ଭୁବନେଶ୍ବର/ଝାରସୁଗୁଡ଼ା : ନୂଆବର୍ଷରୁ ଦେଶରେ ହଇଚଇ ସୃଷ୍ଟି କରିଥିବା ବିବାଦୀୟ ‘ବୁଲିବାଇ’ ଆପ୍‌ ମାମଲାରେ ମୁମ୍ବାଇ ପୁଲିସ ଝାରସୁଗୁଡ଼ା‌ରେ ପଞ୍ଝା ମାରିଛି। ଏହି ମାମଲାରେ ପୁଲିସ ଝାରସୁଗୁଡ଼ାର ଜଣେ ଇଂଜିନିୟରିଂ ଛାତ୍ର ନୀରଜ ସିଂହକୁ ଗିରଫ କିରଛି। ସେ ଏକ ଘରୋଇ ଇଂଜିନିୟରିଂ କଲେଜର ତୃତୀୟ ବର୍ଷର ଛାତ୍ର। ତାକୁ ଗିରଫ କରି ପୁଲିସ ମୁମ୍ବାଇ ନେଇ ଯାଇଥିବା ଜଣାଯାଇଛି। ନିରଜକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇସାରିଲେଣି। ଏହି ଅପରାଧର ମାଷ୍ଟରମାଇଣ୍ଡ ଆସାମର ନୀରଜ ବିଷ୍ଣୋଇକୁ ଗତ ୬ ତାରିଖରେ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାସ୍‌ ହୋଇଥିଲା। ସେ ବି.ଟେକ୍‌ ଦ୍ବିତୀୟ ବର୍ଷର ଛାତ୍ର। ତା’ ସୂଚନା ଆଧାରରେ ପୁଲିସ ଅନ୍ୟତମ ଅଭିଯୁକ୍ତ ବିଶାଲ ଝା, ଶ୍ବେତା ସିଂହ ଓ ମୟଙ୍କ ରାଵତକୁ ଗିରଫ କରିସାରିଛି। ଦିଲ୍ଲୀ ପୁଲିସ ଭଳି ମୁମ୍ବାଇ ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଚଳାଇଛି।

Advertisment

publive-image

ମୁମ୍ବାଇ କ୍ରାଇମବ୍ରାଞ୍ଚ ସାଇବର୍‌ ସେଲ୍‌ର ଅଧିକାରୀମାନେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଇବ୍‌ ଅଞ୍ଚଳରୁ ସଂପୃକ୍ତ ଯୁବକକୁ ଉଠାଇ ନେଇଛନ୍ତି। ବିବାଦୀୟ ବୁଲିବାଇ ଆପ ତିଆରି କରିବାରେ ନୀରଜର ପ୍ରମୁଖ ଭୂମିକା ରହିଥିଲା। ଗତକିଛି ଦିନ ହେଲା ନୀରଜକୁ ମୁମ୍ବାଇ ସାଇବର ସେଲ୍‌ ପୁଲିସ ଖୋଜୁଥିଲା। ନୀରଜ ଜଣେ ଇଞ୍ଜିନିୟରିଂ ଓ ଏମ୍‌ବିଏ ଛାତ୍ର। ସେ ଦିଲ୍ଲୀ ନୋଏଡାସ୍ଥିତ ଜମାଟୋ କମ୍ପନିରେ କାମ କରୁଥିବା ବେଳେ ପ୍ରଥମ ଲକ୍‌ଡାଉନ୍‌ ସମୟରେ ଚାକିରି ଛାଡ଼ି ଘରକୁ ଆସିଥିଲା। ଏହାପରେ ଟ୍ୱିଟର୍‌ ମାଧମରେ ଜଣେ ଯୁବକଙ୍କ ସହିତ ତାଙ୍କର ପରିଚିୟ
ହୋଇଥିଲା। ଏହାପରେ ଉକ୍ତ ଯୁବକ ତାକୁ ବୁଲିବାଇ ଆପରେ ଯୋଡ଼ିଥିଲା। ଏଥିରେ ସେ ଜଣେ ସଦସ୍ୟ ହୋଇଥିବାରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଥିବା ନୀରଜଙ୍କ ପରିବାର ଲୋକେ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶ କହିଛନ୍ତି ଯେ ମୁମ୍ବାଇ ସାଇବର୍‌ ସେଲ୍‌ ଦ୍ବାରା ଗିରଫ ହୋଇଥିବା ନୀରଜ ହେଉଛନ୍ତି ବ୍ରଜରାଜନଗର ଥାନା ଲମଟିବାହାଲ ଅଞ୍ଚଳର ନୁନ୍‌ୱା ସିଂହଙ୍କ ପୁଅ। ଅଭିଯୁକ୍ତକୁ ଆଜି ଝାରସୁଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ୬ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମିଳିବା ପରେ ପୁଲିସ ତାଙ୍କୁ ମୁମ୍ବାଇ ନେଇଯାଇଛି।

