ପଞ୍ଚାୟତରୁ ବିଶ୍ବବିଦ୍ୟାଳୟ, ଉନ୍ନୟନ କର୍ତୃପକ୍ଷରୁ ଜଗନ୍ନାଥ ମନ୍ଦିର
ସବୁଠି ମାଳ ମାଳ ଦୁର୍ନୀତି, ଅନିୟମିତତା
ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଖର୍ଚ ହୋଇନି ୪୩.୮୫ କୋଟି
ଶ୍ରୀଜଗନ୍ନାଥ ମନ୍ଦିରର ୪୦.୩୫ କୋଟିର ବିନିଯୋଗ ପତ୍ର ନାହିଁ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନ୍ତର୍ଗତ ବିଭିନ୍ନ ସଂସ୍ଥା ହେଉ ବା ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କିମ୍ବା ବିଭିନ୍ନ ଉନ୍ନୟନ କର୍ତୃପକ୍ଷ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଏପରି କି ଶ୍ରୀଜଗନ୍ନାଥ ମନ୍ଦିର ଅନୁଷ୍ଠାନ। ସବୁଠି ମାଳ ମାଳ ଦୁର୍ନୀତି ଓ ଅନିୟମତତା। କେଉଁଠି ରାଜସ୍ବ ଆଦାୟ ହୋଇପାରୁନାହିଁ ତ ଅନ୍ୟ କେଉଁଠି ଅନୁଦାନ ଖର୍ଚ ହୋଇପାରୁନାହିଁ ବା ଅନ୍ୟ କେଉଁଠି ଅନୁଦାନ ଅର୍ଥ ବିନିଯୋଗର ହିସାବନିକାଶ ନାହିଁ। ଏଭଳି ବେନିୟମ କାର୍ଯ୍ୟମାନ ସ୍ଥାନୀୟ ପାଣ୍ଠି ଅଡିଟ୍ ବେଳେ ଧରାପଡ଼ିଛି।
ଆଜି ବିଧାନସଭାରେ ଗତ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ଥାନୀୟ ପାଣ୍ଠି ଅଡିଟ୍ ରିପୋର୍ଟରେ ଉପରୋକ୍ତ ସଂସ୍ଥାମାନଙ୍କରେ ସଂଘଟିତ ଅନେକ ଅନିୟମିତ କାରବାର ପଦାକୁ ଆସିଛି। ମୋଟ ୧୩୫୯୯ଟି ଅନୁଷ୍ଠାନଗୁଡ଼ିକୁ ସମୀକ୍ଷା କରିବା ପରେ ସ୍ଥାନୀୟ ପାଣ୍ଠି ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ବୟାନ କରୁଛି, ୨୦୧୬-୧୭ ଆର୍ଥିକ ବର୍ଷରେ ବିଭିନ୍ନ ସମୟରେ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କୁ ୩୧୦.୦୮ କୋଟି ଟଙ୍କା ଦିଆଯାଇଥିଲା। ସେହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୯ଟି ଜିଲ୍ଲା ପରିଷଦ ନିକଟରେ ୨୩୭.୧୮ କୋଟି ବଣ୍ଟନ ନ ହୋଇ ପଡ଼ିରହିଥିଲା। ସେହିପରି ୩୧୩ଟି ପଞ୍ଚାୟତ ସମିତିକୁ ବିଭିନ୍ନ ଯୋଜନା ବାବଦରେ ୪୦୧୬.୬୩ କୋଟିର ଅନୁଦାନ ମିଳିଥିଲା। ପୂର୍ବରୁ ଖର୍ଚ ହୋଇପାରିନଥିବା ୩୬୭୦.୧୦ କୋଟିର ଅନୁଦାନ ମିଶାଇଲେ, ମୋଟ ଅନୁଦାନ ରାଶି ହେଉଛି ୭୬୮୬.୭୩ କୋଟି ଟଙ୍କା। ତେବେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିନିଯୋଗ ହାର ଥିଲା ୬୦.୧୬ ପ୍ରତିଶତ।
