ତିକ୍ତ ହେଉଛି କେନ୍ଦ୍ର-ରାଜ୍ୟ ସଂପର୍କ : ନୀତି ଆୟୋଗ ବୈଠକକୁ ବର୍ଜନ

୮ ଜିଲ୍ଲାପାଳଙ୍କୁ ଯୋଗଦେବାକୁ ସରକାର ଅନୁମତି ଦେଲେ ନାହିଁ

ପଛୁଆ ଜିଲ୍ଲା ଚିହ୍ନଟରେ ମନମାନିକୁ ନେଇ ରାଜ୍ୟର ଆପତ୍ତି

କେନ୍ଦ୍ରର ମନମାନିକୁ ପଶ୍ଚିମବଙ୍ଗ ବି ବିରୋଧ କଲା

ଭୁବନେଶ୍ୱର : ବିଜେଡି-ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ତିକ୍ତତା କାହାକୁ ଅଛପା ନାହିଁ। ଦୁହେଁ ଦୁହିଁଙ୍କର ପତିଆରା ଜାହିର କରିବା ଲାଗି ଯେ କୌଣସି ସ୍ତରକୁ ଯିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏବେ କିନ୍ତୁ ଏହାର ପ୍ରଭାବ ଉଭୟ ସରକାର ଉପରେ ଗଭୀର ଭାବେ ପଡ଼ିଲାଣି। ମୋଦିଙ୍କ ନ୍ୟୁ ଇଣ୍ଡିଆ- ୨୦୨୨କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି ଯେ ଆସନ୍ତାକାଲି ଏ ସଂକ୍ରାନ୍ତରେ ନୀତି ଆୟୋଗ ଡାକିଥିବା ପ୍ରଭାରୀ ଅଫିସରଙ୍କ ବୈଠକରେ ଓଡ଼ିଶାର ୮ ଜିଲ୍ଲାପାଳ ଯୋଗଦେଉ ୦ନାହାନ୍ତି। ରାଜ୍ୟ ସରକାର ନୀତି ଆୟୋଗର ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳମାନଙ୍କୁ ଯୋଗଦେବା ଲାଗି ଅନୁମତି ମିଳି ନାହିଁ। କେନ୍ଦ୍ର-ରାଜ୍ୟ ସରକାରଙ୍କ ବଳ କଷାକଷି ଭିତରେ ଏବେ କେନ୍ଦ୍ରୀୟ ଯୋଜନା ଓ ପଛୁଆ ଅଞ୍ଚଳର ବିକାଶ ବନ୍ଧା ପଡିବାକୁ ଯାଉଛି।

ପୂର୍ବରୁ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଦ୍ୱାରା ନିଯୁକ୍ତ ବୈଠକକୁ ପ୍ରତ୍ୟାଖ୍ୟାନ କରିଥିଲା ଓଡ଼ିଶା। ରାଜ୍ୟ ସ୍ୱାର୍ଥ ହାନିର ଦ୍ୱାହି ଦେଇ କେନ୍ଦ୍ର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚ୍ୟାଲେଞ୍ଜ କରିଥିଲେ। ଏଥର କିନ୍ତୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ, କେରଳ ଭଳି ରାଜ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମନମାନିକୁ ବିରୋଧ କରିବାକୁ ଯାଇ ଆସନ୍ତାକାଲି ବୈଠକରେ ଯୋଗ ଦେଉନାହାନ୍ତି।

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, ନୀତି ଆୟୋଗ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଲେଣି। ମୋଦିଙ୍କ ନ୍ୟୁ ଇଣ୍ଡିଆ -୨୦୨୨ ପାଇଁ ପ୍ରସ୍ତୁତ ହୋଇଥିବା ୧୧୫ଟି ପଛୁଆ ଜିଲ୍ଲା ତାଲିକା ଚୟନ ବେଳେ ଆୟୋଗ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ସହ ଆଦୌ ଆଲୋଚନା କରିନାହାନ୍ତି। ନବରଙ୍ଗପୁର ଭଳି ଦୁର୍ଗମ ଅଞ୍ଚଳକୁ ତାଲିକାରେ ସ୍ଥାନ ମିଳିନାହିଁ, ଅଥଚ ଢେଙ୍କାନାଳ ଜିଲ୍ଲାକୁ ଓଡ଼ିଶାର ପଛୁଆ ଜିଲ୍ଲାର ମାନ୍ୟତା ମିଳିଛି। ଏଭଳି ପରିପ୍ରେକ୍ଷୀରେ ଉକ୍ତ ବୈଠକରେ ଯୋଗଦେବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୋଦିଙ୍କ ନ୍ୟୁ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶାର ୮ଟି ଜିଲ୍ଲାକୁ ସ୍ଥାନ ମିଳିଛି। ଆୟୋଗ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି, ବଲାଙ୍ଗୀର ଓ ଢେଙ୍କାନାଳକୁ

