ଭୁବନେଶ୍ବର: ଗଡ଼ିଲାନି ଅଖଚକ। ରାସ୍ତାଘାଟ ସବୁଥିଲା ଜନଶୂନ୍ୟ। ଦୋକାନ, ବଜାରରେ ଗ୍ରାହକ ନ ଥିଲେ। ଯେଉଁମାନେ ଦୋକାନ ଖୋଲିଥିଲେ, ସେମାନେ ଦୋକାନ ବନ୍ଦ କରି ଘରକୁ ଫେରି ଯାଇଥିଲେ। ସାରା ରାଜ୍ୟ ଆଜି କଂଗ୍ରେସ କର୍ମୀଙ୍କ କବ୍‌ଜାକୁ ଚାଲିଯାଇଥିଲା। ମୋଟାମୋଟି ଭାବେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା। କୌଣସି ସ୍ଥାନରୁ ବଡ଼ଧରଣର ବିଶୃଙ୍ଖଳାର ଖବର ଆସିନାହିଁ। ବନ୍ଦ ପ୍ରଭାବୀ ଓ ସଫଳ ହୋଇଥିବା କଂଗ୍ରେସ ସମେତ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି। ଏଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।  
Advertisment
ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୁରୁବାର କଂଗ୍ରେସ ସମେତ ୮ ବିରୋଧୀ ଦଳ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିଲେ। ପୂର୍ବ ଘୋଷଣା ମୁତାବକ ଆଜି ସକାଳ ୬ଟାରୁ ଭୁବନେଶ୍ବର ରେଳଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନ୍‌ ଭିତରକୁ ପ୍ରବେଶ କରିବା ଲାଗି କଂଗ୍ରେସ କର୍ମୀ ଉଦ୍ୟମ କରୁଥିବା ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ଜାଗାରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ବିଭିନ୍ନ ଜାଗାରେ ଷ୍ଟେସନ୍‌ ଭିତରେ ଟ୍ରାକ୍‌ରେ ଆନ୍ଦୋଳନକାରୀମାନେ ବସିଯିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଆଜି ବନ୍ଦ ପାଳନ ପାଇଁ ପରିବହନ ବ୍ୟବସ୍ଥା‌ ଏକପ୍ରକାର ଠପ୍ ହୋଇ ଯାଇଥିଲା। ବସ୍‌, ଟ୍ରକ୍ ଚଳାଚଳ ଅପରାହ୍ନ ୪ଟା ଯାଏଁ ବନ୍ଦ ଥିଲା। ସହରାଞ୍ଚଳଗୁଡ଼ିକରେ ଅଟୋ ଚଳାଚଳ ବି ହୋଇ ପାରିନଥିଲା। ରାଜ୍ୟର ସବୁ ସ୍ଥାନରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧ‌ାର ସମ୍ମୁଖୀନ ହୋଇଥିଲେ। ଏପରିକି ଜାତୀୟ ରାଜପଥରେ ବିକ୍ଷୋଭକାରୀମାନେ ପିକେଟିଂ କରୁଥିବାରୁ ଗାଡ଼ି ଚଳାଚଳ ସମ୍ଭବ ହୋଇ ନଥିଲା। ରାଜ୍ୟ ବାହାରୁ ଆସିଥିବା ଗାଡ଼ିଗୁଡିକର ଯାତ୍ରୀମାନେ ହସ୍ତସନ୍ତ ହୋଇଥିଲେ। ରେଳ ଷ୍ଟେସନ୍‌ଠାରେ ମଧ୍ୟ ଯାତ୍ରୀ ଅପେକ୍ଷା କରି ବସିଥିଲେ। ଦୋକାନ, ବଜାର ଓ ରାଜ୍ୟର ପ୍ରମୁଖ ଛକଗୁଡ଼ିକରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଲୋକଙ୍କୁ ଘରରୁ ଫେରିଯିବାକୁ କହିଥିଲେ। ରାସ୍ତାରୋକ ଯୋଗୁଁ କିଛି କିଛି ସ୍ଥାନରେ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଥିଲା। କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ଲୋକଙ୍କୁ ବନ୍ଦ ସମ୍ପର୍କରେ ସଚେତନ କରିବା ସହ ଗୋଲାପ ଫୁଲ ଓ ଚକୋଲେଟ୍‌ ଦେଉଥିବା ଦେଖିବାକୁ ମିଳିଥିଲା।  କୌଣସି ବ୍ୟବସାୟୀ ସଂଘ ସିଧାସଳଖ ଓଡ଼ିଶା ବନ୍ଦରେ ସାମିଲ ହୋଇ ନ ଥିଲେ। କିନ୍ତୁ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ଆପେ ଆପେ ବନ୍ଦ ହୋଇଯାଇଥିଲା। ପ୍ରମୁଖ ସ୍ଥାନରେ ବନ୍ଦ ପାଳନକାରୀମାନେ ପିକେଟିଂ କରୁଥିବାରୁ ଦୋକାନ ବଜାର ଖୋଲି ନଥିଲା। ଔଷଧ ଦୋକାନ, ଓମ୍‌ଫେଡ୍‌ ଷ୍ଟଲ୍‌ ସ୍ବାଭାବିକ ଭାବେ ଖୋଲିଥିଲା।
ରାଜ୍ୟର ସବୁ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିଥିଲା। ତେବେ କର୍ମଚାରୀମାନେ ଠିକ୍ ସମୟରେ ଆସି ନଥିବାରୁ କାମ ସ୍ବାଭାବିକ ହୋଇପାରି ନଥିଲା। ସରକାରୀ ସ୍କୁଲ, କଲେଜ ଖୋଲା ରହିଥିବା ବେଳେ ସେଠାରେ ବି ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିଥିଲା। ତେବେ ଘରୋଇ ସ୍କୁଲଗୁଡ଼ିକ କୌଣସି ଅଘଟଣ ଆଶଙ୍କାରେ ଆଗୁଆ ସ୍କୁଲ୍‌ ବନ୍ଦ କରିଦେଇଥିଲେ। ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ସଦର ବିଧାୟକଙ୍କ ଇସ୍ତଫା ଦାବି ସହ ବାଲେଶ୍ୱର ଜିଲ୍ଲାପାଳ, ଏସ୍‌ପିଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ ଓ ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଥିଲା। ମହିଳା କଂଗ୍ରେସର ଜାତୀୟ ସଭାନେତ୍ରୀ ଅଳକା ଲାମ୍ବା, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ବିଧାୟକ ରମେଶ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ବା‌ସଭବନ ଘେରାଉ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଗିରଫ କରି ରିର୍ଜଭ ପୁଲିସ ଲାଇନ କାର୍ଯ୍ୟାଳୟକୁ ନେଇ ଯାଇଥିଲା। ବନ୍ଦ ପରିପ୍ରେକ୍ଷୀରେ ଭୁବନେଶ୍ବର ସମେତ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଭୁବନେଶ୍ବରରେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସମେତ ମୁଖ୍ୟମନ୍ତ୍ରୀ ଓ ସବୁ ମନ୍ତ୍ରୀଙ୍କ ବାସଭବନ‌ରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଆଜିର ଆନ୍ଦୋଳନରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ସିପିଆଇ (ଏମ୍‌ଏଲ୍‌)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ଏନ୍‌ସିପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସ୍‌ପିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ବିଜୟ ବେହେରା, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶୁଭେନ୍ଦୁ ମହାନ୍ତି, ଦେବାଶିଷ ପଟ୍ଟନାୟକ, ବିଶ୍ବଜିତ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଶିବାନନ୍ଦ ରାୟ, ରଜନୀ ମହାନ୍ତି, ଅରବିନ୍ଦ ଦାସ, ଅଶୋକ ଦାସ ପ୍ରମୁଖ ଭୁବନେଶ୍ବରରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ବନ୍ଦ ସଫଳ ହୋଇଛି। ଏହି ବନ୍ଦ ଜନଗଣଙ୍କ ବନ୍ଦରେ ପରିଣତ ହୋଇଛି।