ଭୁବନେଶ୍ବର : ରାଜ୍ୟରେ ୧୪ଟି ଅଣବୃହତ ବନ୍ଦର ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନିତ ହୋଇଛି। ବନ୍ଦର ପ୍ରତିଷ୍ଠା ହେଲେ ରାଜ୍ୟରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ସହିତ ରାଜ୍ୟର ଅର୍ଥନୈତିକ ଉନ୍ନତି ଆସିବ। ଏହାସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମୁଦ୍ରୀୟ ପରିଷଦ ଗଠନ ପାଇଁ ବିଧାନସଭାରେ ବିଲ୍ ପାରିତ ହୋଇଛି। ଏହି ପରିଷଦରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ଅଂଶୀଦାର ବିଭାଗର ପ୍ରତିନିଧି ଏବଂ ଭାରତ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ପରିଚାଳନା ପରିଷଦ ଗଠନ ହେବ।
ଓଡ଼ିଶା ସମୁଦ୍ରୀୟ ପରିଷଦ ବିଲ୍-୨୦୨୦ ଗତବର୍ଷ ବିଧାନସଭା ଅଧିବେଶନରେ ଆଗତ ହୋଇଥିଲା। କିନ୍ତୁ ସମୟ ଅଭାବରୁ ଆଲୋଚନା ହୋଇପାରି ନଥିଲା। ଏହି ବିଲ୍କୁ ବିଚାର ଆଲୋଚନା ପାଇଁ ଆଗତ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ ରାଜ୍ୟରେ ନିଜସ୍ବ ବା ଘରୋଇ ଉଦ୍ୟୋଗର ମିଳିତ ସହଭାଗିତାରେ ଅଣ-ବୃହତ ବନ୍ଦରଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା କରିବ। ରାଜ୍ୟରେ ଏବେ ଗୋପାଳପୁର ଓ ଧାମରା ବନ୍ଦ କାର୍ଯ୍ୟକ୍ଷମ ହୋଇଛି। ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣାଧୀନ ରହିଛି।
ବିଲ୍ ଆଲୋଚନା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିବା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ବିଜେପି ବିଧାୟକ ମୋହନ ଚରଣ ମାଝୀ, ମୁକେଶ ମହାଲିଙ୍ଗ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ବିଲ୍ ସପକ୍ଷରେ ମତ ରଖିଥିଲେ। ବିଜେପି ବିଧାୟକ ଶ୍ରୀ ମହାଲିଙ୍ଗ ପାରାଦୀପ ଠାରେ ଗୋଟିଏ ଗୋଟିଏ ସମୁଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲାବେଳେ ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ ପରିଷଦରେ ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଦାବି କରିଥିଲେ। କିନ୍ତୁ ବିଜେପି ସଦସ୍ୟମାନଙ୍କ ଏହି ପ୍ରସ୍ତାବ ଗ୍ରହଣ ହୋଇନଥିଲା। ବିଲ୍ ଆଲୋଚନାରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ଅନନ୍ତ ଦାସ ଓ ଭୂପିନ୍ଦର ସିଂ ପ୍ରମୁଖ ଭାଗ ନେଇଥିଲେ।