ଓଡ଼ିଆ ଭାଷା ପାଇଁ ପୁରସ୍କାର, ନହେଲେ ଦଣ୍ଡ

ଦୋକାନ ଆଦିରେ ନାମଫଳକ ଓଡ଼ିଆରେ ନ ଲେଖିଲେ ଜରିମାନା

ପ୍ରଥମ ଥର ୧ରୁ ୫ହଜାର ଟଙ୍କା, ଦ୍ୱିତୀୟ ଥର ୨ରୁୁ ୨୫ ହଜାର

ଭୁବନେଶ୍ୱର : ଯେଉଁ ଅଧିକାରୀ ବା କର୍ମଚାରୀ ଓଡ଼ିଶା ଭାଷାରେ ସରକାରୀ କାର୍ଯ୍ୟ କରିବେ ନାହିଁ, ସେମାନଙ୍କୁ ଦଣ୍ଡିତ କରାଯିବ। ଯେଉଁମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ, ସେମାନଙ୍କୁ ସରକାର ପୁରସ୍କୃତ କରିବେ। ପ୍ରଶାସନରେ ଓଡ଼ିଆ ଭାଷାକୁ କ଼ଡ଼ାକ଼ଡ଼଼ି ଭାବେ ଲାଗୁ କରିବାକୁ ଯାଇ ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଆଜି ସଚିବାଳୟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେବଳ ସେତିକି ନୁହେଁ, ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ନ ଲଗାଇଲେ ହଜାରରୁ ପଚିଶ ହଜାର ଟଙ୍କା ପର୍ଯ୍ୟନ୍ତ ଦଣ୍ଡବିଧାନ ହୋଇପାରେ।

ଗତ ଡିସେମ୍ବର ୨୬ ତାରିଖରେ ବିେ଼ଜଡିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସର୍କିଟ ହାଉସରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ ଡାକି ଓଡ଼ିଆ ଭାଷା ପ୍ରତି ନିଷ୍ଠା ଦେଖାଇଥିଲେ। ସେଦିନ ସ୍ଥିର ହୋଇଥିଲା ଯେ ଏପ୍ରିଲ ପହିଲାରୁ ସରକାରୀ ଭାଷା ଆଇନ୍‌ ଭାବେ ଓଡ଼ିଆ ବ୍ୟବହାର କରାଯିବ। ଏଥିପାଇଁ ୧୯୫୪ରେ ରାଜ୍ୟ ସରକାର ସଂଶୋଧନ ଆଣିବେ ଓ ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ। ଜିଲ୍ଲା, ରାଜସ୍ୱ ଡିଭିଜନ ଓ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୨୦୧୮ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଏ ପ୍ରକ୍ରିୟାରେ ଆଉ ପାଦେ ଆଗେଇଛନ୍ତି।

ଆଜି କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଶୁଣାଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ଓଡ଼ିଆ ଭାଷା କମିଟି ଦ୍ୱାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ ଓ ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର କରୁନଥିବା କିମ୍ବା ଠିକ୍‌ ଭାବେ କରୁନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଓଡ଼ିଶା ସରକାରୀ ଭାଷା ଆଇନ ଯଦିଓ ୧୯୫୪ରୁ ଲାଗୁ ହୋଇଛି, ଏହାର ଧାରା (୨) ଓ ଉପଧାରା (୨) ଅନୁସାରେ, ୧୯୮୫ ମସିହାରେ ବିଜ୍ଞାପନ ଦ୍ୱାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ନିୟମ କରାଯାଇଛି। ହେଲେ ଏଥିରେ ଦଣ୍ଡବିଧାନ ବ୍ୟବସ୍ଥା ନଥିଲା। ଏଣୁ ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିଲେ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଆ ସରକାରୀ ଭାଷା ଆଇନ, ୧୯୫୪ର ଧାରା (୨) ଓ ଉପଧାରା (୨) ଅନୁଯାୟୀ ବିଜ୍ଞପ୍ତି କରାଯାଇଥିବା ନିୟମକୁ ଯେଉଁ ଅଧିକାରୀ ବା କର୍ମଚାରୀ ପାଳନ କରିବେ ନାହିଁ, ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ଏହି ସଂଶୋଧନ ପ୍ରସ୍ତାବ ବିଧାନସଭାରେ ଆଗତ ହେବ। ଏହା ଅନୁମୋଦନ ପରେ ଖିଲାପୀଙ୍କ ପାଇଁ ନିର୍ଦିଷ୍ଟ କି ଦଣ୍ଡବିଧାନ କରାଯିବ ତଥା ସଠିକ୍‌ ପ୍ରୟୋଗ କ୍ଷେତ୍ରରେ ପୁରସ୍କାର ସ୍ୱରୂପ କଣ ପଦକ୍ଷେପ ନିଆଯିବ, ତାହା ନିୟମ ପ୍ରସ୍ତୁତି ବେଳେ ସରକାର ଧାର୍ଯ୍ୟ କରିବେ।

କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି ଯେ ସମସ୍ତ ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ବାଧ୍ୟତାମୂଳକ ହେବ। ଏଥିପାଇଁ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬ରେ ଆବଶ୍ୟକ ସଂଶୋଧନ ଅଣାଯିବ। ଏ ସଂକ୍ରାନ୍ତ ସଂଶୋଧନ ପ୍ରସ୍ତାବ ଆସନ୍ତା ବିଧାନସଭାରେ ଆଗତ କରାଯିବ। ଆଜି ଏହି ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ଏଥିରେ ଖିଲାପ କଲେ ଦଣ୍ଡ ମିଳିବ। ପ୍ରଥମ ଥର ଧରାପଡିଲେ ୧ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ସେହିପରି ଦ୍ୱିତୀୟ ଥର ଧରାପଡିଲେ ୨ ହଜାରରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ ହେବ। ପୂର୍ବରୁ ଯଥାକ୍ରମେ ଏହା ୧୫ ଟଙ୍କା ଓ ଦ୍ୱିତୀୟ ଥର ପାଇଁ ୨୫ ଟଙ୍କା ଥିଲା। ସେହିଭଳି ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହେଉଛି କି ନାହିଁ, ସେ ନେଇ ପୌରସଂସ୍ଥା, ମହାନଗର ନିଗମ କର୍ତ୍ତୃପକ୍ଷ ତଦାରଖ କରିବେ। ଏଥିରେ ଖିଲାପକାରୀଙ୍କ ବିରୋଧରେ ତଥ୍ୟ ଦାଖଲ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଓଡ଼ିଆ ଭର୍ଚୁଆଲ ଏକାଡେମି ଏଣିକି ସଂସ୍କୃତି ବିଭାଗ ପରିବର୍ତ୍ତେ ଇଲେକ୍ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ କାର୍ଯ୍ୟ କରିବ। ଗତ ନଭେମ୍ବର ୯ ତାରିଖରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକର ବିବରଣୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ।

ଏହି ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଭର୍ଚୁଆଲ ଏକାଡ଼େମି ବିଷୟ ଏଣିକି ରାଜ୍ୟ ସରକାରଙ୍କ ରୁଲ୍‌ସ ଅଫ୍‌ ବିଜିନେସ୍‌ର ପ୍ରଥମ ଅନୁସୂଚୀରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ବିଷୟ ତାଲିକାରେ ସଂଯୋଗ କରାଯିବା ପାଇଁ କ୍ୟାବିନେଟ୍‌ ସାମ୍ନାକୁ ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ଆଜି ଅନୁମୋଦନ ମିଳିଛି।

ଉଲ୍ଲେଖଥାଉକି, ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମି ମାଧ୍ୟମରେ ଇଂରାଜୀ, ଫରାସୀ, ଜର୍ମାନୀ, ଜାପାନୀ ଏବଂ ସ୍ପେନୀୟ ଭାଷାରେ ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ।

ସମ୍ବନ୍ଧିତ ଖବର