ଆଉ ୩୬ ଘଣ୍ଟା ବର୍ଷିବ

ଭୁବନେଶ୍ୱର: ପାଖାପାଖି ଏକ ମାସ ତଳେ ବିଦାୟ ନେଇଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସାରା ଓଡ଼ିଶାର ପାଗ ଶୁଖିଲା ହୋଇପଡ଼ିଥିଲା। କିନ୍ତୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଅଦିନିଆ ବର୍ଷାରେ ରାଜ୍ୟର ଅଧିକାଂଶ ସ୍ଥାନ ଭିଜିଛି। ଦକ୍ଷିଣ ପରେ ଉପକୂଳ, ଉତ୍ତର ଓଡ଼ିଶା ଏବଂ ଅଭ୍ୟନ୍ତରର ଅନେକ ସ୍ଥାନରେ ବର୍ଷା ହୋଇଛି। ଚକଡ଼ା ପୋକ ଆକ୍ରମଣରୁ ଯେଉଁ ଚାଷୀମାନେ ବର୍ତି ଯାଇଥିଲେ, ସେମାନଙ୍କ ଉପରେ ଲଗାଣ ବର୍ଷା ଦାଉ ସାଧିଛି। ବିଶେଷ କରି ଦକ୍ଷିଣ, ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ସକାଳେ ସ୍ପଷ୍ଟଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ବର୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଆଖପାଖ ଆନ୍ଧ୍ର ପ୍ରଦେଶ ଉପକୂଳରେ ରହିଛି। ଗୋପାଳପୁରରୁ ପ୍ରାୟ ୩୮୦ କି.ମି. ଦୂରରେ ଥାଇ ଏହା ଘଣ୍ଟାକୁ ପ୍ରାୟ ୧୪ କି.ମି. ବେଗରେ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଆଗାମୀ ୨୪ ଘଣ୍ଟା ଭିତରେ ଏହା ଦୁର୍ବଳ ହେବ ଓ ଗଞ୍ଜାମ ଉପକୂଳ ଦେଇ ସ୍ଥଳଭାଗକୁ ଛୁଇଁପାରେ। ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଉପକୂଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷ କରି ଆସନ୍ତାକାଲି ପୁରୀ, ନୟାଗଡ଼, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଜିଲ୍ଲା ଏବଂ ଏହାର ଆଖପାଖ କିଛି ସ୍ଥାନରେ ବି ବର୍ଷିବ।

ଏହି ସମୟରେ ପବନର ବେଗ ଘଣ୍ଟାକୁ ୪୦ରୁ ୫୦ କି.ମି. ଏବଂ ସର୍ବାଧିକ ବେଗ ୬୦ କି.ମି. ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅଧିକ ବେଗରେ ପବନ ବହୁଥିବାରୁ ଗତକାଲି ଭଳି ଆଜି ବି ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅବଶ୍ୟ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତୀ ପୁରୀରେ ସର୍ବାଧିକ ୩୧.୭ ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ହୋଇଛି ୪୨ ମି.ମି.। ସେହିପରି ଗତ ୨୪ ଘଣ୍ଟାରେ ଗୋପାଳପୁରରେ ୨୦.୬ ମି.ମି., ପାରାଦୀପରେ ୧୧ ମି.ମି., କଟକରେ ୮ ମି.ମି., ଭୁବନେଶ୍ୱରରେ ୭.୧ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ପୁରୀକୁ ଛାଡ଼ିଦେଲେ, ଚାନ୍ଦବାଲିରେ ୩୪ ମି.ମି., ପାରାଦୀପରେ ୩୩ ମି.ମି., ଗୋପାଳପୁରରେ ୨୭ ମି.ମି., ଭୁବନେଶ୍ୱରରେ ୨୪.୪ ମି.ମି., କଟକରେ ୨୧ ମି.ମି., ଦାରିଙ୍ଗିବାଡ଼ିରେ ୧୫ ମି.ମି., ଢେଙ୍କାନାଳରେ ୧୩ ମି.ମି., ଫୁଲବାଣୀରେ ୯ ମି.ମି. ବର୍ଷା ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଆଜିର ପାଗ ପୂରା ବଦଳିି ଯାଇଛି। ଉପକୂଳର ସମସ୍ତ ସ୍ଥାନରେ ସର୍ବୋଚ୍ଚ ଅର୍ଥାତ୍‌ ଦିନର ତାପମାତ୍ରା ୨୨°ରୁ ୨୪° ମଧ୍ୟରେ ରହିଛି। ସାରା ରାଜ୍ୟରେ କେବଳ ହୀରାକୁଦ, ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ୩୦° ଉପରେ ରହିଛି। ଆଜି ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫° ସେଲ୍‌ସିୟସ ରେକର୍ଡ ହୋଇଛି। ଗତକାଲି ୧୪ଟି ସ୍ଥାନରେ ପାରଦ ୨୦° ତଳେ ଥିବା ବେଳେ ଆଜି ୧୩ଟି ସ୍ଥାନରେ ଏହା ରହିଛି। ଫଳରେ ଦିନ ଅପେକ୍ଷାକୃତ ଥଣ୍ଡା ଅନୁଭୂତ ହେଉଛି। ରାତିର ଥଣ୍ଡା କମିଛି।

ସମ୍ବନ୍ଧିତ ଖବର