ଓଡ଼ିଶା ମାଣ୍ଡିଆ ଚାଖିବ ସାରା ଭାରତ: ଅରବିନ୍ଦ ପା‌ଢ଼ୀ

ଓଡ଼ିଶା ନିର୍ମାଣ କନକ୍ଲେଭ - ୨୦୨୨: ମିଲେଟ ମିସନ: ଖାଇବା ଥାଳିରେ ବିପ୍ଳବ

ଭୁବନେଶ୍ବର: ଚତୁର୍ଥ ଅଧିବେଶନର ବିଷୟ ଥିଲା ‘ମିଲେଟ ମିସନ: ଖାଇବା ଥାଳିରେ ବିପ୍ଳବ’। ଏଥିରେ ଅତିଥି ଭାବେ କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ ଯୋଗ ଦେଇଥିଲେ। ସେ କହିଲେ, ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଉ ରାଜ୍ୟ ସରକାର ଏଥିପାଇଁ ‘ଓଡ଼ିଶା ମିଲେଟ ମିସନ’ ଆରମ୍ଭ କରିଛନ୍ତି। ଏହି ମିସନରେ ପୁଷ୍ଟି ଜାତୀୟ ଶସ୍ୟ ନାମରେ ପରିଚିତ ମାଣ୍ଡିଆ ସମେତ ବାଜରା, ଯଅ, ସୁଆଁ ପ୍ରମୁଖ ରହିଛି। ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ‘ମିଲେଟ୍‌ ମିସନ ଡେ’ ଭାବେ ପାଳନ କରାଯାଉଛି। ଯାହା ଧୀରେ ଧୀ‌ରେ ଲୋକପ୍ରିୟତା ହାସଲ କରୁଛି।

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଜୀବନରେ ପୁଷ୍ଟି ଶସ୍ୟର ଅନେକ ଗୁରୁତ୍ୱ ରହିଛି। ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଖାଇଲେ ଶରୀର ସୁସ୍ଥ ରହିବ। ତେଣୁ ସମସ୍ତେ ପ୍ରତିଦିନ ମାଣ୍ଡିଆ ଖାଇବା ଉଚିତ୍‌। ପୂର୍ବରୁ ଲୋକେ ଯୋଗାଭ୍ୟାସ କରୁନଥିଲେ କିନ୍ତୁ ଏବେ ଲୋକ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଯୋଗକୁ ଆପଣାଇ ନେଇଛନ୍ତି। ତେବେ ଆମକୁ କବଳିତ କରି ରଖିଥିବା ଫାଷ୍ଟ୍‌ଫୁଡରୁ ସ୍ଲୋ ଫୁଡ୍ ଯାତ୍ରା ପାଇଁ କିଛି ସମୟ ଲାଗିବ, ଲୋକେ ସଚେତନ ହେଲେ ଏହା ସମ୍ଭବ ହୋଇପାରିବ। ମାଣ୍ଡିଆକୁ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ଚାଲିଛି। ପ୍ରତିଟି ସରକାରୀ ଅଫିସରେ ମାଣ୍ଡିଆକୁ ଜଳଖିଆ ଭାବେ ବ୍ୟବହାର ପାଇଁ ଚିଠି ଲେଖାଯାଇଛି।

ଆଗାମୀ ଦିନରେ ଓଡ଼ିଶା ମାଣ୍ଡିଆ ଚାଖିବ ସାରା ଭାରତ। ପ୍ରତିଦିନ ମାଣ୍ଡିଆ ଖାଅ ସୁସ୍ଥ ରୁହ, ଏହାର ଲାଭ ଚାଷୀଙ୍କୁ ବି ମିଳିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ବହୁଳ ମାତ୍ରାରେ ଧାନ ଚାଷ କରାଯାଉଛି। ବଳକା ଧାନ ଅନ୍ୟ ରାଜ୍ୟକୁ ଯାଉଛି। କିନ୍ତୁ ଧାନ ବଦଳରେ ଅଣଧାନ ବା ଶସ୍ୟ ଜାତୀୟ ଚାଷ କରିବାକୁ ଚାଷୀଙ୍କ ଭିତରେ ଏଯାଏ ଆଗ୍ରହ ସୃଷ୍ଟି ହୋଇନାହିଁ। ମିଲେଟ ଉତ୍ପାଦନ ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଉତ୍ପାଦନ ପରେ ଏହାକୁ ସରକାରଙ୍କ ପକ୍ଷରୁ କିଣା ଯାଉଛି, ବିକ୍ରି ପାଇଁ ମଧ୍ୟ ଉପଲବ୍ଧ କରାଯାଉଛି। ସରକାର ପ୍ରତ୍ୟେକ ଚାଷୀଙ୍କୁ ଏବେ କୃଷି-ଉଦ୍ୟୋଗୀ କରିବାକୁ ଚାହୁଛନ୍ତି। ବିଭିନ୍ନ ମିସନ ସୃଷ୍ଟି କରି ରାଜ୍ୟକୁ ସ୍ୱାବଲମ୍ବୀ କରିବା ସହ ମିସନ ଶକ୍ତି ଜରିଆରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚାଷୀର କ୍ଷେତ ସହ ଲୋକଙ୍କ ପ୍ଲେଟରେ ମାଣ୍ଡିଆ ଆଣିବାକୁ ପ୍ରୟାସ କରାଯାଉଛି। ଶିକ୍ଷିତ ବର୍ଗ ଏବେ କୃଷି ଉଦ୍ୟୋଗୀ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରିବା କୃଷି କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିପାରିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର