ଓଡ଼ିଶା ହରାଇଲା ୧୧୨ କୋଟିର ରୟାଲ୍ଟି : କୋଇଲାରୁ ଅତିରିକ୍ତ ଶୁଳ୍କ ଛାଡ଼ିଦେଲେ, ଲିଜ୍ଧାରୀଙ୍କୁ ଦେଲେ ଫାଇଦା
ଅନୁଗୁଳ : ଓଡ଼ିଶା ସରକାର କୋଇଲା ରୟାଲ୍ଟି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଉଠାଉଥିବାବେଳେ ଏବେ କିନ୍ତୁ ନିଜ ଭୁଲ୍ ପାଇଁ ରାଜ୍ୟକୁ ୧୧୨.୨୬ କୋଟି ଟଙ୍କାର ରୟାଲ୍ଟି ହରାଇବାକୁ ପଡ଼ିଛି। କେବଳ ସେତିକି ନୁହେଁ, ଏହି ତ୍ରୁଟି ପାଇଁ ଓଡ଼ିଶା ସରକାରଙ୍କୁ ସିଏଜିଙ୍କ ଦ୍ବାରା ସମାଲୋଚିତ ହେବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣିରୁ କୋଇଲା ଉତ୍ତୋଳନ ପରେ ଏହାକୁ ବିଭିନ୍ନ ଆକାରର ପ୍ରସ୍ତୁତ କରି ବିଭିନ୍ନ ସଂସ୍ଥାକୁ ବିକ୍ରି କରାଯାଇଥାଏ। ବିକ୍ରି ସମୟରେ କୋଇଲାର ମୂଳଦର ସହିତ ବିଭିନ୍ନ ଆକାରର ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ବାବଦକୁ ଅତିରିକ୍ତ ଶୁଳ୍କ (ସାଇଜିଂ ଚାର୍ଜେସ) ମଧ୍ୟ ଯୋଡ଼ାଯାଇଥାଏ। ଓଡ଼ିଶା ସରକାର କିନ୍ତୁ କୋଇଲାର ‘ରନ୍ ଅଫ୍ ମାଇନ୍ସ ’(ରୋମ୍) ମୂଲ୍ୟ ସହିତ ଅତିରିକ୍ତ ସାଇଜିଂ ଚାର୍ଜେସ୍କୁ ଯୋଡ଼ି ନଥିଲେ। ଯାହା ଫଳରେ ରୟାଲଟି ବାବଦରେ ୧୨୨.୨୬ କୋଟି ଟଙ୍କା କମ୍ ମିଳିଥିବା ସିଏଜିଙ୍କ ଯାଞ୍ଚ ବେଳେ ଧରାପଡ଼ିଛି। ୨୦୧୭-୧୮ ଆର୍ଥିକବର୍ଷର ରେକର୍ଡ ଯାଞ୍ଚ ବେଳେ ଏଭଳି ଅନିୟମିତତା ଧରାପଡ଼ିଛି। ତେବେ, ଏହା ଗୋଟେ ଅଧେ ଖଣି ନୁହେଁ, ଓଡ଼ିଶାର ୩ଟି ଖଣି ସର୍କଲରେ ଏଭଳି ଅନିୟମିତତା ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୨୦୧୬ରୁ ଫେବ୍ରୁଆରି ୨୦୧୭ ମଧ୍ୟରେ ଏକ ଲିଜ୍ଧାରୀ ସଂସ୍ଥା ୧୫ଟି କୋଇଲା ଖଣିରୁ ୧୦୦ ମିଲିମିଟରରୁ କମ୍ ଆକାରର ୧୦.୧୫ କୋଟି ଟନ୍ ପରିମାଣର ‘ସାଇଜ୍’ କୋଇଲା ଚାଲାଣ କରିଥିଲେ। ସଂପୃକ୍ତ ଲିଜ୍ଧାରୀ ସେହି ସମୟରେ ‘ରୋମ୍’ କୋଇଲାର ମୂଲ୍ୟ ବାବଦ ରୟାଲ୍ଟି ଦେଇଛନ୍ତି। କୋଇଲାର ଧାର୍ଯ୍ୟ ମୂଲ୍ୟ ଦେଇନାହାନ୍ତି କି ସେଥିରେ କୋଇଲାର ସାଇଜିଂ ଚାର୍ଜେସ ବି ଯୋଡ଼ାଯାଇ ନାହିଁ। ମାଇନ୍ସ ଆଣ୍ଡ ମିନେରାଲ୍ସ(ଡେପ୍ଲପ୍ମେଣ୍ଟ ଆଣ୍ଡ ରେଗୁଲେସନ) ଆଇନ ୧୯୫୭ ଅନୁଯାୟୀ ଖଣି ଲିଜ୍ଧାରୀ ଲିଜ୍ ପାଇଥିବା ଅଞ୍ଚଳରୁ ଯେତିକି କୋଇଲା ଉତ୍ତୋଳନ କରିବେ କିମ୍ବା ବ୍ୟବହାର କରିବେ, ସେ ବାବଦରେ ଧାର୍ଯ୍ୟ ଦର ଅନୁସାରେ ରୟାଲଟି ପ୍ରଦାନ କରିବେ। ମାର୍ଚ୍ଚ ୨୦୧୮ରେ ରାଜସ୍ବ ସେକ୍ଟର ସଂପର୍କରେ ସିଏଜି ଦେଇଥିବା ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। କୋଇଲା ମନ୍ତ୍ରାଳୟ ପକ୍ଷରୁ ୨୦୧୨ ମସିହାର ବିଜ୍ଞପ୍ତିରେ କୋଇଲାର ମୂଲ୍ୟ ଉପରେ ଟିକସ, ଲେଭି ଆଦିକୁ ବାଦ୍ ଦେଇ ୧୪ ପ୍ରତିଶତ ରୟାଲଟି ଲାଗୁ କରାଯିବ ବୋଲି ବି ଉଲ୍ଳେଖ ରହିଛି। ଡିସେମ୍ବର ୨୦୧୩ କୋଲ୍ ଇଣ୍ଡିଆ ଲିମିଟେଡ୍(ସିଆଇଏଲ୍)ର ବିଜ୍ଞପ୍ତି ଅନୁସାରେ, ୧୦୦ ମିଲିମିଟର ଆକାର ପର୍ଯ୍ୟନ୍ତ କୋଇଲାର ରୋମ୍ ମୂଲ୍ୟ ସହିତ ‘ସାଇଜିଂ’ ଚାର୍ଜେସ୍ ବାବଦରେ ଟନ୍ ପିଛା ୭୯ ଟଙ୍କା ହିସାବରେ ଅତିରିକ୍ତ ଶୁଳ୍କ ଯୋଡ଼ିବାକୁ ନିର୍ଦ୍ଦେଶ ରହିଛି। ମେସିନ୍ ହେଉ କି ମଣିଷ ଦ୍ବାରା, ଯେଉଁ ପ୍ରକାରରେ କୋଇଲା ଉତ୍ତୋଳନ ହୋଇଥିଲେ ବି ଏହି ଦର ଲାଗୁ କରାଯିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କେବଳ ସେତିକି ନୁହେଁ, ୧୯୬୦ର ମାଇନିଂ କନ୍ସେସନ୍ ରୁଲ୍(ଏମ୍ସିଆର୍)ଅନୁସାରେ ଲିଜ୍ ଅଞ୍ଚଳରୁ ରୋମ୍ କୋଇଲା ନିଆଯାଇଥିଲେ ବି ତାହା ଉପରେ ‘ପ୍ରସେସ୍ଡ’ କୋଇଲା ଅନୁଯାୟୀ ଦର ଧାର୍ଯ୍ୟ ହେବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି।
ଏତେସବୁ ମାର୍ଗଦର୍ଶିକା ସତ୍ତ୍ବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ଉଲ୍ଲଂଘନ କରି କିଭଳି ରୟାଲ୍ଟିରେ ସାଇଜିଂ ଚାର୍ଜେସ୍ ଯୋଡ଼ା ଗଲାନାହିଁ ତାକୁ ନେଇ ତଥ୍ୟାଭିଜ୍ଞ ମହଲରେ ସଂଶୟ ପ୍ରକାଶ ପାଇଛି। ଖଣି ବିଭାଗର ବାବୁମାନଙ୍କ ତ୍ରୁଟି ଯୋଗୁଁ ରାଜ୍ୟକୁ ଏଭଳି ଏକ ବିପୁଳ କ୍ଷତି ସହିବାକୁ ପଡ଼ିଛି। ସରକାରୀ ବାବୁମାନେ ନିର୍ଦ୍ଧାରିତ ବିଧିବ୍ୟବସ୍ଥା ସଂପର୍କରେ ଜାଣିପାରିଲେ ନାହିଁ ନା ଲିଜ୍ଧାରୀଙ୍କୁ ଲାଭ ପହଞ୍ଚାଇ ସେଥିରୁ ହାତ ଚିକ୍କଣ କରିବା ଲାଗି ଜାଣିଶୁଣି ଏହାକୁ ଏଡ଼ାଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।