ପଞ୍ଚାୟତ ସମିତିମାନେ ବର୍ଷ ଶେଷ ସୁଦ୍ଧା ୧୩୨୯୫.୪୧ କୋଟିର ବିନିଯୋଗ ପତ୍ର ଦାଖଲ କରିପାରିନଥିଲେ ବୋଲି ରିପୋର୍ଟ ଦର୍ଶାଇଛି। ବିନିଯୋଗ ହାର ଥିଲା ମାତ୍ର ୧୭.୨୪ ପ୍ରତିଶତ। ଏଥିରୁ ତ୍ରିସ୍ତରୀୟ ବ୍ୟବସ୍ଥାର ପରିଚାଳନା କିପରି ହେଉଛି ତାହା ବେଶ୍ ଅନୁମେୟ। କେବଳ ସେତିକି ନୁହେଁ, ୨୦୧୭ ମାର୍ଚ ଶେଷ ସୁଦ୍ଧା ପଞ୍ଚାୟତ ସମିତିିମାନଙ୍କୁ ପ୍ରଦତ୍ତ ୬୬୬.୭୭ କୋଟିର ଅଗ୍ରିମ ଅର୍ଥ ହିସାବ ପରିସରକୁ ଆସିନଥିଲା। ଏଥିମଧ୍ୟରୁ ୫୩୨.୨୫ କୋଟି ଟଙ୍କା ବିନା ହିସାବରେ ଦୁଇବର୍ଷ ଧରି ପଡ଼ି ରହିଥିଲା। ସେ ପଟେ ଦେଖିଲେ, ୧୧୩.୫୬ କୋଟିର ସରକାରୀ ଦେୟ ଯଥା: ଭାଟ୍, ରୟାଲ୍ଟି, ଶ୍ରମ ସେସ୍, ବୃତ୍ତିଗତ ଟିକସ ଓ ଆୟକର ସରକାରଙ୍କ ତହବିଲ୍କୁ ନ ଆସି ପଞ୍ଚାୟତ ସମିତିମାନଙ୍କରେ ପଡ଼ି ରହିଥିବା ମଧ୍ୟ ଅଡିଟ୍ ରିପୋର୍ଟରେ ଉଲ୍ଲେଖ ହୋଇଛି।
ଏହା ସହିତ ୮୯ଟି ପଞ୍ଚାୟତ ସମିତିରେ ୮୧.୦୬ ଲକ୍ଷ ଟଙ୍କାର ହେରଫେର, ବାର୍ଧକ୍ୟ ଭତ୍ତାରେ ମାତ୍ରାଧିକ ବ୍ୟୟ ଦର୍ଶାଯାଇ ୨୯.୦୯ ଲକ୍ଷ ଟଙ୍କାର ହେରଫେର, ୨୦ଟି ପଞ୍ଚାୟତ ସମିତିରେ ବିଭିନ୍ନ ଭତ୍ତା ଓ ପେନ୍ସନ୍ ବଣ୍ଟନ ପ୍ରକ୍ରିୟାରେ ୪୨.୬୦ ଲକ୍ଷ ଟଙ୍କାର ହେରଫେର, ୮୫୪ଟି ଗ୍ରାମ ପଞ୍ଚାୟତରେ ବାର୍ଧକ୍ୟ ଭତ୍ତା ପ୍ରଦାନରେ ୧.୦୫ କୋଟିର ଅର୍ଥ ତୋଷରପାତ, କାର୍ଯ୍ୟକାଳ ଅବଧି ପରେ ବି ସରପଞ୍ଚ ଓ ଅନ୍ୟ ଅଧିକାରୀମାନଙ୍କ ନିକଟରେ ୧.୪୯ କୋଟି ରହିଥିବା ଯୋଗୁଁ େତାଷରପାତ, ସୈରାତ୍, ପୋଖରୀ, ବଜାରର ନିଲାମ କାରବାରରେ ୨.୨୪ କୋଟିର ରାଜସ୍ବ କ୍ଷତି ଘଟିଥିବା ଭଳି ବହୁସଂଖ୍ୟକ ଆର୍ଥିକ ଅନିୟମିତତା, ଦୁର୍ନୀତିପୂର୍ଣ୍ଣ ତଥ୍ୟ ରିପୋର୍ଟରେ ପ୍ରକାଶ ପାଇଛି।
୧୦୬ଟି ସହରାଞ୍ଚଳ ସଂସ୍ଥାର ଅଡିଟ୍ କରିବା ପରେ ଏ ସବୁ ସଂସ୍ଥାରେ ଗତ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ୧୫୬୬.୦୧ କୋଟି ଟଙ୍କା ବିନିଯୋଗ ହୋଇପାରିନଥିବା ଦର୍ଶାଇଛି ସ୍ଥାନୀୟ ପାଣ୍ଠି ଅଡିଟ୍ ରିପୋର୍ଟ। ଏ ସବୁ ସଂସ୍ଥା ୩୩୫୭.୩୮ କୋଟିର ବିନିଯୋଗ ପତ୍ର ଦାଖଲ କରିପାରିନଥିଲେ। ସେହିପରି ୪୯ଟି ସଂସ୍ଥା ୬୪.୭୮ କୋଟିର ହୋଲ୍ଡିଂ ଟିକସ ଦାଖଲ କରିନଥିଲେ କି ୧୮.୯୬ େକାଟିର ଭାଟ୍, ରୟାଲ୍ଟି, ଶ୍ରମ ସେସ୍, ବୃତ୍ତିଗତ ଟିକସ ଓ ଆୟକର ସରକାରଙ୍କୁ ପୈଠ କରିନଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି, ଅନିୟମିତତା, ରାଜସ୍ବ କ୍ଷତି ସଂଘଟିତ ହୋଇଥିବା ଦର୍ଶାଇଛି ରିପୋର୍ଟ।
ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ଅଡିଟ୍ କରି ଆର୍ଥିକ ଅନିୟମିତତା, ତୋଷରପାତ ଆଦି ଦର୍ଶାଇଛି ସ୍ଥାନୀୟ ପାଣ୍ଠି ଅଡିଟ୍ ସଂସ୍ଥା। ୨୦୧୭ ମାର୍ଚ ସୁଦ୍ଧା ୭ଟି ବିଶ୍ବବିଦ୍ୟାଳୟକୁ ଅଗ୍ରିମ ଆକାରରେ ପ୍ରଦତ୍ତ ୪୪.୫୮ କୋଟି ଟଙ୍କା ହିସାବକୁ ନିଆଯାଇନାହିଁ। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପାଣ୍ଠିରୁ ୯୧.୦୩ ଲକ୍ଷ ଟଙ୍କା ତୋଷରପାତ ହୋଇଛି। ସେହିପରି ରେଭେନ୍ସା ହେଉ ବା କୃଷି ବିଶ୍ବବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି। ୪୬୨ଟି ମହାବିଦ୍ୟାଳୟ ଫି’ ଓ ଜରିମାନା ବାବଦରେ ୬.୩୯ କୋଟି ପୈଠ ବାକି ରଖିଛନ୍ତିି।
୧୩ଟି ଉନ୍ନୟନ କର୍ତୃପକ୍ଷ ୪୨.୭୭ କୋଟି ଟଙ୍କାର ଘରଭଡ଼ା, ବଜାର ଭଡ଼ା ଆଦାୟ କରିନପାରିବା, ସରକାରଙ୍କ ବିନା ମଞ୍ଜୁରିରେ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ ଓ କଟକ ଉନ୍ନୟନ କର୍ତୃପକ୍ଷ ସେମାନଙ୍କର କର୍ମଚାରୀମାନଙ୍କୁ ୧.୦୮ କୋଟିର ବିଭିନ୍ନ ଭତ୍ତା ପ୍ରଦାନ କରିଥିବା ଅଡିଟ୍ ରିପୋର୍ଟ ଦର୍ଶାଇଛି। ଏ ପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଳିଥିବା ୧୦୨.୮୦ କୋଟିର ଅଗ୍ରିମ ହିସାବକୁ ନିଆଯାଇନାହିଁ। ୨୦୧୭ ମାର୍ଚ ଶେଷ ସୁଦ୍ଧା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ୪୩.୮୫ କୋଟିର ଅନୁଦାନ ଖର୍ଚ କରିପାରିନାହିଁ। ଏହି ସମୟ ସୁଦ୍ଧା ମୋଟ ୨୯୩.୨୦ କୋଟି ଟଙ୍କାର ଅନୁଦାନ ବିନିଯୋଗ ପତ୍ର ଦାଖଲ କରିପାରିନଥିଲା। ୨୦୧୫-୧୬ ବର୍ଷରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀକୁ ମିଳିଥିବା ୨୦.୫୯ କୋଟିର ଅଗ୍ରିମ ୨୦୧୬ ମାର୍ଚ ଶେଷ ସୁଦ୍ଧା ହିସାବ ପରିସରକୁ ନିଆଯାଇନଥିଲା। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦.୩୫ କୋଟିର ଅନୁଦାନ ବିନିଯୋଗ ପତ୍ର ଦାଖଲ ହୋଇନଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି।