ଫେରିଗଲା ୩୦ ହଜାର କୋଟି

ଦାୟୀ କିଏ ନେତା ନା ବାବୁ?

ଭୁବନେଶ୍ୱର : ବିଧାନସଭାରେ ବଜେଟ୍‌ ଉପସ୍ଥାପନ ବେଳେ ଅନେକ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। କେତେବେଳେ ନୂଆ ଯୋଜନା ଘୋଷଣା କରାଯାଉଛି ତ ଆଉ କେତେବେଳେ ବିଭିନ୍ନ ଯୋଜନାର ବ୍ୟୟ ଅଟକଳ ବଢାଇ ସରକାର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ହେଲେ ସରକାରଙ୍କ ବଜେଟ୍‌ ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଦୂରତା ଯେ ଦିନକୁ ଦିନ ବଢିଚାଲିଛି, ଏକଥା ବିଳମ୍ବରେ ହେଲେ ବି ପଦାକୁ ଆସିଛି।

ଅର୍ଥ ବିଭାଗର ତଥ୍ୟ ବୟାନ କରୁଛି ଯେ ୨୦୧୨-୧୩ରୁ ୨୦୧୬-୧୭ ଏହି ୫ବର୍ଷ ଭିତରେ ପାଞ୍ଚ କି ଦଶ କୋଟି ନୁହେଁ, ବଜେଟ୍‌ରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ପୂରା ୩୦ ହଜାର କୋଟି ଟଙ୍କା ବିଭାଗମାନେ ଖର୍ଚ୍ଚ କରିପାରି ନାହାନ୍ତି। ଅର୍ଥାତ୍‌ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ମନରେ ଯେଉଁ ଆଶାର ମଞ୍ଜି ବୁଣିଥିଲେ, ତାହା କୌଣସି କାରଣରୁ ଫଳ ଫଳିବା ଆଗରୁ ଭାଙ୍ଗିଯାଇଛି।

କେନ୍ଦ୍ରୀୟ ଯୋଜନା ହିସାବକୁ ନେଲେ ଏହାର ଆକାର ଆହୁରି ଅଧିକ ହେବ। ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ଓ ଅଣଯୋଜନାରେ ଗତ ଚାରିବର୍ଷ ମଧ୍ୟରେ ଯେତେ ଅର୍ଥ ବରାଦ ହୋଇଛି ସେଥିରୁ ୫୯ ହଜାର ୬୮୫ କୋଟି ଟଙ୍କା ସମ୍ପୃକ୍ତ ବର୍ଷ ଗୁଡିକରେ ସରକାର ଖର୍ଚ୍ଚ କରିପାରି ନାହାନ୍ତି ବୋଲି ବିଧାନସଭାରେ ଯୋଜନା ଓ ସଂଯୋଜନ ବିଭାଗର ମନ୍ତ୍ରୀ ଉଷା ଦେବୀ ସ୍ୱୀକାର କରିଥିଲେ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଏତେ ବଡ଼ ପରିମାଣର ଟଙ୍କା ଖର୍ଚ୍ଚ ହୋଇନପାରିବା ପଛର କାରଣ କଣ? କାହାକୁ ଉତ୍ତରଦାୟୀ କରାଯିବ? ବିଭାଗୀୟ ମନ୍ତ୍ରୀ ନା ବାବୁ? ମୁଖ୍ୟମନ୍ତ୍ରୀ ଏଭଳି ଏକ ସଙ୍ଗିନ୍‌ ପ୍ରସଙ୍ଗରେ ନିରବ କାହିଁକି?

ରାଜ୍ୟ ସରକାରରେ ମନ୍ତ୍ରୀ ଓ ଅମଲାତନ୍ତ୍ର ମଧ୍ୟରେ ନିବିଡତା କେତେ ତାହା ଆଉ କାହାକୁ ଅଛପା ନାହିଁ। ସ୍ଥିତି ଏତେ ଗମ୍ଭୀର ଯେ ଅଧିକାଂଶ ବିଭାଗର ମନ୍ତ୍ରୀ-ସଚିବଙ୍କ ସଂପର୍କ ଭଲ ନାହିଁ। ସଚିବ-ତଳିଆ ଅଧିକାରୀଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ସର୍ବୋପରି ଗଣତନ୍ତ୍ର ମନ୍ଦିର ବୋଲି କୁହାଯାଉଥିବା ରାଜ୍ୟ ବିଧାନସଭାରେ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜ ଅସହାୟତା ପ୍ରକଟ କରିବାକୁ ବି ପଛେଇଲେ ନାହିଁ।

ହେଲେ ଶାସନର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ ନେଇ ସମ୍ପୂର୍ଣ୍ଣ ବେଫିକର। ମନ୍ତ୍ରୀ-ବାବୁଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ସେ ବ୍ୟସ୍ତ ନୁହନ୍ତି କି ତାଙ୍କ ଅଫିସ୍‌। ବଜେଟ୍‌ ଅର୍ଥ ଖର୍ଚ୍ଚ ହୋଇପାରୁନଥିବା ନେଇ ସିଏଜିଙ୍କ ଆପତ୍ତି, ଅର୍ଥ ବିଭାଗର ଚିନ୍ତା ଏମାନଙ୍କୁ ଯେମିତି ବ୍ୟଥିତ କରୁନାହିଁ। ମନ୍ତ୍ରୀ-ସଚିବଙ୍କ ଅପଡ ପଛର କାରଣ ଖୋଜୁନାହାନ୍ତି କି ଅର୍ଥ ଖର୍ଚ୍ଚ ହୋଇନପାରିବା ନେଇ କାହାକୁ ତାଗିଦ୍‌ କରିବା ଦେଖାଯାଉନାହିଁ।

ଜଣେ ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ ପ୍ରତିବର୍ଷ ବଜେଟ୍‌ ଓ ଅତିରିକ୍ତ ବଜେଟ୍‌ ଆଗତ ପୂର୍ବରୁ ମନ୍ତ୍ରୀ ପରିଷଦ ଏହାକୁ ଅନୁମୋଦନ ଦେଇଥାନ୍ତି। ମୁଖ୍ୟମନ୍ତ୍ରୀ ସେଦିନ ବିଭାଗମାନଙ୍କୁ ଦିଆଯାଉଥିବା ଅର୍ଥ ଖର୍ଚ୍ଚ କରିବା ଲାଗି ତାଗିଦ୍‌ କରିଥାନ୍ତି। ହେଲେ ଅର୍ଥ ବିଭାଗର ତଥ୍ୟକୁ ଯଦି ବିଚାରକୁ ନିଆଯାଏ, ତେବେ ଏକଥା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ବାବୁମାନେ କିମ୍ବା ମନ୍ତ୍ରୀମାନେ ଆଉ ଖାତିର୍‌ କରିବା ଅବସ୍ଥାରେ ନାହାନ୍ତି।

ହେଲେ ଦ୍ୱନ୍ଦ୍ୱ ହେଉଛି, ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ, ଅର୍ଥମନ୍ତ୍ରୀ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିୟମିତ ବ୍ୟବଧାନରେ ଅର୍ଥ ଖର୍ଚ୍ଚ ପ୍ରକ୍ରିୟାର ସମୀକ୍ଷା କରୁଥିଲେ। ଯଦି କୌଣସି ସ୍ଥାନରେ ଅର୍ଥ ଖର୍ଚ୍ଚ ହୋଇପାରୁନଥିଲା ବା କୌଣସି ବାଧାବିଘ୍ନ ରହୁଥିଲା, ସରକାର ତାହାର ସମାଧାନ କରୁଥିଲେ। ହେଲେ ଏବେ ନା ମୁଖ୍ୟମନ୍ତ୍ରୀ, ନା ଅର୍ଥମନ୍ତ୍ରୀ ନା ରାଜ୍ୟ ଯୋଜନା ବୋର୍ଡ କେହି ଏ ନେଇ ଦୃଷ୍ଟି ଦେଉନାହାନ୍ତି। ଗତ ୧୧ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିନାହିଁ। ଏଣୁ ଏହାର ଜବରଦସ୍ତ ପ୍ରଭାବ ପଡୁଛି। ମନ୍ତ୍ରୀ-ସଚିବ ବେପରୁଆ ହୋଇପଡିଛନ୍ତି।

ଜଣେ ପ୍ରଶାସକଙ୍କ ମତରେ, ମୁଖ୍ୟଶାସନ ସଚିବ ନିୟମିତ ବ୍ୟବଧାନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରୁଛନ୍ତି ସତ। କିନ୍ତୁ ବଳକା ଅର୍ଥର ପରିମାଣ ଦେଖିଲେ ଧରାପଡିଯାଉଛି ଯେ ଏଥିରେ ନିଷ୍ଠା ବା ଆନ୍ତରିକତା କମ୍‌ ରହିଛି ଅଥବା ବାବୁମାନେ ମୁଖ୍ୟ ସଚିବଙ୍କୁ ବିଭ୍ରାନ୍ତ କରୁଛନ୍ତି ବା ଜାଣିଶୁଣି ଅନ୍ଧାରରେ ରଖୁଛନ୍ତି। ଅନୁଶାସନର ଅଭାବକୁ ଏଥିପାଇଁ ଦାୟୀ କରାଯାଉଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି, ଅପେକ୍ଷାକୃତ ଯୋଗ୍ୟ ବ୍ୟକ୍ତି ଓ ବାବୁଙ୍କୁ ମନ୍ତ୍ରୀ ପଦବି ଏବଂ ସଚିବ, ନିର୍ଦେଶକ ପଦବିରୁ ଦୁରେଇ ରଖିଦିଆଯାଇଛି। ଯିଏ ସରକାରଙ୍କ କଥାରେ ହଁ ମାରିଲା, ସେଭଳି ଅନୁଗତ ଅଧିକାରୀଙ୍କୁ ଭଲ ବିଭାଗରେ ନିଯୁକ୍ତି ମିଳୁଛି। କେବଳ ସେତିକି ନୁହେଁ, ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କୈନ୍ଦ୍ରିକ ହୋଇଯିବା କାରଣରୁ ମନ୍ତ୍ରୀ, ମୁଖ୍ୟସଚିବ ବା ଉନ୍ନୟନ କମିସନରଙ୍କ ଭଳି ପଦବିର ଗୁରୁତ୍ୱ କମିଯାଉଛି। ସରକାର ଏଥିରେ ସୁଧାର ନ ଆଣିଲେ, ଆଗାମୀ ଦିନରେ ବିକାଶ ତ ଦିଗହରା ହେବ, ଆର୍ଥିକ ଶୃଙ୍ଖଳା ବିଗିଡିଯିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଭଲ କାମକୁ ଯେମିତି ପ୍ରଶଂସା କରୁଛନ୍ତି, ସେମିତି ବିଭାଗର ଅପାରଗତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରି ହୋଇପଡିଛି।

ଉଲ୍ଲେଖଯୋଗ୍ୟ, ୨୦୧୨-୧୩ରେ ବିଭାଗମାନେ ରାଜ୍ୟର ବିଭିନ୍ନ ସ୍କିମ୍‌ରେ ୨୮୫୪ କୋଟି ୪ଲକ୍ଷ ଟଙ୍କା ଫେରାଇଥିବା ବେଳେ ୨୦୧୩-୧୪ରେ ୧୭୦୧ କୋଟି ୫୩ ଲକ୍ଷ ଟଙ୍କା ୨୦୧୪-୧୫ରେ ୧୦ ହଜାର ୪୬୯ କୋଟି ୬୫ଲକ୍ଷ ଟଙ୍କା, ୨୦୧୫-୧୬ରେ ୮୧୭୦ କୋଟି ୦୯ ଲକ୍ଷ ଟଙ୍କା, ୨୦୧୬-୧୭ରେ ୬ହଜାର ୮୩୪ କୋଟିି ଫେରାଇଥିବା ଅର୍ଥ ବିଭାଗ କହିଛି।

ସମ୍ବନ୍ଧିତ ଖବର