ଭୁବନେଶ୍ବର: କରୋନା ଭାଇରସ୍ର ମୁକାବିଲା କରିବାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ସହାୟତା ଦେଇଥିବା ବେଳେ ଓଡ଼ିଶାର ଜଣାଶୁଣା ମୁଦ୍ରା ସଂଗ୍ରାହକ ଦେବୀ ପ୍ରସାଦ ମଙ୍ଗରାଜ କୋଭିଡ୍-୧୯ ଯୁଦ୍ଧ ପାଇଁ ବର୍ଷ ବର୍ଷ ଧରି ସଂଗ୍ରହ କରି ରଖିଥିବା ବିରଳ ମୁଦ୍ରା ସବୁ ଦାନ କରି ଦେବାର ନିଷ୍ପତ୍ତି ନେଇଛନ୍ତି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ସେ କହିଛନ୍ତି କି ତାଙ୍କର ବିରଳ ମୁଦ୍ରା ସବୁକୁ ସେ କୋଭିଡ-୧୯ର ମୁକାବିଲା କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ଦେବେ। ଦେବୀ ପ୍ରସାଦ ମଙ୍ଗରାଜ ତାଙ୍କ ନିକଟରେ ଥିବା ସମସ୍ତ ୨ ଲକ୍ଷ କଏନ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି।
ମଙ୍ଗରାଜ କହିଛନ୍ତି ଯେ ‘ବିଶ୍ବର ବିଭିନ୍ନ ଦେଶର କଏନ ଓ ନୋଟ୍ ମୁଁ ରଖିଥିଲି। ମୁଁ ସେ ସବୁକୁ କରୋନା ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାର ନିଷ୍ପତ୍ତି ନେଇଛି।’ ୨୦ଟି ଭିନ୍ନ ଭିନ୍ନ ଦେଶର କଏନ୍ ସହ ପ୍ଲାଷ୍ଟିକ୍, ସୁନା ଏବଂ ଅନ୍ୟ ଧାତୁର କଏନ୍ ବି ତାଙ୍କ ପାଖରେ ଥିବା ସେ କହିଛନ୍ତି।