ପଛୁଆ ଜିଲ୍ଲା ଭାବେ ଚିହ୍ନଟ କରିଛନ୍ତି। ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ବିକାଶ ଓ ମାଓବାଦୀ ଉପଦ୍ରୁତ ଜିଲ୍ଲାକୁ ନେଇ ନୀତି ଆୟୋଗ ଏହି ତାଲିକା କରିଥିବା କୁହାଯାଉଛି। ପ୍ରତି ଜିଲ୍ଲା ପାଇଁ କେନ୍ଦ୍ର ଜଣେ ଲେଖାଏଁ ଯୁଗ୍ମ ଓ ଅତିରିକ୍ତ ସଚିବ ପାହ୍ୟାର ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି କ୍ରମରେ ଅପରାଜିତା ଷଡ଼ଙ୍ଗୀ, ସନ୍ତୋଷ ଷଡ଼ଙ୍ଗୀ, ନିକୁଞ୍ଜ ସୁନ୍ଦରାୟଙ୍କ ସମେତ ୬ଜଣ ଓଡ଼ିଶା କ୍ୟା଼଼ଡ଼ର ଓ ଅନ୍ୟ ଦୁଇଜଣ ଅଣ ଓଡ଼ିଆ ବରିଷ୍ଠ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତାକାଲି ଓ ୫ ତାରିଖରେ ନୂଆଦିଲ୍ଲୀରେ ପ୍ରଭାରୀ ଅଫିସରଙ୍କୁ ନେଇ ବୈଠକ ହେବ, ଯେଉଁଥିରେ ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗଦେଇଥାନ୍ତେ। ହେଲେ ସରକାର ସେମାନଙ୍କୁ ଅନୁମତି ଦେଇନାହାନ୍ତି।

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି, କେବିକେ ଅଞ୍ଚଳରେ ଥିବା ପଛୁଆ ଜିଲ୍ଲାଗୁଡ଼ିକୁ ଅନୁଦାନ ଯୋଗାଇଦେବା ଲାଗି ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ସରକାର ସ୍ୱତନ୍ତ୍ର କେବିକେ ଯୋଜନା, ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି(ବିଆର୍‌ଜିଏଫ୍‌), ମାଓ ଉପଦ୍ରୁତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମନ୍ଵିତ କାର୍ଯ୍ୟ ଯୋଜନା (ଆଇଏପି) ପାଣ୍ଠି ବନ୍ଦ କରିଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ପଛୁଆ ହୋଇଥିବା ବେଳେ ସେଠାରେ କେନ୍ଦ୍ରୀୟ ସହାୟତା ମିଳୁନାହିଁ।

ଅନ୍ୟପକ୍ଷରେ ରାଜ୍ୟ ସରକାର ପଛୁଆ ଜିଲ୍ଲାକୁ ଫୋକସ୍‌ କରି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଉନ୍ନୟନ କାର୍ଯ୍ୟ ସମୀକ୍ଷା କରି ରିପୋର୍ଟ ଦେବା ପାଇଁ ସବୁ ସଚିବଙ୍କୁ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ ଲାଗି ନିର୍ଦେଶ ଦିଆଯାଇଛି। କେନ୍ଦ୍ର ଚିହ୍ନଟ କରିଥିବା ୮ଟି ଜିଲ୍ଲା ବି ଏଥିରେ ରହିଛି। ଏପରିସ୍ଥଳେ ସମାନ୍ତରାଳ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦ୍ୱନ୍ଦ୍ୱ ବଢିବ ସିନା କମିବ ନାହିଁ।

ପଛୁଆ ଜିଲ୍ଲାର ବିକାଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେଣ୍ଡା ବୋଲି ଉଭୟ ଦାବି କରୁଛନ୍ତି। ଉଭୟ ସରକାର ସଂଘୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବା ଯୁକ୍ତି ରଖୁଛନ୍ତି। ଯଦି ଉଭୟଙ୍କ ଉଦ୍ଦେଶ୍ୟ ମହତ, ତେବେ ଏହି ତାଲିକା ପ୍ରସ୍ତୁତ ପୂର୍ବରୁ କାହିଁକି କେନ୍ଦ୍ର ସରକାର ରାଜ୍ୟ ସହିତ ଆଲୋଚନା କଲେ ନାହିଁ? କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରି ତାଲିକା ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଚାପ ପକାଇଥିଲେ କି? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଉଭୟ ସରକାର ଦେବା ଉଚିତ୍‌ ବୋଲି ରାଜନୈତିକ ବିଶେଷଜ୍ଞମାନଙ୍କ ମତ ଦେଇଛନ୍ତି।

ପ୍ରଶ୍ନ ହେଉଛିି, ଯଦି ରାଜ୍ୟ ସରକାର ମୋଦିଙ୍କ ନ୍ୟୁ ଇଣ୍ଡିଆ କାର୍ଯ୍ୟକ୍ରମରୁ ଦୂରେଇ ଯାଏ, ତେବେ କେନ୍ଦ୍ରକୁ ଆଗକୁ କି ପଦକ୍ଷେପ ନେବ? ଆପୋସ ସମାଧାନ କରିବା ଲାଗି ଆଗ୍ରହ ଦେଖାଇବ ନା ଓଡ଼ିଶା ମୋଦିଙ୍କ ନ୍ୟୁ ଇଣ୍ଡିଆ କାର୍ଯ୍ୟକ୍ରମରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିବ? ଆଗକୁ ରାଜ୍ୟ-କେନ୍ଦ୍ର ସମ୍ପର୍କ ଅଧିକ ବିଗିଡିଯିବନି ତ? ଆର୍ଥିକ ଦୃଷ୍ଟିରୁ ଓଡ଼ିଶା କ୍ଷତି ସହିବ କି?

ପୂର୍ବରୁ ନୀତି ଆୟୋଗ ୨୦୧୭ ଅପ୍ରେଲ ୨୩ ତାରିଖରେ ଡାକିଥିବା ପରିଷଦ ବୈଠକକୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରିଥିଲା। ପଶ୍ଚିମବଙ୍ଗ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ବୈଠକରୁ ମଧ୍ୟ ଦୂରେଇ ରହିିଥିଲେ।

ସମ୍ବନ୍ଧିତ ଖବର