ସୂଚନାଯୋଗ୍ୟ ଯେ ବୁଲିବାଇ ଆପ୍‌ରେ ଅନ୍‌ଲାଇନ୍‌ ନିଲାମି ପାଇଁ ପ୍ରଭାବଶାଳୀ ଭାରତୀୟ ମହିଳା ବିଶେଷକରି ମୁସଲିମ୍‌ ମହିଳାଙ୍କ ଫଟୋ ଅପଲୋଡ୍‌ କରାଯାଉଥିଲା। ସାଇବର୍‌ ଅପରାଧୀମାନେ ଇଣ୍ଟନେଟ୍‌ରୁ ଲୋକପ୍ରିୟ ମହିଳା, ସେଲିବ୍ରିଟି, ସାମ୍ବାଦିକଙ୍କ ଫଟୋ ଓ ତାଙ୍କ ସଂପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସେମାନଙ୍କ ବିନାନୁମତିରେ ଅପଲୋଡ୍‌ କରାଯାଇଥିଲା। ଲୋକଙ୍କୁ ଠକିବା ଓ ସେମାନଙ୍କଠାରୁ ଅର୍ଥ ଆଦାୟ କରିବାର ଉଦ୍ଦେଶ୍ୟ ନେଇ ଏହି ଆପ୍‌ ତିଆରି କରାଯାଇଥିଲା। ଆସାମର ବି.ଟେକ୍‌ ଦ୍ବିତୀୟ ବର୍ଷ ଛାତ୍ର ନିରୋଜ ବିଷ୍ଣୋଇ ଏହି ଆପ୍‌ ତିଆରିରେ ମାଷ୍ଟରମାଇଣ୍ଡ ଥିଲା।
ଜାନୁଆରି ୧ ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମହିଳାଙ୍କୁ ଅପମାନିତ କରିବା ଭଳି ‘ବୁଲିବାଇ’ ଆପ୍‌ର ସଂଖ୍ୟାଧିକ ପୋଷ୍ଟ ଟ୍ବିଟର୍‌ରେ ଛାଇଯିବା ପରେ ସରକାର ଏହାକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ଦେଶର ଜଣେ ମହିଳା ସାମ୍ବାଦିକା ଏହି ଆପ୍‌ରେ ନିଜର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋ‌ଇଯାଇଥିଲେ। ଏ ସଂପର୍କରେ ସେ ଟ୍ବିଟ୍‌ ଜରିଆରେ ଅଭିଯୋଗ କରିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଆଇଟି ମନ୍ତ୍ରାଳୟ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କମ୍ପ୍ୟୁଟର୍‌ ଏମର୍ଜେନ୍ସି ରେସପନ୍ସ ଟିମ୍(ସିଇଆରଟି) ପକ୍ଷରୁ ତଦନ୍ତ କରାଯିବା ପରେ ଦିଲ୍ଲୀ ପୁଲିସ ନିରଜ ବିଷ୍ଣୋଇକୁ ପ୍ରଥମେ ଗିରଫ କରିଥିଲା। ଦିଲ୍ଲୀ ଓ ମୁମ୍ବାଇ ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।