‘ଅ’ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍ ଉଦ୍‌ଘାଟିତ : ‘ରାଜନୈତିକ ଦଳ ଓ ବ୍ୟକ୍ତିମାନେ ଧର୍ମର ବ୍ୟାଖ୍ୟା ନ କରନ୍ତୁ’

ଧର୍ମରେ ସଂସ୍କାର ଆସିବା ଉଚିତ୍

ଭୁବନେଶ୍ୱର : ସବୁ ସମୟରେ ଧର୍ମ ମଣିଷର ପରିଚୟ ହୋଇ ଆସିଛି। ଧର୍ମ ବିନା ମଣିଷ ବଞ୍ଚିବା ଅସମ୍ଭବ। ମାତ୍ର ଯେତେବେଳେ ଧର୍ମ ରାଜନୀତିର ରୂପ ନିଏ କିମ୍ବା ରାଜନୀତି ଧର୍ମର ରୂପ ନିଏ, ସେ‌େ‌ତବେଳେ ପ୍ରସଙ୍ଗ ଅତି ଜଟିଳ ହୋଇଯାଏ। ଏଣୁ ରାଜନୈତିକ ଦଳ ଓ ରାଜନେତାମାନେ ଧର୍ମକୁ ନେଇ ବେଶି ବ୍ୟାଖ୍ୟା ନ କରିବା ଉଚିତ୍। ଧର୍ମକୁ ନେଇ ଦେଶ ବିଭାଜନ ହୋଇଛି ନା ରାଜନୀତିକୁ ନେଇ; ତାହା ଏକ ଜଟିଳ ପ୍ରଶ୍ନ। ମାତ୍ର ଭାରତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଧର୍ମର କୌଣସି ଆଧାର ନଥିଲା। ପରବର୍ତ୍ତୀ କାଳରେ ଧର୍ମକୁ ନେଇ ରାଜନୀତି ହେବା ଯୋଗୁଁ ଆଜି ଭାରତ ଓ ପାକିସ୍ତାନ ଭଳି ଦୁଇଟି ଦେଶ ସୃଷ୍ଟି ହେଲା ବୋଲି ମତପ୍ରକାଶ ପାଇଛି।

ଆଜି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ଭୁବନେଶ୍ୱରସ୍ଥ ମେ’ ଫେୟାର ହୋ‌େଟଲରେ ଆୟୋଜିତ ‘ଅ’ ଓଡ଼ିଶା ଲିଟେରାରି ଫେଷ୍ଟିଭାଲର ଉଦଘାଟନୀ କାର୍ଯ୍ୟକ୍ରମର ‘ଧର୍ମ ଏତେ ଗୁରୁତ୍ବପୂର୍ଣ୍ଣ କାହିଁକି?’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ଯୋଗଦେଇ ବିଭିନ୍ନ ଧର୍ମରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାଚକ୍ରରେ ଆ‌େଲାଚକ ଭାବେ ‘ପାୟୋନିୟର’ର ସଂପାଦକ ତଥା ବିଜେପି ନେତା ଚନ୍ଦନ ମିତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ, ବିଶିଷ୍ଟ ଟେଲିଭିଜନ୍‌ ଉପସ୍ଥାପକ ଆଶୁତୋଷ, ପ୍ରଫେସର ରାକେଶ ସିହ୍ନା ପ୍ରମୁଖ ଉପସ୍ଥିତ ରହି ଧର୍ମ ଓ ରିଲିଜିଅନ୍‌ ମଧ୍ୟରେ ତଫାତ ସଂପର୍କରେ ଆଲୋଚନା କରିଥିଲେ।

ଆଜିର ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦଘାଟନ କରି ସମାଜ ଗଠନ ଓ ପରିଚାଳନା ଦିଗରେ ଗଣମାଧ୍ୟମର ଗୁରୁ ଦାୟିତ୍ବ ସଂପର୍କରେ ଗୁରୁତ୍ବାରୋପ କରିଥିଲେ। ଗଣମାଧ୍ୟମ ସମାଜର ମଙ୍ଗଳ ପାଇଁ କାମ କରୁଛି ଏବଂ ନିଜର ଏହି ଧର୍ମ ପାଳିବାବେ‌େଳ କୌଣସି ଚାପ ଓ ପକ୍ଷପାତିତାର ଶିକାର ନ ହେବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ନିଉ ଇଣ୍ଡିଆନ ଏକ୍ସପ୍ରେସର ସଂପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା ଯୋଗଦେଇ ଭୁବନେଶ୍ବରକୁ ଭାରତର ସାରସ୍ବତ ରାଜଧାନୀ ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ଲୋକେ କଳା ଓ ସାହିତ୍ୟରେ ସର୍ବାଧିକ ରୁଚି ରଖନ୍ତି ବୋଲି ଶ୍ରୀ ଚାୱଲା କହିଥିଲେ।

ଆସନ୍ତାକାଲି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ବହୁ ବକ୍ତା ଓ ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର