ଠକିଦେଲା ଓଡ଼ିଶା ଜୀବିକା ମିଶନ: ମକା ବିହନ ବୁଣିଲେ ଘାସ ଗଛ ହେଉଛି

ମାଲକାନଗିରି: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ମିଶନ ଶକ୍ତି । ଓଡିଶା ଜୀବିକା ମିଶନ ଶକ୍ତି ଜରିଆରେ ରାଜ୍ୟର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ବିଭିନ୍ନ ସ୍କିମ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରୁଛି।କିନ୍ତୁ ମାଲକାନଗିରି ଜିଲ୍ଳାର କାଲିମେଳା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ ମକା ମଞ୍ଜି ଦେଇ ପୁଶୁଗୁଡା ଗାଁର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଠକି ଦେଇଥିବାର ଅଭିଯୋଗ ହୋଇଛି ।

କାଲିମେଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ମିଠା ମକା ଚାଷ କରିବା ପାଇଁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମଞ୍ଜି ଯୋଗାଇ ଦେଇଥିଲା ଓଡିଶା ଜୀବିକା ମିଶନ । ମେରିଟି ୪୫୧୩ କିସମର ହାଇବ୍ରିଡ଼ ମକା ଚାଷ କରିବାକୁ ବିହନ ଦେଇଥିଲା । ମାତ୍ର ୧୦୦ ଗ୍ରାମ ମଞ୍ଜି ପ୍ୟାକେଟର ଦାମ ୪୬୮ ଟଙ୍କା ରହିଥିଲା । ଓଡିଶା ଜୀବିକା ମିଶନ କୋଇମ୍ବାଟୁରର ଏସେନ ହାଇଭେଜ୍ ନାମକ ଏକ କମ୍ପାନୀଠାରୁ ଏହି ମକା ମଞ୍ଜି ଆଣି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦେଇଥିଲା । ମହିଳାମାନେ ମକା ମଞ୍ଜି ନେଇ ବାଡିରେ ଚାଷ ବି କରିଥିଲେ । ହେଲେ ମକା ଗଛ ବଦଳରେ କେବଳ ଘାସ ଗଛ ହୋଇଥିଲା ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଆଉ ଚାଷ କରିଥିବା ଜମି ଦେଖାଇଛନ୍ତି ।

ମକା ଚାଷ ପାଇଁ ମଞ୍ଜି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୮୦ ହଜାର ଟଙ୍କା ଋଣ ଆକାରରେ ସହାୟତା ଦିଆଯାଇଥିଲା । ତେଣୁ ଏବେ ସେହି ଋଣ ଟଙ୍କା ପରିଶୋଧ ପାଇଁ ଜୀବକା ମିଶନ ମାଗୁଥିବାରୁ କେଉଁଠୁ ଆଣି ଶୁଝିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ତେବେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ପଞ୍ଚାୟତ ଦାୟିତ୍ୱରେ ଥିବା ଓଡିଶା ଜୀବିକା ମିଶନର କର୍ମଚାରୀ । ତେବେ ଯଦି ମହିଳାଙ୍କ ଅଭିଯୋଗ ସତ ହୋଇଥାଏ ତାହେଲେ ସାଂଘାତିକ । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

ସମ୍ବନ୍ଧିତ ଖବର