ମାଟ୍ରିକ୍ ବିଭ୍ରାଟ : ପ୍ରଶ୍ନପତ୍ର ଭାଇରାଲ ହେଲେ ଏତଲା

କଠୋର ହେଲା ଗଣଶିକ୍ଷା ବିଭାଗ, ୨୭ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର, ୧୪୪ ଧାରା ଜାରି କରିବାକୁ ପରାମର୍ଶ

ଭୁବନେଶ୍ବର : ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣା ପରେ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ପୋଷଣ କରିଛି। ଏଣିକି ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ଏତଲା ଦିଆଯିବା ସହିତ ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।

ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ବାରଣ କରାଗଲା। ବିଜ୍ଞପ୍ତି ବି ଜାରି ହେଲା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ସ୍କ୍ବାଡ୍‌ରେ ଆସୁଥିବା ସଦସ୍ୟଙ୍କୁ ବି କ୍ୟାମ୍ପସକୁ ମୋବାଇଲ ମନା କରାଗଲା। ଗଣମାଧ୍ୟମ ପ୍ରବେଶ ଉପରେ ବି କଟକଣା ଲାଗିଲା। ଏତେ ସବୁ ପରେ ବି ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌କୁ ରୋକାଯାଇ ପାରିଲା ନାହିଁ। ସୋମବାର ଇଂରାଜୀ ବିଷୟର ପରୀକ୍ଷା ଥିବାରୁ ପ୍ରଶ୍ନପତ୍ର ଭାଇରାଲ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ପରୀକ୍ଷା ପରିଚାଳନାରେ ସାମିଲ ହେଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପରାମର୍ଶ, ଗାଇଡ୍‌ଲାଇନ୍ ବଦଳରେ ସିଧାସଳଖ ଚେତାବନୀ ଦିଆଯାଇଛି। ଯଦି କୌଣସି ପରୀକ୍ଷା କେନ୍ଦ୍ରର ଶିକ୍ଷକ, ସୁପରିଟେଣ୍ଡେଣ୍ଟ, ସୁପରଭାଇଜର କିମ୍ବା ସ୍କ୍ବାଡ୍‌ ସଦସ୍ୟ ଭାଇରାଲ ପରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ ୧୯୮୮ ମସିହା ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ଅନୁସାରେ ଅପରାଧିକ ମାମଲା ରୁଜୁ କରିବାକୁ କୁହାଯାଇଛି। ପ୍ରଶ୍ନପତ୍ର ପ୍ରଘଟ, ଭାଇରାଲ ପରି ଘଟଣା ସମ୍ନାକୁ ଆସିବା କ୍ଷଣି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନିକଟସ୍ଥ ଥାନାରେ ଏତଲା ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ସମସ୍ତ ଡିଇଓମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଯେ ପ୍ରଥମ ଦିନର ପରୀକ୍ଷାରେ କେତେକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ନଜରକୁ ଆସିଛି। ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକମାନେ ଭିଡ଼ ଜମାଇବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପୁଲିସ୍‌ର ସହାୟତା ବି ନିଆଯାଇଛି। ପାଖାପାଖି ୨୭ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି। ସୋମବାରଠାରୁ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକ ବାହାରେ ୧୪୪ ଧାରା ଜାରି କରିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ କୁହାଯାଇଛି।

ଅନ୍ୟପକ୍ଷରେ, ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା କ୍ଷେତ୍ରରେ ଅଭିଭାବକମାନେ ଗୁରୁଦାୟିତ୍ବ ବହନ କରନ୍ତୁ ବୋଲି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶେୟୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର