ମଦମୁକ୍ତ ଓଡ଼ିଶା ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ମଦ ବିକ୍ରିର ଅନୁମତି ଦେଇ ସମାଜକୁ ତଳିତଳାନ୍ତ କରି ରାଜସ୍ବ ସଂଗ୍ରହ କରିବା କେବଳ ଏକ ଅନୈତିକ ବ୍ୟବସ୍ଥା ନୁହେଁ, ବରଂ ମାନବୀୟ ସଂସ୍କୃତିର ହତ୍ୟା। ଲକ୍‌ଡାଉନ୍‌ ଅବଧି ମଧ୍ୟରେ ମଦ ଦୋକାନ ବନ୍ଦ କରିବା ପରେ ବହୁତ ବଡ଼ ଅସୁବିଧା ହୋଇଯାଇନାହିଁ। ମାର୍ଚ୍ଚ ୧୫ ତାରିଖରୁ ସରକାରଙ୍କ ପ୍ରତିଟି ନିଷ୍ପତ୍ତିକୁ ୯୦ ପ୍ରତିଶତରୁ ଅଧିକ ଲୋକ ମାନି ଆସୁଛନ୍ତି। ତେଣୁ ଏହାକୁ ଏକ ସୁଯୋଗ ଭାବେ ନେଇ ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ ବୋଲି ଚିଠି ଲେଖିଛନ୍ତି ଓଡ଼ିଶା ମଦମୁକ୍ତ ଅଭିଯାନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ। କିଛି ଦିନ ତଳେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ପରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା, ତାହା କାହାକୁ ଅଛପା ନାହିଁ। ଓଡ଼ିଶାରେ ମଦ ଦୋକାନ ଖୋଲିବା ପରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିବା ପୂର୍ବରୁ ମଦମୁକ୍ତ ଓଡ଼ିଶା ଗଠନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ‘ଅହିଂସା’ ମନ୍ତ୍ରକୁ ସମ୍ବିଧାନର ମୁଖବନ୍ଧରେ ସାମିଲ୍‌ କରାଇବା ପାଇଁ ପ୍ରସ୍ତାବ ଦେଇ ଆପଣ ଚର୍ଚ୍ଚିତ ହୋଇଥିବା ବେଳେ ଗାନ୍ଧୀ ଚାହୁଁଥିବା ନିଶାମୁକ୍ତ ଭାରତର ସ୍ବପ୍ନକୁ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିପାରିବେ। ସମ୍ବିଧାନର ଧାରା ୪୭ ଓ ୩୭ରେ ରାଜ୍ୟମାନଙ୍କୁ ନିଶା ନିବାରଣ କରିବା ପାଇଁ ପ‌ଦକ୍ଷେପ ନେବାକୁ ଅଧିକାର ଦିଆଯାଇଛି। ତେଣୁ ମଦର ଭୟାବହତାକୁ ବିଚାର କରି ଏହି ସମୟରେ ମଦମୁକ୍ତ ଓଡ଼ିଶା ଗଠନର ଘୋଷଣା କରିପାରିବେ ବୋଲି ସେ ‌ଉଲ୍ଲେଖ କରିଛନ୍ତି। ୧୯୫୬ ମସିହା ଆଇନରେ ସଂଶୋଧନ ପୂର୍ବକ ଡ. ପରିଜା କମିଟି ସୁପାରିସ୍‌ ଆଧାରରେ ବିଧେୟକ ଗୃହୀତ କରାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର