍ରେରୀ ସାଇନ୍ସ ବିଭାଗ ଖୋଲିବାକୁ ବର୍ତ୍ତମାନ ସମୟର ଏକ ଆହ୍ନାନ ବୋଲି କହିଥିଲେ। କୌଣସି ଏକ ଅନୁଷ୍ଠାନର ଗୁଣବତ୍ତା ତାହାର ଲାଇବ୍ରେରୀରୁ ଜଣାପଡ଼ିଥାଏ। ତେଣୁ ଲାଇବ୍ରେରୀ ଓ ଲାଇବ୍ରେରୀଆନ୍‌ ମାନଙ୍କ ସର୍ବବିଧ ବିକାଶ ଶିକ୍ଷା ବ୍ୟବସ୍ଥାରେ ଅଧିକ ଗୁରୁତ୍ବପୂର୍ଣ୍ଣ ହେବା କଥା ବୋଲି ପ୍ରଫେସର ଚକ୍ରପାଣି କହିଥିଲେ।

ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀର ସଭାପତି ଡ଼ଃ. ବାନାମ୍ବର ସାହୁଙ୍କ ଉଦ୍‌ଘାଟନୀ ଅଭିଭାଷଣରୁ ଆରମ୍ଭ ହୋଇଥିବା ଏହି ସଭାରେ ସାଙ୍ଗଠନିକ ସମ୍ପାଦକ ଡ଼ଃ. ନୃସିଂହ କୁମାର ଦାଶ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଡ଼ଃ. ବାସୁଦେବ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଡ଼ଃ. ବାନାମ୍ବର ସାହୁ ଏକାଡ଼େମୀର ବିବରଣୀ ପାଠ କରି କଲେଜ ଓ ୟୁନିଭରସିଟିରେ କାର୍ଯ୍ୟରତ ଲାଇବ୍ରେରୀଆନ୍‌ ମାନେ ୟୁଜିସି ହାରରେ ଦରମା ପାଉନଥିବା କଥା ପ୍ରକାଶ କରିଥି‌ଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ ମୁଖ୍ୟ ପ୍ରଫେସର ପ୍ରଭାକର ରଥ, ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ‌ଟେକ୍ନୋଲୋଜି ନି‌ର୍ଦେଶକ ଡ଼ଃ. ସରୋଜକାନ୍ତ ମିଶ୍ର ଏବଂ ଚେନ୍ନାଇ ସ୍ଥିତ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଉପସଭାପତି ଡ଼ଃ. ଶଙ୍କର ଭେନୁଗୋପାଳ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ଡ଼ଃ. ଭେନୁଗୋପାଳ ନୂତନ ଆବିଷ୍କାର ସମ୍ବନ୍ଧରେ ପ୍ରକାଶ କରିବାସହ ଭବିଷ୍ୟତ ଲାଇବ୍ରେରୀର ବିଭିନ୍ନ ‌ମଡ଼େଲ ପ୍ରଦର୍ଶନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରନ୍ଥାଗାର ବିଜ୍ଞାନର ଜନକ୍‌ ପଦ୍ମଶ୍ରୀ ଏସ୍‌.ଆର. ରଙ୍ଗନାଥନ୍‌ଙ୍କ ଜନ୍ମ ଦିବସକୁ ଜାତୀୟ ଲାଇବ୍ରେରୀଆନ୍‌ ଦିବସ ଭାବେ ପାଳନ କରାଯାଉଛି। ଡ଼ଃ. ରଙ୍ଗନାଥନ୍‌ ୯ ଅଗଷ୍ଟ ୧୯୮୨ ଜନ୍ମ ଗ୍ରହଣ କରିଥିଲେ ଏବଂ ଲାଇବ୍ରେରୀ ବିଜ୍ଞାନରେ ବହୁମୂଲ୍ୟ ଅବଦାନ ପାଇଁ ୧୯୫୭ ମସିହାରେ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବାସହ ତାଙ୍କୁ ଜାତୀୟ ଅନୁସନ୍ଧାନ ପ୍ରଫେସର ନାମକ ଏକ ବିରଳ ଆଖ୍ୟାରେ ସମ୍ମାନୀତ ମଧ୍ୟ କରିଥିଲେ। ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ୱେବ୍‌ ଟିମ୍‌ର ସଦସ୍ୟ ଶ୍ରୀ ନିରଞ୍ଜନ ମହାପାତ୍ରଙ୍କ ସହଯୋଗରେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଡ଼ଃ. ନୃସିଂହ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥି‌ଲେ।

ସମ୍ବନ୍ଧିତ ଖବର