ଭୁବନେଶ୍ବର/ରାଉରକେଲା: ବହୁଚର୍ଚ୍ଚିତ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ସହ ରହିଛି ଓଡ଼ିଶା ଲିଙ୍କ୍‌। ଏହି ପାର୍ଟିରୁ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ସହ ଧରାପଡ଼ିଥିବା ଦୁଇ ଜଣ ଓଡ଼ିଆ ଯୁବକଙ୍କ ସହ ମୋଟ ୪ଜଣଙ୍କୁ ଆଜି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଛି। ସେମାନେ ନିଶାଦ୍ରବ୍ୟ ଚାଲାଣକାରୀ ଶ୍ରେୟସ ନାୟାରର ସହଯୋଗୀ ବୋଲି କୁହାଯାଉଛି। ଗିରଫ ଦୁଇ ଜଣ ଓଡ଼ିଆ ହେଲେ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର ଶିଳ୍ପପତିଙ୍କ ପୁଅ ମନୀଷ ରାଜଗାରିଆ ଓ ପୁରୁଣା ଟାକ୍ସିଷ୍ଟାଣ୍ଡ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ପୁଅ ଅଭିନ୍ ସାହୁ। ସେମାନଙ୍କଠାରୁ ପ୍ରାୟ ୧୫ ଗ୍ରାମ ଓଜନର ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଜବତ କରାଯାଇଛି; ଯାହାର ଆନ୍ତର୍ଜାତିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏମାନଙ୍କ ସହ ଗିରଫ ଅନ୍ୟ ଦୁଇ ଜଣ ହେଲେ ଅବଦୁଲ୍ କାଦିର୍ ଓ ଶ୍ରେୟସ ନାୟାର। ଗିରଫ ୪ ଅଭିଯୁକ୍ତଙ୍କୁ ୧୧ ତାରିଖ ଯାଏ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି ଏନ୍‌ସିବିର ତଦନ୍ତକାରୀ ଟିମ୍। ଏହାକୁ ମିଶାଇ ଏହି ଡ୍ରଗ୍ସ ପାର୍ଟି ମାମଲାରେ ଏବେ ସୁଦ୍ଧା ୧୨ଜଣ ଗିରଫ ହୋଇ ସାରିଲେଣି। ଏମାନଙ୍କ ବ୍ୟତୀତ ଆଉ ୮ ଜଣ ଏନ୍‌ସିବିର ସ୍କାନରରେ ଥିବାରୁ ଆଗକୁ ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Advertisment

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନୀଷ ଓ ଅଭିନ୍ ଅନେକ ସମୟରେ ମୁମ୍ବାଇକୁ ଯିବାଆସିବା କରନ୍ତି। ସେମାନେ ସେଠାରେ ରହି ପାଠ ମଧ୍ୟ ପଢ଼ୁଥିବା ଜଣାପଡ଼ିଛି। ମୁମ୍ବାଇରୁ ଗୋଆ ଯାଉଥିବା ଏହି କ୍ରୁଜ୍‌ ଜାହାଜରେ ଡ୍ରଗ୍ସ ପାର୍ଟିର ଆୟୋଜନ ହେଉଥିବା ଶୁଣି ଉଭୟ ସେଥିରେ ଯୋଗ ଦେଇଥିଲେ। ଆଉ ଏନ୍‌ସିବିର ଚଢ଼ଉ ସମୟରେ ଚରସ୍‌ ସହ ଧରା ପଡ଼ିଥିଲେ। ନିଶାଦ୍ରବ୍ୟ ଚାଲାଣକାରୀ ଶ୍ରେୟସ ନାୟାର ବାହାରେ ରହି ଡ୍ରଗ୍ସ ଯୋଗାଉଥିଲା। ଏହି ଦୁଇ ଜଣ ତା’ଠାରୁ ଡ୍ରଗ୍ସ ନେଇ କ୍ରୁଜ୍‌କୁ ଯାଇଥିବା ସନ୍ଦେହ କରାଯାଉଛି। ମନୀଷଠାରୁ ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ଅଭିନ୍ ସାଙ୍ଗରେ ନିଶାଦ୍ରବ୍ୟ ନେଇ ଯାଇଥିବା ଓ ଖାଇଥିବା ସ୍ବୀକାର କରିଛି। ଦୁଇ ଜଣଙ୍କୁ ବୟାନକୁ ଭିତ୍ତି କରି ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କେବଳ ଏହି ଦୁଇ ଜଣ ନୁହନ୍ତି; ରାଉରକେଲାରୁ ଆହୁରି ୮ ଜଣ ଯାଇଥିବା କୁହାଯାଉଛି। ଏହି ଦୁଇଜଣଙ୍କ ବିରୋଧରେ ପ୍ରମାଣ ମିଳିଥିବା ବେଳେ ଅନ୍ୟମାନେ ସ୍କାନରରେ ରହିଛନ୍ତି। ତଦନ୍ତ ନ ସରିବା ପର୍ଯ୍ୟନ୍ତ ସେମାନଙ୍କୁ ମୁମ୍ବାଇ ଛାଡ଼ି ନ ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।