ଅନଲାଇନ୍‌ରେ ଶିଶୁ ଯୌନ ଶୋଷଣ ଓ ‘ବୁଲିବାଇ ଆପ୍’ ଲିଙ୍କ: ଓଡ଼ିଶାରେ ଆଉ କେତେ ଲୁଚିଛନ୍ତି?

ଭୁବନେଶ୍ବର : ବହୁ ଚର୍ଚ୍ଚିତ ‘ବୁଲିବାଇ ଆପ୍’ ମାମଲାର ମଧ୍ୟ ଓଡ଼ିଶା ଲିଙ୍କ୍ ମିଳିଛି। ଝାରସୁଗୁଡ଼ାର ଜଣେ ଯୁବକଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବାପରେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଶିଶୁ, ମହିଳାଙ୍କ ଇଜ୍ଜତ ନିଲାମି ଭଳି ଜାତୀୟସ୍ତରରେ ହଇଚଇ ସୃଷ୍ଟି କରିବା ପ୍ରସଙ୍ଗରେ ଓଡ଼ିଶାରୁ ଜଣଙ୍କ ପରେ ଜଣେ ଅପରାଧୀ ଗିରଫ ହେବା ଲଜ୍ଜାଜନକ ବିଷୟ ପାଲଟିଛି।

ସାଇବର ବିଶେଷଜ୍ଞଙ୍କ ମତରେ କମ୍ ସମୟ ମଧ୍ୟରେ ଅଧିକ ରୋଜଗାର କରିବା ନିଶାରେ ଉଚ୍ଚଶିକ୍ଷିତ ଯୁବକମାନେ ଏଭଳି ଘୃଣ୍ୟ କାମ କରୁଥିବା ଜଣାପଡ଼ିଛି। ଅନଲାଇନ୍‌ରେ ଶିଶୁଙ୍କୁ ଯୌନଶୋଷଣ ମାମଲାରେ ଗତ ନଭେମ୍ବରରେ ଗିରଫ ହୋଇଥିବା ଢେଙ୍କାନାଳର ସୁରେନ୍ଦ୍ର ନାୟକ ଅନେକ ଖୁଲାସା କରିଥିଲା। ହ୍ବାଟସଆପରେ ଅଶ୍ଳୀଳ ଭିଡିଓ ଛାଡ଼ି ଟଙ୍କା ରୋଜଗାର କରୁଥିବା ସୁରେନ୍ଦ୍ର ସ୍ବୀକାର କରିଥିଲା। ସେହିପରି ବୁଲିବାଇ ଆପ୍ ମାମଲାରେ ଝାରସୁଗୁଡ଼ାର ଯୁବକ ନୀରଜ ସିଂ ଓ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଟଙ୍କା ରୋଜଗାର କରିବା ନିଶାରେ ଏଭଳି କରୁଥିବା କୁହାଯାଉଛି। ଏହି ଦୁଇ ଜଣଙ୍କ ପରି ଘୃଣ୍ୟ ସାଇବର ଅପରାଧ ଘଟାଉଥିବା ଆହୁରି କେତେ ଅପରାଧୀ ଓଡ଼ିଶାରେ ଲୁଚିଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେବଳ ଏହି ଘଟଣା ନୁହେଁ, ପୂର୍ବରୁ ଅନେକ ସାଇବର ଅପରାଧ ମାମଲାରେ ଅନ୍ୟ ରାଜ୍ୟର ପୁଲିସ ଓଡ଼ିଶାରେ ଲୁଚିଥିବା ଅପରାଧୀଙ୍କୁ ଗିରଫ କରିଛନ୍ତି। ୨୦୨୧ ଫେବ୍ରୁଆରିରେ ଦିଲ୍ଲୀ ପୁଲିସ ବାଲେଶ୍ବର ଜଳେଶ୍ବରରୁ ସଞ୍ଜୟ ପରିଡ଼ାକୁ ଗିରଫ କରିଥିଲା। ସେହିପରି ସାଇବର ଅପରାଧୀଙ୍କୁ ବେନାମୀ ସିମ୍ କାର୍ଡ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୁଲିସ ୨୦୨୧ ଅଗଷ୍ଟରେ ଯାଜପୁରରୁ ପ୍ରୀତମ କରକୁ ଗିରଫ କରିଥିଲା। ୩୦ ଲକ୍ଷ ଟଙ୍କା ଠକେଇ ମାମଲାରେ ହାଇଦ୍ରା‌ବାଦ ପୁଲିସ ଗତବର୍ଷ ଭୁବନେଶ୍ବରରେ ଚଢ଼ଉ କରି ୫ଜଣଙ୍କୁ ଗିରଫ କରିଥିଲା। ସେହିପରି ଗତବର୍ଷ ୧୨ ଲକ୍ଷ ୫୦ହଜାର ଟଙ୍କା ଠକେଇ ମାମଲାରେ ଢେଙ୍କାନାଳରୁ ସୋମନାଥ ରାଉତକୁ ଗିରଫ କରିଥିଲା କର୍ଣ୍ଣାଟକ ପୁଲିସ।

ସମ୍ବନ୍ଧିତ ଖବର