ଓଡିଏଫ୍‌ରେ ଓଡ଼ିଶା ସ୍ଥିିତି ଦୟନୀୟ

୩୩ତମ ସ୍ଥାନରେ ସନ୍ତୁଷ୍ଟ
୪ଟି ରାଜ୍ୟର ଓଡିଏଫ୍‌ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଏବେବି ଅଧାରୁ ଅଧିକ ଲୋକଙ୍କ ଘରେ ପାଇଖାନା ନାହିଁ

ଭୁବନେଶ୍ୱର : ୨୦୧୯ ଅକ୍ଟୋବର ୨ ସୁଦ୍ଧା ପୂରା ଦେଶକୁ ବାହାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍‌) କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ପ୍ରତ୍ୟେକ ଘରେ ଯେପରି ପାଇଖାନା ନିର୍ମାଣ ହେବ ସେଥିପାଇଁ ସ୍ୱଚ୍ଛ ଭାରତ ଅଭିଯାନରେ ଅର୍ଥ ଯୋଗାଇ ଦିଆଯାଉଛି। ଏପରିକି ୧୩ଟି ରାଜ୍ୟ ନିଜକୁ ଓଡିଏଫ୍‌ ରାଜ୍ୟ ବୋଲି ଘୋଷଣା କରି ସାରିଲେଣି। କିନ୍ତୁ ଓଡ଼ିଶା ସ୍ଥିତି ଅତ୍ୟନ୍ତ ଦୟନୀୟ। ୩୪ଟି ରାଜ୍ୟରୁ ଓଡ଼ିଶା ୩୩ତମ ସ୍ଥାନରେ ଅଛି। ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ଥିବା ଜଣାପଡ଼ିଛି।

ଚାରିଟି ରାଜ୍ୟରେ ଓଡିଏଫ୍‌ ସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ଜମ୍ମୁ କାଶ୍ମୀର, ଓଡ଼ିଶା, ବିହାର ଏବଂ ଉତ୍ତର ପ୍ରଦେଶର ଓଡିଏଫ୍‌ ସ୍ଥିତି ନେଇ ସମୀକ୍ଷା ହୋଇଥିବାବେଳେ ବିହାର ଓ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ବୋଲି ଜଣାପଡ଼ିଛି। ଏହି ଦୁଇଟି ରାଜ୍ୟରେ ଏବେ ବି ଅଧାରୁ ଅଧିକ ଲୋକଙ୍କ ଘରେ ପାଇଖାନା ନଥିବା ଜଣାପଡ଼ିଛି। ଯେତେବେଳେ କି ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଓଡିଏଫ୍‌ ରାଜ୍ୟ ମାନ୍ୟତା ପାଇଛି।

ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ବିହାରରେ ୪୧.୪%ଘରେ ପାଇଖାନା ନିର୍ମାଣ ହୋଇଥିବାବେଳେ ଓଡ଼ିଶାରେ ୪୮.୪୯% , ଜମ୍ମୁ କାଶ୍ମୀରରେ ୫୧.୩୫% ଏବଂ ଉତ୍ତର ପ୍ରଦେଶରେ ୫୮.୨୮% ଘରେ ପାଇଖାନା ନିର୍ମାଣ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ବର୍ତ୍ତମାନ ସୁଦ୍ଧା କେବଳ ଓଡ଼ିଶାର ଏକମାତ୍ର ଜିଲ୍ଲା ଦେବଗଡ଼ ଓଡିଏଫ୍‌ ଜିଲ୍ଲାର ମାନ୍ୟତା ପାଇଛି। ଏହାପଛକୁ ବାଲେଶ୍ୱରରେ ୮୭.୧୫% ଘରେ ପାଇଖାନା ନିର୍ମାଣ ହୋଇଛି। ୩୦ଟି ଯାକ ଜିଲ୍ଲାରୁ ୧୯ଟିରେ ଅଧାରୁ କମ୍‌ ଲୋକଙ୍କ ଘରେ ପାଇଖାନା ନିର୍ମାଣ ହୋଇଛି। ଏଠାରେ ଏବେ ବି ଲୋକ ବାହାରେ ଶୌଚ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ମାତ୍ର ୩୧.୧୬% ଲୋକଙ୍କ ଘରେ ପାଇଖାନା ଅଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୭,୮୨୯ଟି ଗ୍ରାମ, ୪୮୪ଟି ପଞ୍ଚାୟତ, ୫ଟି ବ୍ଲକ ଓଡିଏଫ୍‌ ବୋଲି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର