ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ା ହୋଇଯାଇଛି। ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଥମ ସେମିଫାଇନାଲ ପୂର୍ବଥରର ବିଜେତା ଉତ୍ତରପ୍ରଦେଶ ଓ ହରିୟାଣା ମଧ୍ୟରେ ଖେଳାଯିବାକୁ ଥିବାବେଳେ ରାତି ସାଢ଼େ ୮ଟାରେ ଘରୋଇ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବ। ଅପରାଜେୟ ରହିଥିବା ଓଡ଼ିଶା ଦଳ ସେମିଫାଇନାଲ ମୁକାବିଲା ପୂର୍ବରୁ ଝାଲବୁହା ଅଭ୍ୟାସ ଜାରି ରଖିଛି।
ଚଳିତ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶାର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ଓଡ଼ିଶା ପୁଲ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ର ବିପକ୍ଷରେ ୧୮-୦ ଗୋଲ୍ର ବିଶାଳ ବିଜୟ ହାସଲ କରିଥିଲା। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ୧୨-୦ ଗୋଲରେ ଉତ୍ତରାଖଣ୍ଡକୁ ପରାସ୍ତକରି କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲା। ବିଜୟ ଧାରା ଅଭ୍ୟାହତ ରଖି କ୍ବାର୍ଟରଫାଇନାଲରେ ଦାଦ୍ରା ନଗର ହାଭେଳୀ ଓ ଡାମନ ଡିଉକୁ ୭-୦ ଗୋଲରେ ପରାସ୍ତକରି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ତେବେ ଶକ୍ତିଶାଳୀ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବା ଆକଳନ କରାଯାଉଛି। ନିକଟ ଅତିତରେ ଅନୁଷ୍ଠିତ କିଛି ପ୍ରତିଯୋଗିତାରେ ଓଡ଼ିଶା ଦଳ ମଧ୍ୟପ୍ରଦେଶଠାରୁ ପରାଜୟ ଭୋଗିଛି। ଏଣୁ ଘରୋଇ ପଡ଼ିଆରେ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବାକୁ ଓଡ଼ିଶା ଦଳ ଲକ୍ଷ୍ୟ ରଖିଛି। ବ୍ୟକ୍ତିଗତ ସର୍ବାଧିକ ଗୋଲ୍ ସ୍କୋର୍ କରିବାରେ ମଧ୍ୟପ୍ରଦେଶ ଖେଳାଳି ଆଗୁଆ ଅଛନ୍ତି। ମଧ୍ୟପ୍ରଦେଶର ଆସୀର ଆଦିଲ ଖାନ ସର୍ବାଧିକ ୧୫ଟି ଗୋଲ୍ ଦେଇଥିବାବେଳେ କରଣ ଗୌତମ ୧୨, ତୁଷାର ପାଣ୍ଡେ ୯ ଏବଂ ରୀତେନ୍ଦ୍ର ପ୍ରତାପ ସିଂହ ଓ ଶୁଭନ ଆବିଦ୍ ୮ଟି ଲେଖାଏ ଗୋଲ୍ ଦେଇଛନ୍ତି। ଅପରପକ୍ଷରେ ଓଡ଼ିଶାର ସର୍ବାଧିକ ଗୋଲ୍ ସ୍କୋରର୍ ହେଉଛନ୍ତି ୧୬ ବର୍ଷୀୟ ତାରକା ଦେଓନାଥ ନାନୱାର। ଦେଓନାଥ ଗତ ୩ଟି ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ତଳକୁ ସର୍ବାଧିକ ବ୍ୟକ୍ତିଗତ ଗୋଲ ସ୍କୋରର୍ ତାଳିକାରେ ଦୀପକ ପ୍ରଧାନ(୭) ଓ ଯୋଜିନ ମିଞ୍ଜ(୫) ଅଛନ୍ତି।
ସେମିଫାଇନାଲ ପୂର୍ବରୁ ଓଡ଼ିଶାର ଜୋରଦାର୍ ଅଭ୍ୟାସ
ଦ୍ବିତୀୟ ସେମିଫାଇନାଲରେ ଉତ୍ତରପ୍ରଦେଶ-ହରିୟାଣା
ଦଳର ପ୍ରସ୍ତୁତି ଉପରେ ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ନାରାୟଣ ପ୍ରତିକ୍ରିୟାରେ କହିଛନ୍ତି, ପ୍ରତିଯୋଗିତା ଆରମ୍ଭ ହେବାର ପ୍ରାୟ ଦୁଇ ସପ୍ତାହ ପୂର୍ବେ ଦଳ ଏଠାରେ ପହଞ୍ଚିଥିଲା। ସେବେଠାରୁ ଦଳ କଡ଼ା ଅଭ୍ୟାସ ଜାରି ରଖିଛି। ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସ ଖେଳାଳିଙ୍କ ସହ ଏକାଧିକ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିଛି। ପ୍ରତିଯୋଗିତାରେ ଦଳର ପ୍ରଦର୍ଶନ ଆଶାନୁରୂପ ରହିଛି। ମଧ୍ୟପ୍ରଦେଶ ବିପକ୍ଷ ମେିଫାଇନାଲ ମ୍ୟାଚ୍ ନେଇ କହିଲେ, ମଧ୍ୟପ୍ରଦେଶ ଏକ ଶକ୍ତିଶାଳୀ ଦଳ। ସେମାନେ ଆକ୍ରାମଣାତ୍ମକ ଖେଳିବାକୁ ପସନ୍ଦ କରିଥାନ୍ତି। ତଦନୁଯାୟୀ ଆମେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛୁ। ନିକଟ ଅତିତରେ ଖେଲାଯାଇଥିବା କିଛି ପ୍ରତିଯୋଗିତାରେ ଆମେ ସେମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇନୁ। କିନ୍ତୁ ଏଥର ଏହି ଧାରାକୁ ପରିବର୍ତ୍ତନ କରିବାକୁ ଦଳ ସକ୍ଷମ। ଓଡ଼ିଶାର ଟପ୍ ସ୍କୋରର୍ ଦେଓନାଥ ନାନୱାର କହିଛନ୍ତି, ଆଟାକର୍ ହିସାବରେ ମୁଁ ସବୁବେବେଳ ଗୋଲ୍ ସ୍କୋର୍ କରିବାକୁ ପସନ୍ଦ କରେ। ପ୍ରଶିକ୍ଷକଙ୍କ ଟିପ୍ସ ମୁତାବକ ପ୍ରତ୍ୟେକ ମ୍ୟାଚ୍ରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥାଏ। ଆଗାମୀ ମ୍ୟାଚ୍ରେ ଆମେ ଦଳଗତ ପ୍ରଦର୍ଶନ କରି ଫଳାଫଳ ଆମ ସପକ୍ଷରେ ଆଣିବୁ।